ଭୁବନେଶ୍ୱର,୨୪/୧୦: ସମ୍ଭାବ୍ୟ ବାତ୍ୟା  "ଦାନା’ର ମୁକାବିଲା ପାଇଁ ପୁଲିସ କମିଶନର ଏସ୍‌ ଦେବଦତ୍ତ ସିଂ ସମସ୍ତ ଥାନା ଅଧିକାରୀ ଓ  ଜୋନ୍‌ ଏସିପିମାନଙ୍କ ସହ ଘନଘନ ବୈଠକ  କରି ଆକ୍ସନ ପ୍ଲାନ ପ୍ରସ୍ତୁତ କରୁଛନ୍ତି । ଏଥିସହ ସେ ରିଜର୍ଭ ପୁଲିସ୍‌ ପଡ଼ିଆରେ ପ୍ରସ୍ତୁତି ପ୍ରକ୍ରିୟାକୁ  ତଦାରଖ କରିଛନ୍ତି । ପିସିଆର୍‌ ଭ୍ୟାନ୍‌ରେ  ଡାକବାଜି ଯନ୍ତ୍ରରେ ବାତ୍ୟା ପାଇଁ ସଜାଗ ରହିବାକୁ  ରାଜଧାନୀବାସୀଙ୍କୁ ସତର୍କ କରାଯାଇଛି ।  

ଡିସିପି ପିନାକ କୁମାର ମିଶ୍ରଙ୍କ ନେତୃତ୍ୱରେ  ଏକ ଟିମ୍‌ ଗଢ଼ାଯାଇଛି । ପ୍ରତିଟି ଥାନାକୁ ଗୋଟିଏ  ଫ୍ଲାଟୁନ୍‌ ପୁଲିସ ଫୋର୍ସ ଯୋଗାଇ ଦିଆଯାଇଛି । ସେମାନେ ୨୪ ଘଣ୍ଟିଆ ଆଲର୍ଟ ରହିବା ସହ ଥାନା ଅଧିକାରୀଙ୍କ ସହ ଯୋଗାଯୋଗରେ ରହି ସେବା  ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର ପାଇଁ  ଭୁବନେଶ୍ୱରରେ ୫ଟି ଟିମ୍‌ ସଜାଗ ରହିଛନ୍ତି । ଗଛ କାଟିବାକୁ ପାୱାର କଟର୍‌,ଜରୁରିକାଳୀନ ହାଇମାଷ୍ଟ ଲାଇଟ୍‌, କିରାସିନି, ପଲିଥିନ ସହ ବ୍ୟାଟେରି ମହଜୁଦ  ରଖିବା ପାଇଁ ରିଜର୍ଭ ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ଓ ରାଜ୍ୟ ରାଜପଥରେ ପୁଲିସ  ପାଟ୍ରୋଲିଂ କଡାକଡି କରାଯାଉଛି । ଅତ୍ୟାବଶ୍ୟକ  ସାମଗ୍ରୀ ଗାଡ଼ି କିମ୍ବା ଅନ୍ୟାନ୍ୟ ଗାଡି଼ ଯା’ଆସକୁ  ଧ୍ୟାନ ଦେବାକୁ ପାଟ୍ରୋଲିଂ ଟିମ୍‌କୁ କୁହାଯାଇଛି ।  ବିଏମ୍‌ସି, ଟିପିସିଓଡିଏଲ୍‌, ରୋଡ୍‌ ଆଣ୍ଡ ବିଲଡିଂ,  ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ପିଏଚ୍‌ଡି ବିଭାଗ ସହ ସମନ୍ୱୟ ରଖିବାକୁ କୁହାଯାଇଛି ।  

ଓଡ୍ରାଫ ଟିମ୍‌କୁ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳକୁ  ପଠାଯିବ । କିଛି ଜାଗାରେ ଅସ୍ଥାୟୀ ପାନୀୟ ଜଳ  ବ୍ୟବସ୍ଥା ହୋଇଛି । ଯୋଗାଯୋଗ ବିଛିନ୍ନ ହେଲେ,  ଭିଏଚ୍‌ଏଫ୍‌ ୟୁନିଟ୍‌ ଓ ଷ୍ଟାଟିକ୍‌ ଭିଏଚ୍‌ଏଫ୍‌କୁ ମହଜୁଦ  କରାଯାଇଛି । ପ୍ରତି ଥାନାରେ ଜେନେରେଟର ସୁବିଧା  ମଧ୍ୟ କରାଯାଇଛି । ୨୬ ତାରିଖ ଯାଏଁ କେହି  ଛୁଟିରେ ରହିପାରିବେ ନାହିଁ । ସେହିପରି ଷ୍ଟାଫ୍‌  ଓ ପରିବାର ଲୋକଙ୍କ ପାଇଁ ୩ ଦିନ ଯାଏ ଶୁଖିଲା  ଖାଦ୍ୟର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।