ନୂଆଦିଲ୍ଲୀ,୧୫।୧୨: ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣ ଓ ଖରାପ ଏୟାର କ୍ବାଲିଟିକୁ ଦେଖି ସରକାରଙ୍କ ବଡ଼ ନିଷ୍ପତ୍ତି। ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୋମବାର ନୂଆ ନିର୍ଦେଶ ଜାରି କରାଯାଇଛି। ଏବେ ନର୍ସରୀଠାରୁ ନେଇ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସ୍କୁଲ ବନ୍ଦ ରହିବ। ଏବେ ସେମାନେ ଘରେ ରହି ଅନଲାଇନ୍ ପଢିବେ। ଜାରି ନିର୍ଦେଶ ଅନୁସାରେ, ଦିଲ୍ଲୀର ସବୁ ସରକାରୀ , ସହାୟତା ପ୍ରାପ୍ତ ଓ ମାନ୍ୟତା ପ୍ରାପ୍ତ ଘରୋଇ ସ୍କୁଲରେ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ଅନଲାଇନ୍ ମୋଡରେ ପଢାଯିବ।
ଶିକ୍ଷା ବିଭାଗ ସ୍ପଷ୍ଟ ଭାବରେ କହିଛି ସବୁ ସ୍କୁଲର ପ୍ରିନ୍ସପାଲ ଏହା ନିଶ୍ଚିତ କରନ୍ତୁ ଯେ, ପିଲାଙ୍କ ପାଠପଢା ଅନଲାଇନ୍ ମାଧ୍ୟମରେ ଚାଲିଛି। ଯାହାଫଳରେ ତାଙ୍କ ପାଠପଢା ପ୍ରଭାବିତ ହେବ ନାହିଁ। ଏହା ସହ ତୁରନ୍ତି ଅବିଭାବକ ଓ ପିଲାଙ୍କ ପର୍ଯ୍ୟନ୍ତ ଏହି ନିର୍ଦେଶ ପହଁଞ୍ଚାବାକୁ ମଧ୍ୟ କହିଛନ୍ତି।
ତେବେ ସ୍ପଷ୍ଟ ନିର୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ, ଷଷ୍ଠ ଶ୍ରେଣୀ ଓ ତା ଉପର ଶ୍ରେଣୀର ପିଲାଙ୍କୁ ପାଠପଢା ପୂର୍ବ ଗାଇଡଲାଇନ ଅନୁସାରେ ଚାଲିବ। ଏ ସମ୍ପର୍କରେ ୧୩ ଡିସେମ୍ବର ୨୦୨୫ ରେ ଜାରି ସର୍କୁଲାର ଅନୁସାରେ ନିର୍ଦେଶ ଜାରି ରହିବ। ଉଲ୍ଲେଖନୀୟ ଯେ, ପଞ୍ଚମଶ୍ରେଣୀରୁ ନେଇ ନବମ ଓ ଏକାଦଶ ଶ୍ରେଣୀର ଛାତ୍ର/ଛାତ୍ରୀଙ୍କ ହାଇବ୍ରିଡ୍ ମୋଡ୍ରେ କ୍ଲାସ ଚାଲିବ।