ବୋଲଗଡ,୧୧/୦୯: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ବାଂକୋଇ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବିବାଦ । ବୁଧବାର ବିଳମ୍ବିତ ରାତିରେ ଏକ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀକୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହା ପରେ ସ୍ଥାନୀୟ ବଡ଼କୁମାରୀ ହାଟବସ୍ତି ନିକଟରେ ଗୁଳିମାଡ଼ ମଧ୍ୟ ହୋଇଥିଲା । ଏଥିରେ ଗୁଳିମାଡ଼ରେ ଜଣେ ଗୁରୁତର ହେଇଥିବା ବେଳେ ଜଣେ ଆହତ ହୋଇଛନ୍ତି l
ସୂଚନା ମୁତାବକ, ବୁଧବାର ବିଳମ୍ୱିତ ରାତିରେ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଗୁଳିମାଡ଼ ଏବଂ ଖଣ୍ଡାରେ ଆକ୍ରମଣ ହୋଇଥିଲା । ଏଥିରେ ମାନସ ବେହେରା ଓ ଟୁଲୁ ପରିଡ଼ା ଆହତ ହୋଇଥିବା ଜଣାପଡିଛି l ଆହତଙ୍କୁ ପ୍ରଥମେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେଉଥିବାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ବୋଲଗଡ ଥାନା ଓ ବାଂକୋଇ ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି । ତେବେ କେଉଁ କାରଣରୁ ଏଭଳି ଗୋଷ୍ଠୀ ସଂଘର୍ଷ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । କଲେଜ ଗଣ୍ଡଗୋଳ ଓ ପୂର୍ବ ଶତ୍ରୁତାକୁ ନେଇ ଏଭଳି ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି ।