ନୂଆଦିଲ୍ଲୀ, ୧୫/୯ : ଖୁବଶୀଘ୍ର ନକ୍ସଲ ମୁକ୍ତ ଭାରତ। ଝାଡ଼ଖଣ୍ଡରୁ ଆସିଲା ଖୁସି ଖବର। ଆଦିବାସୀ ବହୁଳ ରାଜ୍ୟରେ ଶେଷ ନିଃଶ୍ଵାସ ଗଣୁଛି ଲାଲ ଆତଙ୍କ। ସରଣ୍ଡା ଜଙ୍ଗଲକୁ ଛାଡ଼ି ଝାଡ଼ଖଣ୍ଡର ସବୁ ଅଞ୍ଚଳ ଏବେ ମାଓମୁକ୍ତ। ୩ କୁଖ୍ୟାତ ମାଓ ନେତାଙ୍କ ନିହତ ପରେ ଝାଡ଼ଖଣ୍ଡ ଆଇଜିଙ୍କ ବଡ଼ ବୟାନ। ଏବେ ସକ୍ରିୟ ଅଛନ୍ତି ମାତ୍ର ୩ ହାର୍ଡକୋର୍।
୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଭାରତ ପାଇଁ କେନ୍ଦ୍ର ସରକାର ଟାର୍ଗେଟ୍ ରଖିଛନ୍ତି। ଏଥିପାଇଁ ନକ୍ସଲ ବିରୋଧୀ ଅପରେସନ ଜୋରଦାର୍ ଚାଲିଛି। ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲାରେ ସୋମବାର ସକାଳେ ଏନକାଉଣ୍ଟର ହୋଇଛି। ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। କୋବ୍ରା ବାହିନୀର ଶିକାରରେ ୩ ଟପ୍ ମାଓ ନେତା ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏକ କୋଟି ଟଙ୍କାର ମୁଣ୍ଡ ସହଦେବ ସୋରେନର ମୃତ୍ୟୁ ହୋଇଛି। ଅନ୍ୟ ୨ ମାଓନେତା ରଘୁନାଥ ହେମ୍ଵ୍ରେମ ଓରଫ ଚଞ୍ଚଲ ଓ ବୀରସେନ ଗଞ୍ଜୁ ବୋଲି ଚିହ୍ନଟ କରାଯାଇଛି। ରଘୁନାଥର ମୁଣ୍ଡ ଉପରେ ୨୫ ଲକ୍ଷ ଓ ଗଞ୍ଜୁର ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ବୋଲି ସୂଚନା ମିଳିଛି। ୩ ମାଓବାଦୀଙ୍କ ମୃତଦେହ ଜବତ ହୋଇଛି। ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏବେବି ସର୍ଚ୍ଚ ଅପରେଶନ ଜାରି ରହିଛି। ଏହି ମଧ୍ୟରେ ଝାଡ଼ଖଣ୍ଡ ଆଇଜି ମାଇକେଲରାଜ ଏସ୍ ଖୁସି ଖବର ଦେଇଛନ୍ତି। ସରଣ୍ଡା ଜଙ୍ଗଲକୁ ଛାଡ଼ି ଝାଡ଼ଖଣ୍ଡର ସବୁ ଅଞ୍ଚଳ ଏବେ ମାଓମୁକ୍ତ ହୋଇଯାଇଛି। ରାଜ୍ୟରେ ଏବେ ମାତ୍ର ୩ ହାର୍ଡକୋର୍ ମାଓବାଦୀ ସକ୍ରିୟ ଅଛନ୍ତି।
ଆଇଜି କହିଛନ୍ତି ଯେ, ବୋକାରୋର ଝୁମରା, ଲୁଗୁ ପାହାଡ଼ ଓ ଗିରିଡିହର ପାରସନାଥ ଏବେ ନକ୍ସଲ ମୁକ୍ତ ହୋଇଯାଇଛି। ଏବେ ଏଠାରେ ଆଉ କୌଣସି ନକ୍ସଲ ବଞ୍ଚି ନାହାଁନ୍ତି। ଝାଡ଼ଖଣ୍ଡରେ ଏବେ କେବଳ ଜଣେ ପୋଲିତ ବ୍ୟୁରୋ ସଦସ୍ୟ ଓ ୨ ସିସି ସଦସ୍ୟ ବଞ୍ଚିଛନ୍ତି। ଏମାନେ ସରଣ୍ଡା ଜଙ୍ଗଲରେ ସକ୍ରିୟ ଅଛନ୍ତି। ଏମାନଙ୍କ ବ୍ୟତୀତ ରାଜ୍ୟରେ ଅନ୍ୟ କୌଣସି ନକ୍ସଲ ନାହାଁନ୍ତି। ଯାହାକି ଝାଡ଼ଖଣ୍ଡ ପାଇଁ ବଡ଼ ଉପଲବ୍ଧି।