ବୁର୍ଲା,୧୧/୦୪: ବୁର୍ଲାରେ ଆଉଏକ ଟଙ୍କିକିଆ ଚିକିତ୍ସା ସେବା ଆରମ୍ଭ ହୋଇଛି । ଭିମ୍‌ସାର୍‌ ଆସିଷ୍ଟାଣ୍ଟ ପ୍ରଫେସର ଡା. ଶଙ୍କର ରାମଚନ୍ଦାନୀଙ୍କ ପତ୍ନୀ ଶିଖା ରାମଚନ୍ଦାନୀଙ୍କ ଦ୍ୱାରା ଏହି ନୂତନ ସେବା ଆରମ୍ଭ ହୋଇଛି । ଏହି କ୍ଲିନିକ୍‌  ଭାରତର ପ୍ରଥମ ବୋଲି ଡା. ଶଙ୍କାର ରାମଚନ୍ଦାନୀ କହିଛନ୍ତି । ମୁଖ୍ୟତଃ ଦାନ୍ତରୋଗ  ସମ୍ବନ୍ଧୀୟ ସମସ୍ତ ଚିକିତ୍ସା ସୁବିଧା ଏଠାରେ ଉପଲବ୍ଧ ରହିଛି । ସମସ୍ତ ଅତ୍ୟାଧୂନିକ  ଯନ୍ତ୍ରପାତି ସହିତ କ୍ଲିନିକ୍‌  ରୋଗୀ ସେବା ପାଇଁ ପ୍ରସ୍ତୁତ  ହୋଇଛି । ଗରିବ ରୋଗୀଙ୍କୁ  ଏକଟଙ୍କାରେ ଏଠାରେ  ସମସ୍ତ ଚିକିତ୍ସା ସେବା  ଯୋଗାଇଦେବେ ଦାନ୍ତରୋଗ ବିଶେଷଜ୍ଞ ଡା. ଶିଖା ରାମଚନ୍ଦାନୀ । ଦାନ୍ତ କ୍ଲିନିଙ୍ଗ  ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ମଧ୍ୟ ଏକଟଙ୍କାରେ କେବଳ ଗରିବ ରୋଗୀଙ୍କ ପାଇଁ ଉପଲବ୍ଧ ହେବ ବୋଲି ଡା. ଶିଖା ରାମଚନ୍ଦାନୀ ସୂଚନା  ଦେଇଛନ୍ତି । 

ବୁର୍ଲା ଷ୍ଟେଟ୍‌ ବ୍ୟାଙ୍କ ନିକଟସ୍ଥ ଡା. ଶଙ୍କର ରାମଚନ୍ଦାନୀଙ୍କ ସରକାରୀ  ବାସଭବନରେ ଏହି କ୍ଲିନିକ୍‌ ଆରମ୍ଭ ହୋଇଛି । ଏହାକୁ ଆନୁଷ୍ଠାନିକ ଭାବରେ  ପୂଜାର୍ଚ୍ଚନା ପରେ ଉଦ୍‌ଘାଟନ ହୋଇଛି । ଏହି କ୍ଲିନିକ୍‌ର ସମସ୍ତ ଶ୍ରେୟ ମଧ୍ୟ ଡା.  ଶଙ୍କରଙ୍କ ମାଆ ସ୍ୱର୍ଗତ ଲାଜ୍‌ବନ୍ତୀ ରାମଚନ୍ଦାନୀଙ୍କୁ ପ୍ରଦାନ କରିଛନ୍ତି ଡା.ରାମଚନ୍ଦାନୀ  ଦମ୍ପତି । ଡା. ଶିକ୍ଷା ରାମଚନ୍ଦାନୀଙ୍କ ଏହି ଟଙ୍କିକିଆ କ୍ଲିନିକ୍‌ ଖୋଲିବା ପଛରେ ଡା.  ଶଙ୍କର ରାମଚନ୍ଦାନୀଙ୍କ ସହଯୋଗ ରହିଥିବା ବେଳେ ତାଙ୍କଠାରୁ ଅନୁପ୍ରାଣିତ ହୋଇ  ଏହି କ୍ଲିନିକ୍‌ ଗରିବ ରୋଗୀଙ୍କ ଉଦେଶ୍ୟରେ ଖୋଲିଥିବା ଡା. ଶିଖା କହିଛନ୍ତି ।  ପ୍ରଥମ ରୋଗୀ ଭାବେ ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ଗୁରେନ୍ଦ୍ର ସେଠ୍‌ ନାମକ  ଜଣେ ଗରିବ ରୋଗୀଙ୍କ ଦାନ୍ତ କ୍ଲିନିଙ୍ଗ କରି କ୍ଲିନିକ୍‌ର ଶୁଭାରମ୍ଭ କରାଯାଇଥିଲା ।  ପ୍ରଥମ ଦିନରେ ୬ଜଣ ଗରିବ ରୋଗୀଙ୍କ ଚିକିତ୍ସା କରାଯାଇଥିବା ସୂଚନା ମିଳିଛି ।    

ସୂଚନା ଥାଉ କି ଡା. ଶଙ୍କର ରାମଚନ୍ଦାନୀଙ୍କ ଦ୍ୱାରା ପ୍ରଥମ କରି ବୁର୍ଲାରେ ଟଙ୍କିକିଆ  କ୍ଲିନିକ୍‌ ଗତ ୨୦୨୧ ମସିହା ଫେବ୍ରୁଆରୀ ୧୨ ତାରିଖ ଦିନ ଉଦ୍‌ଘ।।ଟନ ହୋଇଥିଲା ।  ଏହି କ୍ଲିନିକ୍‌ ପାଇଁ ଡା. ଶଙ୍କର ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ପାଇ  ପାରିଥିଲେ । ଏହି କ୍ଲିନିକ୍‌କୁ ଇତିମଧ୍ୟରେ ଏହାକୁ ସାଢ଼େ ଚାରିବର୍ଷ ବିତିଲାଣି ।  ଆରମ୍ଭରୁ ଟଙ୍କାଟିଏରେ ରୋଗୀଙ୍କୁ ଚିକିତ୍ସାସେବା ପରେ ଚିକିତ୍ସା ସେବା ସହିତ ମାଗଣା ଔଷଧ, ମାଗଣା ଇସିଜି, ନେବୁଲାଇଜର, ଆଶାବାଡ଼ି ସେବା ଉପଲବ୍ଧ ହୋଇଛି ।