ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ଯୁଦ୍ଧକୁ ଆଜି ୧୦୦୦ ଦିନ ପୂରଣ ହୋଇଛି । ଏହି ଯୁଦ୍ଧ ୟୁରୋପର ସବୁଠାରୁ ଭୟଙ୍କର ସଂଘର୍ଷର ରୂପ ନେଇସାରିଛି । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏହା ସବୁଠୁ ବଡ଼ ସଂକଟ ଭାବେ ଉଭା ହୋଇଛି । ଋଷ-ୟୁକ୍ରେନ୍ ଯୁଦ୍ଧରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଫେବୃଆରୀ ୨୪, ୨୦୨୨ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଯୋଗୁଁ ୟୁକ୍ରେନ୍ର ନକ୍ସା ସଂପୂର୍ଣ୍ଣ ରୂପେ ବଦଳି ସାରିଛି । ବହୁ ଐତିହାସିକ ଅଟ୍ଟାଳିକା ମାଟିରେ ମିଶିଥିବା ବେଳେ ଅନେକ ସହର ନିଜର ଅସ୍ତିତ୍ବ ହରାଇଛନ୍ତି । ଋଷ ସେନାର ଘନ ଘନ ରକେଟ୍ ମାଡ଼ରେ ଆଖି ପିଛୁଳାକେ ୟୁକ୍ରେନବାସୀଙ୍କ ସ୍ବପ୍ନ ଛାରଖାର ହୋଇଯାଉଛି । ପ୍ରାୟ ୩ ବର୍ଷ ଧରି ଜାରି ରହିଥିବା ଏହି ଯୁଦ୍ଧ ତୀବ୍ରତା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି ।

ଆମେରିକୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଯୁଦ୍ଧରେ ଏବେ ସୁଦ୍ଧା ୮୦ ହଜାରରୁ ଅଧିକ ୟୁକ୍ରେନୀୟ ସୈନିକ ପ୍ରାଣ ହରାଇଛନ୍ତି । ୪ ଲକ୍ଷରୁ ଅଧିକ ସୈନିକ ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଭୂ-ରାଜନୈତିକ ସ୍ଥିତିକୁ ନେଇ ଆରମ୍ଭ ହୋଇଥିବା ଏହି ସଂଘର୍ଷ ଏବେ ସଂପୂର୍ଣ୍ଣ ବିଶ୍ବକୁ ପ୍ରଭାବିତ କରିଛି । କେବଳ ୟୁକ୍ରେନ୍ ନୁହେଁ, ସୈନ୍ୟ ଅଭିଯାନ ନାଁରେ ଯୁଦ୍ଧ ଆରମ୍ଭ କରିଥିବା ଋଷ ମଧ୍ୟ ବିଶେଷ କ୍ଷତି ସହିଛି । ଏପରିକି ଦୁଇ ଦେଶରେ ଜନସଂଖ୍ୟା ହ୍ରାସ ଦିଗରେ ଏହି ଯୁଦ୍ଧର ଭୂମିକାକୁ ଏଡ଼ାଇ ଦିଆଯାଇନପାରେ ।

ଜାତିସଂଘର ମାନବାଧିକାର ମିଶନ ଅନୁସାରେ, ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ୟୁକ୍ରେନ୍ରେ ପ୍ରାୟ ୧୧,୭୪୩ ନାଗରିକ ମୃତ୍ୟୁବରଣ କରିଥିଲେ ଏବଂ ୨୪, ୬୧୪ ଜଣ ଆହତ ହୋଇଥିଲେ । ପ୍ରକୃତରେ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ । ସେହିଭଳି ୫୮୯ ଶିଶୁ ମଧ୍ୟ ଯୁଦ୍ଧର ଶିକାର ହୋଇ ପ୍ରାଣ ହରାଇଛନ୍ତି । ସେପଟେ ଦୁଇ ଦେଶ ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ସୈନିକଙ୍କ ମୃତ୍ୟୁ ସଂଖ୍ୟା ପ୍ରଘଟ କରୁନାହାନ୍ତି । ହେଲେ ଫେବୃଆରୀ ୨୦୨୪ରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲନସ୍କି କହିଥିଲେ ଯେ, ୩୧ ହଜାରରୁ ଅଧିକ ୟୁକ୍ରେନୀୟ ସୈନିକ ପ୍ରାଣ ହରାଇଛନ୍ତି ।

ଋଷ-ୟୁକ୍ରେନ୍ ଯୁଦ୍ଧରରେ ସବୁଠୁ ଅଧିକ କ୍ଷତି ସହିଛି ୟୁକ୍ରେନ୍ । ୟୁକ୍ରେନ୍ର ଅର୍ଥବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ଦେଶ ନିଜର ଅସ୍ତିତ୍ବ ବଞ୍ଚାଇବା ଲାଗି ସଂଘର୍ଷ କରୁଛି । ଗୋଟିଏ ସମୟରେ ୟୁକ୍ରେନ୍ ଋଷ ସାମ୍ରାଜ୍ୟର ଅଂଶ ଥିଲା । ଋଷ ରାଷ୍ଟ୍ରପତି ପୁଟିନ୍ ଅନେକ ଥର କହିଛନ୍ତି, ୟୁକ୍ରେନ୍କୁ ଋଷରେ ପୁଣି ଥରେ ସାମିଲ କରିବା ତାଙ୍କର ଲକ୍ଷ୍ୟ । ୟୁକ୍ରେନର ଅସ୍ତିତ୍ବକୁ ଅସ୍ବୀକାର କରିଆସିଥିବା ପୁଟିନ୍ ୟୁକ୍ରେନୀୟ ପ୍ରକୃତରେ ଋଷର ନାଗରିକ ବୋଲି ଦାବି କରିଆସିଛନ୍ତି । ଋଷ ଓ ୟୁକ୍ରେନ ଯୁଦ୍ଧ, କେବଳ ଲକ୍ଷାଧିକ ଲୋକଙ୍କ ଜୀବନ ନେଇ ନାହିଁ ବରଂ ଦୁଇ ଦେଶର ଜନସଂଖ୍ୟା, ଅର୍ଥ ବ୍ୟବସ୍ଥା ଏବଂ ସାମାଜିକ ସ୍ଥିତିକୁ ଅତି ଗମ୍ଭୀର ଭାବରେ ପ୍ରଭାବିତ କରିଛି । ଏହି ଯୁଦ୍ଧ ଏକ ନୂଆ ବୈଶ୍ବିକ ସଙ୍କଟକୁ ଜନ୍ମ ଦେଇଛି ।