ନୂଆଦିଲ୍ଲୀ,୧୬/୦୪: ଶାନ୍ତି ଶୃଙ୍ଖଳା ରକ୍ଷା ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ଭଲ ପ୍ରଦର୍ଶନ କରିଛନ୍ତି । ଆଜି ପ୍ରକାଶିତ ଇଣ୍ଡିଆ ଜଷ୍ଟିସ ରିପୋର୍ଟ ୨୦୨୫ରେ ଏହି ତଥ୍ୟ ଦିଆଯାଇଛି । ଉତ୍ତମ ପ୍ରଦର୍ଶନ ସହ କର୍ଣ୍ଣାଟକ ଶୀର୍ଷରେ ଥିଲା ବେଳେ ଏହା ତଳକୁ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କେରଳ ଓ ତାମିଲନାଡୁ ଅଛି । ୧୮ଟି ବଡ଼ ଓ ମଧ୍ୟମ ଆକାର ରାଜ୍ୟ ତାଲିକାରେ ପଶ୍ଚିମବଙ୍ଗ ସବୁଠାରୁ ତଳେ ରହିଛି । ଓଡ଼ିଶା ଏହି ତାଲିକାର ୮ ନମ୍ବର ସ୍ଥାନରେ ରହିଛି । ଟାଟା ଟ୍ରଷ୍ଟର ତତ୍ତ୍ୱାବଧାନରେ ଏହି ରିପୋର୍ଟ ପ୍ରକାଶ କରାଯାଇଛି । ଏଥିରେ ସେଣ୍ଟର ଫର ସୋସିଆଲ ଜଷ୍ଟିସ, କମନ କଜ୍, କମନୱୋଲ୍ଡ ହ୍ୟୁମାନ ରାଇଟ୍ସ ଇନିସିଏଟିଭ୍, ଦକ୍ଷ, ତିସ୍-ପ୍ରୟାସ ଏବଂ ବିଧି ସେଣ୍ଟର ଫର ଲିଗାଲ ପଲିସି ସହଯୋଗ କରିଛନ୍ତି ।
ପ୍ରଥମ ରିପୋର୍ଟ ୨୦୧୯ରେ ପ୍ରକାଶ ପାଇଥିଲା ବେଳେ ୨୦୨୨ରେ ଦ୍ୱିତୀୟ ରିପୋର୍ଟ ଓ ୨୦୨୩ରେ ତୃତୀୟ ରିପୋର୍ଟ ଜାରି କରାଯାଇଥିଲା । ରାଜ୍ୟମାନଙ୍କର ପ୍ରଦର୍ଶନ ୪ଟି ମାନଦଣ୍ଡକୁ ନେଇ ସ୍ଥିର କରାଯାଇଛି । ସେଥିରେ ଶାନ୍ତି ଶୃଙ୍ଖଳା ରକ୍ଷା, ଜେଲ୍ ପରିଚାଳନା, ନ୍ୟାୟ ପ୍ରଦାନ ଓ ଆଇନଗତ ସହାୟତା ସାମିଲ ଅଛି । ୨୦୨୨ରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ଥିଲା ବେଳେ ଚଳିତ ବର୍ଷ ତାହା ବଜାୟ ରଖିଛି । ଆନ୍ଧ୍ରପ୍ରଦେଶ ୨୦୨୨ରେ ପଞ୍ଚମ ସ୍ଥାନରେ ଥିବା ବେଳେ ଚଳିତବର୍ଷ ୨ୟକୁ ଉଠିଛି । ତେଲଙ୍ଗାନା ପୂର୍ବଥର ଭଳି ଏଥର ତୃତୀୟ ସ୍ଥାନ ବଜାୟ ରଖିଛି।
କେରଳ ୨୦୨୨ରେ ଷଷ୍ଠ ସ୍ଥାନରେ ରହିଥିଲା । ଏଥର ୪ର୍ଥ ସ୍ଥାନକୁ ଉଠିଛି । ତାମିଲନାଡୁର ପ୍ରଦର୍ଶନ ଚଳିତଥର ଖରାପ ହୋଇଛି । ୨୦୨୨ରେ ଏହା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଏଥର ୫ମ ସ୍ଥାନକୁ ଖସିଯାଇଛି । ଛତିଶଗଡ଼ର ପ୍ରଦର୍ଶନ ଭଲ ରହିଛି । ଏହା ନବମ ସ୍ଥାନରୁ ଷଷ୍ଠ ସ୍ଥାନକୁ ଉଠିଛି । ମଧ୍ୟପ୍ରଦେଶ ସାମାନ୍ୟ ଅଗ୍ରଗତି କରିଛି । ୨୦୨୨ରେ ଏହା ଅଷ୍ଟମ ସ୍ଥାନରେ ଥିବା ବେଳେ ଏଥର ସପ୍ତମକୁ ଆସିଛି । ଓଡ଼ିଶାର ପ୍ରଦର୍ଶନ ମଧ୍ୟ ଭଲ ରହିଛି । ୨୦୨୨ରେ ଏହା ୧୧ତମ ସ୍ଥାନରେ ଥିଲା । ଏଥର ଅଷ୍ଟମ ସ୍ଥାନକୁ ଉଠିଛି । ପଞ୍ଜାବ ୨୦୨୨ରେ ୧୦ମ ସ୍ଥାନରେ ଥିଲା । ଏଥର ସାମାନ୍ୟ ଭଲ ପ୍ରଦର୍ଶନ କରିବା ସହ ନବମ ସ୍ଥାନକୁ ଉନ୍ନୀତ ହୋଇଛି । ସେହିଭଳି ୧୦ମ ସ୍ଥାନରେ ରହିଛି ମହାରାଷ୍ଟ୍ର । ୨୦୨୨ରେ ଏହା ଦ୍ୱାଦଶ ସ୍ଥାନରେ ଥିଲା ।
ଚଳିତଥର ମହାରାଷ୍ଟ୍ର ଶାସନ ଓ ନ୍ୟାୟ ପ୍ରଦାନରେ ଭଲ ପ୍ରଦର୍ଶନ କରିଛି । ରିପୋର୍ଟରେ କୁହାଯାଇଛି, ବର୍ତ୍ତମାନ ଦେଶର ପୁଲିସ ବାହିନୀରେ ମୋଟ ୨୦ ଲକ୍ଷ ୩୦ ହଜାର ଅଧିକାରୀ ଓ କର୍ମଚାରୀ ଅଛନ୍ତି । କିନ୍ତୁ ବରିଷ୍ଠ ଅଧିକାରୀଙ୍କ ଭିତରେ ମହିଳାଙ୍କ ସଂଖ୍ୟା ୧ ହଜାରରୁ କମ୍ ରହିଛି । କୌଣସି ଗୋଟିଏ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ ପୁଲିସ ବାହିନୀରେ ଧାର୍ଯ୍ୟ ମହିଳା କୋଟା ସଂଖ୍ୟା ପୂରଣ କରିପାରି ନାହାନ୍ତି । ଉତ୍ତରପ୍ରଦେଶର ଜେଲରେ କଏଦୀଙ୍କ ସଂଖ୍ୟା ବହୁ ଅଧିକ ଥିବା ବେଳେ ରାଜ୍ୟରେ ଧାର୍ଯ୍ୟ ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ମଧ୍ୟରୁ ଅଧା ନାହାନ୍ତି । ଦିଲ୍ଲୀର ବିଭିନ୍ନ ଜେଲ୍ରେ ଯେତିକି କଏଦୀ ଅଛନ୍ତି ସେମାନଙ୍କ ଭିତରୁ ୯୧ ପ୍ରତିଶତ ବିଚାରାଧୀନ କଏଦୀ । ଜେଲ୍ ପରିଚାଳନାରେ ତାମିଲନାଡୁର ପ୍ରଦର୍ଶନ ସବୁଠାରୁ ଭଲ ରହିଛି । ଓଡ଼ିଶା ଓ ଛତିଶଗଡ଼ ମଧ୍ୟ ଏ କ୍ଷେତ୍ରରେ ଉନ୍ନତି କରିଛନ୍ତି । କର୍ଣ୍ଣାଟକ ଉଭୟ ଶାସନ ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି ।
ଭାରତରେ ପ୍ରତି ୧୦ ଲକ୍ଷ ଲୋକରେ ୧୫ ଜଣ ବିଚାରପତି ଅଛନ୍ତି । ବିଚାରପତିଙ୍କ ସଂଖ୍ୟା ୫୦ କରିବାକୁ ଲ କମିଶନ ସୁପାରିସ କରିଥିଲେ ମଧ୍ୟ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇନାହିଁ । ଆମେରିକାରେ ପ୍ରତି ୧୦ ଲକ୍ଷ ଲୋକରେ ୧୫୦ ଜଣ ବିଚାରପତି ରହିଛନ୍ତି । ଦେଶର ୧୭ ପ୍ରତିଶତ ଥାନାରେ ସିସିଟିଭି ନଥିବା ବେଳେ ପ୍ରତି ୧୦ରୁ ୩ଟି ଥାନାରେ ମହିଳା ହେଲ୍ପ ଡେସ୍କ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଭାରତରେ ପ୍ରତି ୮୩୧ ଲୋକଙ୍କ ପାଇଁ ମାତ୍ର ଜଣେ ପୁଲିସ ଅଛନ୍ତି । ବିହାରରେ ପ୍ରତି ୧ ଲକ୍ଷ ଲୋକଙ୍କ ପାଇଁ ମାତ୍ର ୮୧ ଜଣ ପୁଲିସ ଅଛନ୍ତି । ବିହାର ପୁଲିସରେ ସବୁଠାରୁ ଅଧିକ ମହିଳା ଅଛନ୍ତି । କିନ୍ତୁ ରାଜ୍ୟର ତଳ ଓ ଜିଲ୍ଲା କୋର୍ଟରେ ୭୧ ପ୍ରତିଶତ ମାମଲା ୩ ବର୍ଷରୁ ଅଧିକ ସମୟ ଧରି ଗଡୁଛି । ଓଡ଼ିଶା ସମେତ ୧୧ଟି ରାଜ୍ୟରେ ଜିଲ୍ଲା କୋର୍ଟରେ ୪୦ ପ୍ରତିଶତ ମାମଲା ୩ ବର୍ଷରୁ ଅଧିକ ସମୟ ଧରି ପଡ଼ିରହିଛି । ଗୁଜରାଟ ହାଇକୋର୍ଟରେ ସର୍ବାଧିକ ବିଚାରପତି ଓ କର୍ମଚାରୀଙ୍କ ଅଭାବ ରହିଛି । ଗତ ୧୦ ବର୍ଷରେ
ଜେଲ୍ରେ କଏଦୀଙ୍କ ସଂଖ୍ୟା ୫୦ ପ୍ରତିଶତ ବଢ଼ିଛି । ରିପୋର୍ଟ ଅନୁସାରେ ଅପରାଧ ନ୍ୟାୟ ବ୍ୟବସ୍ଥା ପାଇଁ ଯେତିକି ବଜେଟ ଆବଣ୍ଟନ କରାଯାଉଛି ସେଥିରୁ ସିଂହଭାଗ କେବଳ ଦରମାରେ ଯାଉଛି । ଭିତ୍ତିଭୂମିର ବିକାଶ ପାଇଁ ଅଳ୍ପ କିଛି ଅର୍ଥ ରହୁଛି । ଏହା ଫଳରେ ଆଇନ ଶୃଙ୍ଖଳା ରକ୍ଷା ଓ ନ୍ୟାୟ ପ୍ରଦାନ ଲାଗି ଦିଆଯିବାକୁ ଥିବା ପ୍ରଶିକ୍ଷଣ ମଧ୍ୟ ପ୍ରଭାବିତ ହେଉଛି । ରିପୋର୍ଟର ପ୍ରସ୍ତାବନାରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ସଞ୍ଜୟ କିଷନ କୌଲ ଲେଖିଛନ୍ତି ଯେ ଚାରୋଟି ଯାକ ମାନଦଣ୍ଡରେ ସଂସ୍କାର ଅପରିହାର୍ଯ୍ୟ । କିନ୍ତୁ ଏ କ୍ଷେତ୍ରରେ ନ୍ୟାୟପାଳିକା, ସରକାର ଓ ସିଭିଲ ସେବା ସହ ଜଡିତ ଅଧିକାରୀମାନଙ୍କ ଆନ୍ତରିକତା ରହିବା ଆବଶ୍ୟକ । ପରିବର୍ତ୍ତନ ପାଇଁ ସେମାନେ ବିପଦ ଓ ଚାଲେଞ୍ଜକୁ ଗ୍ରହଣ କରିବାକୁ ହେବ । ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଜନସାଧାରଣ ମଧ୍ୟ ସ୍ୱର ଉଠାଇବାକୁ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି ।