ନୂଆଦିଲ୍ଲୀ,୦୨/୦୮: ଅପରେସନ୍ ଅଖଲ୍ରେ ସୁରକ୍ଷାକର୍ମୀଙ୍କୁ ସଫଳତା । ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାବଳଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କୀ ନିହତ ହୋଇଛି । ଆଉ ୨ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଦକ୍ଷିଣ କାଶ୍ମୀର କୁଲଗାମ ଜିଲ୍ଲା ଅଖଲ ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ।
ଆତଙ୍କବାଦୀ ସୁରକ୍ଷାବାହିନୀ ଉପରେ ଗୁଳି ଚଳାଇଥିଲେ । ଏହା ପରେ ଜବାବ ଦେଇଥିଲେ ସେନା । ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । 'ଅପରେସନ୍ ଅଖଲ୍' ନାମରେ ଏହି ଏନକାଉଣ୍ଟର ହୋଇଛି । ଏଥିରେ ସୁରକ୍ଷାକର୍ମୀ ଗୁଳିରେ ଜଣେ ଆତଙ୍କୀ ନିପାତ ହୋଇଛି । ଶୁକ୍ରବାର ରାତି ତମାମ ତୀବ୍ର ଗୁଳି ବିନିମୟ ହୋଇଥିଲା । ସୈନ୍ୟମାନେ ଗୁଳିଚାଳନା କରି ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରିଥିଲେ । ଏହାପରେ ଏନକାଉଣ୍ଟର ହୋଇଥିଲା । ରିପୋର୍ଟ ଲେଖାଯିବା ସୁଦ୍ଧା ସୁରକ୍ଷାକର୍ମୀ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଅପରେସନ୍ ଅଖଲ ଜାରି ରହିଥିବା ସେନା ପକ୍ଷରୁ ସୂଚନା ମିଳିଛି ।
କହି ରଖୁଛି କି, ପହଲଗାମ ଆତଙ୍କୀ ହମଲା ପରେ ଜମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡା କଡି ହୋଇଛି । ଆତଙ୍କୀ କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି ସେନା । ଗତ ଜୁଲାଇ ୨୮ରେ ଦାଚିଗାମ ଜାତୀୟ ଉଦ୍ୟାନ ନିକଟସ୍ଥ ହରୱାନ ଅଞ୍ଚଳର ମୁଲନାରେ 'ଅପରେସନ୍ ମହାଦେବ'ରେ ୩ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା । ସେଥିରେ ପହଲଗାମ ହୋଇଥିବା ଭୟଙ୍କର ଆତଙ୍କୀ ହମଲାର ମୋଷ୍ଟୱାଣ୍ଟେଡ଼ ସୁଲେମାନ ଓରଫ ଆସିଫ ମୁସା ଓ ଅନ୍ୟ ଦୁଇ ଜଣ ଆତଙ୍କବାଦୀ ଜିବ୍ରାନ ଓ ହାମଜା ଆଫଗାନୀଙ୍କୁ ନିପାତ କରାଯାଇଥିଲା । ଜିବ୍ରାନ ସୋନାମାର୍ଗ ଟନେଲ ଆକ୍ରମଣ ସହ ଜଡ଼ିତ ଥିଲା । ସେହିପରି ଗତ ବୁଧବାର ପୁଞ୍ଚରେ ଏଲଓସି ନିକଟରେ ଆଉ ଦୁଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା । ଦୁଇ ଆତଙ୍କୀ ପାକିସ୍ତାନରୁ ଅନୁପ୍ରେବଶ କରିଥିଲେ । ଭାରତୀୟ ସୀମାରେ ପ୍ରବେଶ କରିବା ବେଳେ ସେମାନଙ୍କୁ ଅଟକାଯାଇଥିଲା ।