ନୂଆଦିଲ୍ଲୀ,୦୫/୦୨: ‘ଟି -ଟ୍ୱେଣ୍ଟି ବିଶ୍ୱକପ୍ରେ ଭାରତ ସବୁଠୁ ଭୟଙ୍କର ଦଳ ବୋଲି କହିଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରଠୁ ସେ ଗଣମାଧ୍ୟମକୁ ସାମ୍ନା କରନ୍ତି ନାହିଁ କିମ୍ବା ଭାରତୀୟ ଦଳ ସଂପର୍କରେ କିଛି ମତମତ ରଖନ୍ତି ନାହିଁ । କିନ୍ତୁ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଗାମୀ ବିଶ୍ୱକପ୍ରେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ନିଜର ମତ ରଖିଛନ୍ତି ।
ଡିଫେଣ୍ଡିଂ ଚାମ୍ପିଅନ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଏଥର ବିଶ୍ୱକପ୍ ଆୟୋଜନ କରୁଛନ୍ତି । ଧୋନିଙ୍କ ନେତୃତ୍ୱରେ ଦଳ ୨୦୦୭ରେ ଟି-ଟ୍ୱେଣ୍ଟି ଏବଂ ୨୦୧୧ରେ ଦିନିକିଆ ବିଶ୍ୱକପ୍ ଜିତିଥିଲା । ଭାରତ ଏବେ ଯେଉଁଭଳି ଫର୍ମରେ ରହିଛି, ଘରୋଇ ପରିବେଶରେ ଟାଇଟଲ ବଜାୟ ରଖିବାକୁ ଦାବିଦାର ରହିଛି । ଗତ ୨୦୨୩ ଅକ୍ଟୋବର ମାସରୁ ଦଳ ୫୧ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତିଥିବାବେଳେ ମାତ୍ର ୮ଟିରେ ପରାସ୍ତ ହୋଇଛି । ଦଳର ବ୍ୟାଟିଂ ଲାଇନ ବେଶ ଶକ୍ତିଶାଳୀ ରହିଛି । ସମସ୍ତେ ଜଣେ ଜଣେ ହାର୍ଡ ହିଟର । ସେମିତି ବୋଲିଂରେ ଭେଟେରାନ ଯଶପ୍ରୀତ ବୁମରା ଓ ବରୁଣ ଚକ୍ରବର୍ତ୍ତୀ ଯେ କୌଣସି ଦଳକୁ ଯେ କୌଣସି ପରିବେଶରେ ଅଟକାଇ ଦେବାର କୌଶଳ ସେମାନଙ୍କୁ ଜଣା ।
ଧୋନି କହିଛନ୍ତି, ‘ଗୋଟିଏ ଭଲ ଦଳରେ ଯାହା ସବୁ ଆବଶ୍ୟକ ତାହା ଭାରତୀୟ ଦଳରେ ନିହିତ ରହିଛି । ବିଶେଷ କରି ଟି-ଟ୍ୱେଣ୍ଟି ଫର୍ମାଟରେ ଆମର ପ୍ରତ୍ୟେକ ଖେଳାଳି ଅଭିଜ୍ଞ। ସେମାନେ ଚାପରେ ଖେଳିପାରନ୍ତି । ଯେ କୌଣସି ପରିବେଶ ଓ ପରିସ୍ଥିତିରେ ଏବଂ ଯେ କୌଣସି ମୁହୂର୍ତ୍ତରେ ଖେଳିବାର ସେମାନେ ସାମର୍ଥ୍ୟ ରଖିଛନ୍ତି । ଜଣେ ଖେଳାଳି ଟି-ଟ୍ୱେଣ୍ଟି ଫର୍ମାଟକୁ ଆସୁଛି ମାନେ ବହୁ ଅଭିଜ୍ଞତା ରହିବା ଆବଶ୍ୟକ ।’
ଗୋଟିଏ କଥାକୁ ନେଇ ଧୋନି ଚିନ୍ତା ପ୍ରକଟ କରିଛନ୍ତି । ତାହା ହେଉଛି କାକର । ସେ କହିଛନ୍ତି, ‘କାକର ବହୁତ କିଛି ପରିବର୍ତ୍ତନ କରିଦିଏ । ଯେତେବେଳେ ମୁଁ ଖେଳୁଥିଲି ସେତେବେଳେ ଗୋଟିଏ କଥାକୁ ଯଦି ଭୟ କରୁଥିଲି ତାହା ହେଉଛି କାକର । ଏଭଳି ପରିବେଶରେ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।’
ଟି-ଟ୍ୱେଣ୍ଟି ଏକ ଅନିଶ୍ଚିତ ଫର୍ମାଟ । ଯେକେହି ଯେ କୌଣସି ଦଳକୁ ପରାଜିତ କରିପାରେ । ‘ଏମିତି ହୁଏ ତୁମର ଯଦି କିଛି ଖେଳାଳି ସେଦିନ ଭଲ କରିପାରୁ ନାହାନ୍ତି, ତେବେ ବିପକ୍ଷ ଦଳର ଖେଳାଳି ଚମତ୍କାର ପ୍ରଦର୍ଶନ କରନ୍ତି । ଟି-ଟ୍ୱେଣ୍ଟିରେ ଏଭଳି ହୁଏ । ତେଣୁ ତାହା ଲିଗ୍ ହେଉ ଅବା ନକ୍ ଆଉଟ୍ ସମସ୍ତଙ୍କର ଶୁଭେଚ୍ଛାର ଆବଶ୍ୟକତା ହୋଇଥାଏ । ଏଭଳି ସମୟରେ କେହିବି ଆହତ ହେବା ଉଚିତ ନୁହେଁ ବୋଲି ଧୋନି କହିଛନ୍ତି ।
ଆହୁରି ପଢ଼ନ୍ତୁ :- ଅଣ୍ଡର-୧୯ ବିଶ୍ବକପ : ଆଫଗାନିସ୍ତାନକୁ ହରାଇ ଫାଇନାଲରେ ଭାରତ
ଭାରତ ଟାଇଟଲ ବଜାୟ ରଖି ପାରିବ?
ଡିଫେଣ୍ଡିଂ ଚାମ୍ପିଅନ ଭାରତ ଏଥର ଟାଇଟଲ ବଜାୟ ରଖି ପାରିବ କି? ଏ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି । କିନ୍ତୁ ରେକର୍ଡ ଭିନ୍ନ କଥା କରୁଛି । ଏ ପର୍ଯ୍ୟନ୍ତ ଆୟୋଜକ ଦଳ କେବେ ଟାଇଟଲ ଜିତି ପାରି ନାହିଁ । ୨୦୦୭ରେ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍ ଆୟୋଜନ କରିଥିଲା । କିନ୍ତୁ ଭାରତ ହୋଇଥିଲା ଚାମ୍ପିଅନ । ୨୦୦୯ରେ ଇଂଲଣ୍ଡ ଆୟୋଜନ କରିଥିଲା । ଏଥର ଭାରତ ଟାଇଟଲ ବଜାୟ ରଖି ପାରି ନଥିଲା । ଶ୍ରୀଲଙ୍କାକୁ ହରାଇ ପାକିସ୍ତାନ ଚାମ୍ପିଅନ ହୋଇଥିଲା ।
୨୦୧୦ରେ ୱେଷ୍ଟଇଣ୍ଡିଜ ଆୟୋଜକ ଥିଲା । ଅଷ୍ଟ୍ରେଲିଆକୁ ପରାସ୍ତ କରି ଇଂଲଣ୍ଡ ଜିତିଥିଲା ବିଶ୍ୱକପ୍ । ୨୦୧୨ରେ ଶ୍ରୀଲଙ୍କା ଆୟୋଜକ ଥିଲା । ଆୟୋଜକ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ୱେଷ୍ଟଇଣ୍ଡିଜ ଠାରୁ ପରାସ୍ତ ହୋଇଥିଲା ।
ବାଂଲାଦେଶ ୨୦୧୪ ସଂସ୍କରଣ ଆୟୋଜନ କରିଥିଲା । ଭାରତ ଓ ଶ୍ରୀଲଙ୍କା ଫାଇନାଲ ଖେଳିଥିଲେ । ଶ୍ରୀଲଙ୍କା ଚାମ୍ପିଅନ ହୋଇଥିଲା । ୨୦୧୬ରେ ଭାରତ ବିଶ୍ୱକପ୍ ଆୟୋଜନ କରିଥିଲେ ବି ଫାଇନାଲରେ ପ୍ରବେଶ କରିପାରି ନଥିଲା । ଇଂଲଣ୍ଡକୁ ହରାଇ ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଥର ଟାଇଟଲ ବିଜେତା ହୋଇଥିଲା ।
୨୦୨୧ ବିଶ୍ୱକପ୍ ୟୁଏଇ ଓ ଓମାନ ଆୟୋଜନ କରିଥିଲେ । ନ୍ୟୁଜିଲାଣ୍ଡକୁ ଫାଇନାଲରେ ହରାଇ ପ୍ରଥମ ଥର ଅଷ୍ଟ୍ରେଲିଆ ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିଥିଲା । ୨୦୨୨ ସଂସ୍କରଣ ଅଷ୍ଟ୍ରେଲିଆ ଆୟୋଜକ ଥିଲା । ପାକିସ୍ତାନକୁ ହରାଇ ଇଂଲଣ୍ଡ ଦ୍ୱିତୀୟ ଥର ବିଶ୍ୱକପ୍ ହାସଲ କରିଥିଲା । ୨୦୨୪ ବିଶ୍ୱକପ୍ ୱେଷ୍ଟଇଣ୍ଡିଜ ଓ ଆମେରିକା ମିଳିତ ଭାବେ ଆୟୋଜନ କରିଥିଲେ । ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଜିତିଥିଲା ଦ୍ୱିତୀୟ ଟାଇଟଲ ।