ରାଜଗାଙ୍ଗପୁର,୦୯/୦୯: ରାଜଗାଙ୍ଗପୁର ସହରରେ ଚାଲିଥିଲା ଅନ୍‌ଲାଇନ୍‌ ଜୁଆ । ଯାହାର ପର୍ଦାଫାସ କରିଛି ରାଜଗାଙ୍ଗପୁର ପୁଲିସ୍‌ । ୫ ଜଣଙ୍କୁ ଧରିବା ସହ ୧୯ଟି ମୋବାଇଲ ଫୋନ, ୨ଟି ଲାପଟପ  ଓ ସିମ୍‌ କାର୍ଡ ଜବତ କରିଛି ପୁଲିସ୍‌ । ସହରର ଏକ ଭଡ଼ା ଘରେ ନେଇ  ଚଳାଇ ଥିଲେ ଅନ୍‌ଲାଇନ୍‌ ଜୁଆ ଖେଳ ।  କ୍ରିକେଟ୍‌, ଫୁଟ୍‌ବଲ, ଘୋଡ଼ାଦୌଡ଼ ଭଳି  ବିଭିନ୍ନ ଜୁଆ ଖେଳ ଯୋଗେ ମହାଦେବ ଆପ୍‌ରେ ଅନ୍‌ଲାଇନ୍‌ ଯୋଗେ ବାଜି  ଲଗାଇ ଆକାଉଣ୍ଟ ଜରିଆରେ ଲୋକଙ୍କ ଠାରୁ ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । ପୁଲିସ୍‌  ୫ ଜଣଙ୍କୁ ଗିରଫ କରିବା ପରେ ଏହା  ଲୋକଲୋଚନକୁ ଆସିଛି । ଅଭିଯୁକ୍ତମାନେ  ମଧ୍ୟପ୍ରଦେଶ ଭୋପାଳର କୋଲାର ରୋଡ୍‌ର  ସୋନଦୁପାଲି ଜଗଦୀଶ (୨୪), ଛତିଶଗଡ଼  ରାଏପୁର ଗୁଡ଼ାରି ଅଞ୍ଚଳର ଆୟୁଷ  ବାମ୍ବେକର (୧୯), ଦୁର୍ଗ ଭିଲାଇ ଖୁସିପରା  ଅଞ୍ଚଳର ମଧୁ କାର୍ତ୍ତିକ (୨୦), ମହେନ୍ଦ୍ର  ଗେଦାମ (୨୦) ଏବଂ ସୁନ୍ଦରଗଡ଼ ବଡ଼ଗାଁ  ଗଙ୍ଗାଜଳ ଅଞ୍ଚଳର ପ୍ରଦୀପ ଯାଦବ (୨୦)  ।

ରାଜଗାଙ୍ଗପୁର ଏସ୍‌ଡିପିଓ ବିଭୂତି ଭୂଷଣ  ଭୋଇଙ୍କ ସୂଚନା ମୁତାବକ ଦୀର୍ଘ ତିନିମାସ  ହେବ ଏହି ଅଭିଯୁକ୍ତମାନେ ରାଜଗାଙ୍ଗପୁର  ଷ୍ଟେସନପଡ଼ାରେ ଏକ ଭଡ଼ା ଘର ନେଇ ଏହି କାରବାର ଚଳାଇ ଆସୁଥିଲେ । ଏସ୍‌ପିଙ୍କ ନିର୍ଦ୍ଦେଶରେ ରାଜଗାଙ୍ଗପୁର ଥାନା  ଅଧିକାରୀ ବିଜୟ ଦାଶ, ସବଇନ୍ସପେକ୍ଟର  ପ୍ରଜ୍ଞା ପ୍ରୀତମ ଜେନା, ରାଜେଶ ସେଠୀ, ଅରୁଣ ବେହେରା ସେମାବାର ସକାଳୁ  ସେହି ଭଡ଼ା ଘରେ ଚଢ଼ାଉ କରିଥିଲେ ।  ଏହି ଅନ୍‌ଲାଇନ୍‌ ଜୁଆ ଖେଳରେ ଲକ୍ଷ ଲକ୍ଷ  ଟଙ୍କାର କାରବାର ହୋଇଥିବା ଜାଣିବାକୁ  ପାଇଛି ପୁଲିସ୍‌ । ଅଭିଯୁକ୍ତମାନଙ୍କୁ ଗିରଫ  କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି  ରାକେଟରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ତାର  ତଦନ୍ତ ଚାଲିଥିବ।। ଏସ୍‌ଡିପିଓ କହିଛନ୍ତି ।