ଭୁବନେଶ୍ୱର,୧୭/୧୧: ଏଣିକି  ନିଯୁକ୍ତିଭିତ୍ତିକ ପରୀକ୍ଷା ପାଇଁ ହଇରାଣ ହେବେନି ଗରିବ ମେଧାବୀ ଛାତ୍ର । ସେମାନେ ଘରେ ବସି ପାଇବେ କୋଚିଂ । ଏଆଇ ବେସଡ୍‌ କୋଚିଂ  ଦିଆଯିବ । ସମସ୍ତ ପ୍ରକାରର ଦ୍ୱନ୍ଦକୁ ଦୂର କରାଯିବ ।  ଏପରି ବ୍ୟବସ୍ଥା କରୁଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ଯେଉଁଥିରେ ୨୦୨୯ ସୁଦ୍ଧା ପ୍ରାୟ ୧୨.୫ ଲକ୍ଷ ପିଲାଙ୍କୁ  ଯୋଡ଼ାଯିବ । କୋଚିଂ ଦିଆଯିବ । 

ଘରୋଇ କୋଚିଂ ସେଣ୍ଟରରେ ପଢ଼ିପାରୁନଥିବା ଗରିବ ମେଧାବୀ ଶିକ୍ଷାର୍ଥୀଙ୍କୁ ପ୍ରତିଯୋଗିତା ମୂଳକ  ପରୀକ୍ଷା ପାଇଁ ଦକ୍ଷ କରିବା ଲାଗି ପ୍ରୟାସ କରୁଛି ଶିକ୍ଷା  ମନ୍ତ୍ରଣାଳୟ । ଡିଜିଟାଲ ଲର୍ଣ୍ଣିଂକୁ ଗୁରୁତ୍ୱ ଦେଇ ସାଥୀ  ପୋର୍ଟାଲ୍‌କୁ ଆହୁରି ଅଧିକ ତ୍ୱରାନ୍ୱିତ କରାଯିବ ।  ଏଥିରେ ମାଗଣା ଡିଜିଟାଲ ରିସୋର୍ସକୁ ଅଧିକ  ତ୍ୱରାନ୍ୱିତ କରାଯିବ। ଏଆଇ ବେସଡ୍‌ ଲର୍ଣ୍ଣିଂ ଟୁଲ୍‌  ବ୍ୟବହାର ହେବ । ଆଇଆଇଟି ଏବଂ ଏମ୍‌ସ ଭଳି ସଂସ୍ଥାର ଏକ୍ସପର୍ଟମାନେ ଏଥିରେ ଯୋଡ଼ି ହେବେ । ଇଞ୍ଜିନିୟରିଂ, ମେଡିକାଲ୍‌, ଏସ୍‌ଏସ୍‌ସି, ବ୍ୟାଙ୍କିଙ୍ଗ୍‌,  ଆଇସିଏଆର୍‌, ସିୟୁଇଟି ଭଳି ପ୍ରତିଯୋଗିତାମୂଳକ  ପରୀକ୍ଷା ପାଇଁ ଏହା ସହାୟକ ହେବ। ଏଥିରେ  ଆସୁଥିବା ପ୍ରଶ୍ନର ସମାଧାନକୁ ଏଆଇ ଦ୍ୱାରା ବୁଝାଇ  ଦିଆଯିବ । ଲାଇଭ୍‌ ଷ୍ଟ୍ରିମିଙ୍ଗ୍‌ କ୍ଲାସ୍‌ ହେବ । କେବଳ  ଏତିକି ନୁହେଁ ଡାଉଟ୍‌ କ୍ଲିୟରିଂ କ୍ଲାସ୍‌ (ଦ୍ୱନ୍ଦ ଥିବା  ପାଠକୁ) ଦିଆଯିବ । ପିଲାର ଯେପରି କିଛି ସମସ୍ୟା ନରୁହେ ସେଥିପ୍ରତି ଧ୍ୟାନ ଦିଆଯିବ । ଯାହା ଜାତୀୟ  ଶିକ୍ଷା ନୀତି ୨୦୨୦କୁ ଆଧାର କରି କରାଯିବ ।