ପଶ୍ଚିମ ଚମ୍ପାରନ,୨୭/୦୭: ବିହାର, ପଶ୍ଚିମ ଚମ୍ପାରନ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବର୍ଷକର ଶିଶୁ ସାପକୁ କାମୁଡ଼ିବା ପରେ ସାପ ମରିଯାଇଛି । ଏହି ଅଜବ ମାମଲା ମଝୌଲିୟା ଉପଖଣ୍ଡର ମୋହଚ୍ଛୀ ବାଙ୍କଟୱା ଗାଁର । ଗୋବିନ୍ଦ କୁମାର ନାମକ ବର୍ଷକର ଶିଶୁ ଏକ ବିଷଧର ନାଗ ସାପକୁ କାମୁଡ଼ି ମାରି ଦେଇଛି । ଘଟଣାଟି ସ୍ଥାନୀୟ ବାସିନ୍ଦା ଓ ଡାକ୍ତରଙ୍କୁ ଚକିତ କରିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଶିଶୁଟି ଘରେ ଖେଳୁଥିଲା । ହଠାତ୍ ଏକ ସାପ କେଉଁଠୁ ଚାଲିଆସିଲା, ଯାହାକୁ ସେ ଧରିପକାଇଲା । ତା’ର ଜେଜେମା’ ଦେଖିବା ବେଳକୁ ଗୋବିନ୍ଦ ସାପକୁ ଚୋବାଇ ଦେଇଥିଲା । ଘଟଣାସ୍ଥଳରେ ସାପର ମୃତ୍ୟୁ ହେଲା । ଅନ୍ୟପକ୍ଷେ, ଗୋବିନ୍ଦ ଅଚେତ୍ ହୋଇ ତଳେ ପଡ଼ିଗଲା । ପରିଜନ ତାକୁ ତୁରନ୍ତ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଲେ । ଶିଶୁକୁ ବେତିଆ ସ୍ଥିତ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଗଲା ।
ହସ୍ପିଟାଲର ଅଧୀକ୍ଷକ ଡା. ଦୁର୍ବାକାନ୍ତ ମିଶ୍ରା କହିଛନ୍ତି, ଶିଶୁକୁ ଅବ୍ଜର୍ଭେସନ୍ରେ ରଖାଯାଇଛି । ଡାକ୍ତର ତା’ଉପରେ ନଜର ରଖିଛନ୍ତି । ଯଦି ବିଷର କୌଣସି ଲକ୍ଷଣ ସାମ୍ନାକୁ ଆସେ,ତେବେ ତୁରନ୍ତ ତା’ର ଚିକିତ୍ସା କରାଯିବ ।ବର୍ତ୍ତମାନ ତା’ର ସ୍ଥିତି ସ୍ଥିର ଅଛି । ଏହି ଘଟଣା କେବଳ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ତାହା ନୁହେଁ, ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।