କଟକ,୦୨/୦୩ ଗାଡ଼ି ଉପରେ ଜରିମାନା କଟାଯାଉଥିଲାବେଳେ ଏହାକୁ ଗାଡ଼ି ମାଲିକମାନେ ଦେଉନଥିଲେ । ଏଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ୱାନ୍ ଟାଇମ୍ ସେଟେଲ୍ମେଣ୍ଟ୍ (ଓଟିଏସ୍) ବ୍ୟବସ୍ଥା କରାଯାଇଥିଲା । ଜରିମାନା ଅର୍ଥକୁ ଧାର୍ଯ୍ୟ ସମୟ ମଧ୍ୟରେ ଦେଇଦେଲେ ୫୦% ଜରିମାନା ଅର୍ଥ ଛାଡ଼୍ କରାଯିବ ବୋଲି ଘୋଷଣା ହୋଇଥିଲା ।
ଗତ ୫ମାସ ତଳେ ଏହି ଓଟିଏସ୍ ସ୍କିମ୍ ଲାଗୁ ହୋଇଥିଲାବେଳେ ଇତିମଧ୍ୟରେ ମାତ୍ର ୧୦% ଜରିମାନା ଅର୍ଥ ଆଦାୟ ହୋଇଛି । ଅର୍ଥାତ ପ୍ରାୟ ୧୩୦୦ କୋଟି ଟଙ୍କାର ଜରିମାନା ଅର୍ଥରୁ ମାତ୍ର ଶହେ କୋଟି ଟଙ୍କା ଆଦାୟ ହୋଇଛି । ଲୋକେ ଜରିମାନା ଦେବାକୁ ଚାହୁଁଥିଲେ ମଧ୍ୟ ଏହାର ପରିଶୋଧ ପାଇଁ ଯେଉଁ ଗୋଲକଧନ୍ଦା ସୃଷ୍ଟି କରାଯାଇଛି ତାହା ଏବେ ଚିନ୍ତାର କାରଣ ହୋଇଛି । ପ୍ରଥମେ ପରିବହନ ବିଭାଗ ପକ୍ଷରୁ ଗତ ସେପ୍ଟେମ୍ବର ୧୭ରେ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୭ଟି ଏମ୍ଭି ଆକ୍ଟରେ କଟାଯାଇଥିବା ଚାଲାଣ କ୍ଷେତ୍ରରେ ୫୦% ଜରିମାନା ଛାଡ଼୍ କରାଯିବ ବୋଲି କୁହାଯାଇଥିଲା । ପରେ ଆଉ ୭ଟି ଏମ୍ଭି ଆକ୍ଟକୁ ସାମିଲ୍ କରାଯାଇଥିଲା । ବସ୍ ମାଲିକମାନଙ୍କ ଦାବି ପରେ ପରମିଟ୍ ଏବଂ ଫିଟ୍ନେସ୍ କଟାଯାଇଥିବା ଜରିମାନାକୁ ମଧ୍ୟ ଓଟିଏସ୍ରେ ସାମିଲ୍ କରାଯାଇଥିଲା । ଓଟିଏସ୍ରେ ପ୍ରାୟ ୧୩ ଶହ କୋଟି ଟଙ୍କାର ଜରିମାନା ଆଦାୟ ହେବ ବୋଲି ଆଶା କରାଯାଉଥିଲା । ଅବଶ୍ୟ ଏଥିରୁ ୨୦% ଚାଲାଣ କୋର୍ଟକୁ ଚାଲିଯାଇଛି । ଅର୍ଥାତ ଏହି ସ୍କିମ୍ରେ ଆଉ ୯ ଶହ କୋଟି ଟଙ୍କା ଆଦାୟ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।
ଆଦାୟ ଶହେ କୋଟିରୁ ପରମିଟ୍ ଏବଂ ଫିଟ୍ନେସ୍ ବାବଦରେ ପ୍ରାୟ ୪ ଶହ କୋଟି ଟଙ୍କାର ଜରିମାନା ଅର୍ଥ ଆଦାୟ ପାଇଁ ରହିଛି । ଏହାକୁ ଓଟିଏସ୍ରେ ସାମିଲ କରାଯିବା ପରେ ମଧ୍ୟ ଏଥିରୁ ମାତ୍ର ୨% ଆଦାୟ କରାଯାଇଛି । ମାର୍ଚ୍ଚ ଶେଷ ପରେ ଓଟିଏସ୍ ସ୍କିମ୍ ସୁବିଧା ମିଳିବ ନାହିଁ । ୫ମାସରେ ମାତ୍ର ୧୦% ଆଦାୟ ହୋଇଥିବାବେଳେ ଗୋଟିଏ ମାସରେ କିପରି ବାକି ୯୦% ଜରିମାନା ଆଦାୟ ହେବ ତାହା ଏବେ ପରିବହନ ବିଭାଗର ମୁଣ୍ଡବିନ୍ଧାର କାରଣ ହୋଇଛି ।
ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ଜରିମାନା ଦେବାକୁ ଅନେକ ଲୋକ ଆଗ୍ରହୀ । କିନ୍ତୁ ଜରିମାନା ଅର୍ଥ କେଉଁଠି, କାହାକୁ ଏବଂ କେଉଁ ପ୍ରକ୍ରିୟାରେ ଦିଆଯିବ ତାକୁ ନେଇ ଲୋକେ ଅଡ଼ୁଆରେ । ଜରିମାନା ତିନୋଟି ବାଟରେ ଦିଆଯାଉଛି । ଗୋଟେ ଜରିମାନା କଟାଯିବା ପରେ ତାହା କୋର୍ଟକୁ ଚାଲିଯାଇଛି । କୋର୍ଟରେ ମାମଲାର ଶୁଣାଣି ପରେ ଯାହା ରାୟ ଆସିବ ସେହି ଆଧାରରେ ଲୋକେ ସେମାନଙ୍କ ଚାଲାଣ ଅର୍ଥ ଦେବେ । କିନ୍ତୁ କୋର୍ଟରେ ଚାଲିଥିବା ଏହିସବୁ ମାମଲା ଉପରେ ବିଶେଷ ପଦକ୍ଷେପ ନିଆଯାଇ ପାରୁ ନାହିଁ । ଏପରିକି ରାଜ୍ୟ ସରକାର କୋର୍ଟରେ ଥିବା ଚାଲାଣକୁ ବିଭିନ୍ନ ଆର୍ଟିଓକୁ ଫେରସ୍ତ(ରିଟ୍ରାଇଭ୍) ଆଣି ପରିଶୋଧ କରିବାର ଏକ ବ୍ୟବସ୍ଥା କରାଯାଉଛି ବୋଲି ସୂଚନା ଦେଇଥିଲେ । କିନ୍ତୁ ଏହି ଯୋଜନା ସଫଳ ହୋଇପାରି ନାହିଁ । ଏବେ ବି ଲୋକେ କୋର୍ଟକୁ ଚାଲିଯାଇଥିବା ଚାଲାଣକୁ ନେଇ ସନ୍ଦେହରେ ଅଛନ୍ତି । ଏହିସବୁ କେସ୍ରେ ଆରଟିଓକୁ ଯାଇ ଲୋକ ନିରାଶ ହୋଇ ଫେରୁଛନ୍ତି ।
ଦ୍ୱିତୀୟରେ ରହିଛି ଭର୍ଚୁଆଲ୍ ଚାଲାଣ ଅର୍ଥାତ ଏଗୁଡିକ ବିଭିନ୍ନ ଟ୍ରାଫିକ୍ ପୋଷ୍ଟ୍ ବା ପୁଲିସ୍ ଦ୍ୱାରା କଟାଯାଇଥିବା ଚାଲାଣ । ଏହି ଚାଲାଣକୁ କେଉଁଠି ଏବଂ କିପରି ପରିଶୋଧ କରିବେ ତାକୁ ନେଇ ଚିନ୍ତାରେ ଲୋକେ । ଶେଷରେ ଆଉ କିଛି ଚାଲାଣ ବିଭିନ୍ନ ଆର୍ଟିଓଙ୍କ ପାଖରେ ରହିଯାଇଛି । ଆର୍ଟିଓ କାର୍ଯ୍ୟାଳୟକୁ ଯାଇ ଏହି ଜରିମାନା ପରିଶୋଧ କରିବାକୁ ପଡ଼ୁଛି । ଏସବୁ ପ୍ରକ୍ରିୟାର ଜଟିଳତା ଯୋଗୁଁ ଲୋକେ ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟ ଘୂରି ବୁଲୁଛନ୍ତି । ଫଳରେ ଆଗ୍ରହ ଥାଇ ସୁଦ୍ଧା ଲୋକେ ଏହାକୁ ପରିଶୋଧ କରିପାରୁ ନାହାନ୍ତି । ଏସ୍ଟିଏ ଯୁଗ୍ମ କମିଶନର ସମରେନ୍ଦ୍ର ପଟ୍ଟନାୟକ କହିଛନ୍ତି, ଜରିମାନା ପରିଶୋଧ ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ବିଭିନ୍ନ ଆର୍ଟିଓରେ ଜଣେ କର୍ମଚାରୀ କେବଳ ଏହି କାର୍ଯ୍ୟ ପାଇଁ ରହିଛନ୍ତି । ଏମାନେ ଆର୍ଟିଓକୁ ଆସୁଥିବା ଲୋକଙ୍କୁ ଜରିମାନା ପରିଶୋଧର ବାଟ ଦେଖାଉଛନ୍ତି ।
ଅଧିକ ପଢ଼ନ୍ତୁ :- ଚନ୍ଦ୍ରଗ୍ରହଣ ପାଇଁ ମାରା ହେଲା ଦୋଳ ପୂର୍ଣ୍ଣିମା; ଜାଣନ୍ତୁ କେତେବେଳେ ହାଣ୍ଡିଛାଡ଼ ଓ ପାକତ୍ୟାଗ…