ବାଲେଶ୍ୱର, ୨୨।୪: ଠିକ୍ ବର୍ଷକ ତଳେ ଜମ୍ମୁ-କାଶ୍ମୀରର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପରିବାର ସହ ଯାଇଥିଲେ । କିନ୍ତୁ କିଏ ଜାଣିଥିଲା ପର୍ଯ୍ୟଟନସ୍ଥଳୀର ସେଇ ମନୋରମ ପରିବେଶ ରକ୍ତରେ ଭିଜିଯିବ ଏବଂ ହସୁଥିବା ଖେଳୁଥିବା ସଂସାର ଉପରେ ଆତଙ୍କବାଦୀଙ୍କ କଳାଛାଇ ପଡ଼ିବ । ଆଜି ସେହି କାଳରାତ୍ରିକୁ ବର୍ଷେ ପୂରିଛି । କିନ୍ତୁ, ଆଜି ବି ସରକାରୀ ପ୍ରତିଶ୍ରୁତିର ବାଟ ଚାହିଁ ବସିଛନ୍ତି ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କ ପରିବାର । ୨୦୨୫ ଏପ୍ରିଲ୍ ୨୨ ତାରିଖ । ଜମ୍ମୁକାଶ୍ମୀରର ପହଲଗାମଠାରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀମାନେ ଅତର୍କିତ ଗୁଳିଚାଳନା କରିଥିଲେ । ଏହି ଭୟଙ୍କର ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ବାଲେଶ୍ୱର ସହର ଉପକଣ୍ଠ ଇଶାଣୀ ଗ୍ରାମର ପ୍ରଶାନ୍ତ ଶତପଥୀ । ସ୍ତ୍ରୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜଙ୍କ ସହିତ ସେ ବୁଲିବାକୁ ଯାଇଥିଲେ, କିନ୍ତୁ ଜନ୍ମମାଟିକୁ ଫେରିଲେ ଶବ ହୋଇ । ସେହି ଦିନଠାରୁ ପରିବାର ପାଇଁ ସମୟ ସେଇଠି ଅଟକି ଯାଇଛି ବୋଲି ପ୍ରଶାନ୍ତଙ୍କ ସ୍ତ୍ରୀ କହିଛନ୍ତି । 

ମିଳିଲାନି ଚାକିରି, ପୁଅର ଭବିଷ୍ୟତକୁ ନେଇ ଚିନ୍ତା:

ପ୍ରଶାନ୍ତଙ୍କ ଅନ୍ତିମ ସଂସ୍କାର ସମୟରେ ଖୋଦ୍ ମୁଖ୍ୟମନ୍ତ୍ରୀ ସାମିଲ ହୋଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ବଡ଼ ଘୋଷଣା କରିଥିଲେ । ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କାର ତୁରନ୍ତ ସହାୟତା ମିଳିଥିଲା । ଏହାସହ ପ୍ରଶାନ୍ତଙ୍କ ପତ୍ନୀ ପ୍ରିୟଦର୍ଶିନୀଙ୍କୁ ସରକାରୀ ଚାକିରି ଏବଂ ପୁଅ ତନୁଜଙ୍କ ପାଠପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ତେବେ ଘଟଣାକୁ ବର୍ଷେ ବିତିଯାଇଥିଲେ ହେଁ, ସରକାର ନିଜ ପ୍ରତିଶ୍ରୁତି ରକ୍ଷା କରିନାହାନ୍ତି । ପ୍ରିୟଦର୍ଶିନୀ ଫିଜିକ୍ସରେ ସ୍ନାତକ ସହ ଏମ୍‌ବିଏ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କୁ କୌଣସି ନିଯୁକ୍ତି ମିଳିନାହିଁ । "ଚାକିରିର ଆଶା ଧିରେ ଧିରେ ମଉଳି ଯାଉଛି, ମୋର ଓ ପୁଅର ଭବିଷ୍ୟତ କେମିତି ହେବ ସେଇ ଚିନ୍ତାରେ ଦିନ କଟୁଛି" ବୋଲି ଅତ୍ୟନ୍ତ ଦୁଃଖର ସହ ପ୍ରିୟଦର୍ଶିନୀ କହିଛନ୍ତି ।

ଗାଁରେ ଶ୍ରାଦ୍ଧବାର୍ଷିକୀ ଆୟୋଜିତ:

ବୁଧବାର ଇଶାଣୀ ଗ୍ରାମରେ ପ୍ରଶାନ୍ତ ଶତପଥୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ ହେଉଛି । ଗ୍ରାମବାସୀ ଏବଂ ପରିବାର ଲୋକେ ତାଙ୍କର ସ୍ମୃତି ଚାରଣ କରିଛନ୍ତି । ଆତଙ୍କବାଦୀ ଆକ୍ରମଣରେ ଜଣେ ସାଧାରଣ ନାଗରିକଙ୍କ ଜୀବନ ଯିବା ପରେ ସରକାର ପ୍ରଶାସନିକ ସ୍ତରରେ ଯେଉଁ ତତ୍ପରତା ଦେଖାଇବା କଥା, ତାହା ଏଠାରେ ଦେଖିବାକୁ ମିଳୁନି । ରାଜନୈତିକ ସହାୟତା କେବଳ ପ୍ରତିଶ୍ରୁତିରେ ସୀମିତ ରହିଗଲା କି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ପରିବାରକୁ ଉପଯୁକ୍ତ ନ୍ୟାୟ ଏବଂ ସହାୟତା ମିଳିବା ଏକ ଗଣତାନ୍ତ୍ରିକ ସରକାରର ମୌଳିକ କର୍ତ୍ତବ୍ୟ । ପ୍ରିୟଦର୍ଶିନୀଙ୍କ ଭଳି ଉଚ୍ଚଶିକ୍ଷିତ ମହିଳାଙ୍କୁ ଚାକିରି ପ୍ରଦାନ କରିବାରେ ବିଳମ୍ବ ହେବା ଦୁର୍ଭାଗ୍ୟଜନକ । ଆଶା କରାଯାଉଛି, ସରକାର ଖୁବଶୀଘ୍ର ଏହି ବିଷୟରେ ଦୃଷ୍ଟି ଦେବେ ।

ଆହୁରି ପଢ଼ନ୍ତୁ... ​​​​​​​ଖରିଫ୍ ଋତୁ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ଚାଷୀଙ୍କୁ ମିଳିବ ୧୧,୫୦୦ କୋଟି ଟଙ୍କାର ଋଣ

​​​​​​​