ନୂଆଦିଲ୍ଲୀ,୩ା୫(ଏଜେନ୍ସି): ଲଗାତର ଦ୍ୱିତୀୟ ମାସ ପାଇଁ ପେଟ୍ରୋଲିୟମ ରପ୍ତାନିକାରୀ ରାଷ୍ଟ୍ର ସଂଘ ଅଶୋଧିତ ତୈଳ ଉତ୍ପାଦନ ବଢ଼ାଇବା ପାଇଁ ରାଜି ହୋଇଛି । ଜୁନ୍‌ ମାସରେ ଦୈନିକ ଉତ୍ପାଦନକୁ ୪୧୧,୦୦୦ ବ୍ୟାରେଲ୍‌ ବଢ଼ାଇବ ଓପେକ୍‌+ । ତୈଳ ଦର ହ୍ରାସ ଏବଂ ଦୁର୍ବଳ ଚାହିଦା ଆଶଙ୍କା ସତ୍ତେ୍ୱ ଏ ନିଷ୍ପତ୍ତି ନିଆଯାଇଛି । ଏକ ଅନ୍‌ଲାଇନ୍‌ ବୈଠକ ପରେ ଗ୍ରୁପ୍‌ ପକ୍ଷରୁ ଯୋଗାଣ ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି । 

ଓପେକ୍‌+ ପ୍ରକାଶ କରିଛି ଯେ, ତୈଳ ବଜାରର ମୂଳଦୂଆ ମଜଭୁତ ରହିଛି । ଉତ୍ପାଦନ ବଢ଼ାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆହ୍ୱାନ ମଧ୍ୟ ଏ ନିଷ୍ପତ୍ତିର ଅନ୍ୟ ଏକ କାରଣ ହୋଇପାରେ । ଚଳିତ ମାସରେ ଟ୍ରମ୍ପ ସାଉଦି ଆରବ ଗସ୍ତରେ ଯିବେ । ସୂଚନାଯୋଗ୍ୟ, ଓପେକ୍‌+ ପକ୍ଷରୁ ମେ’ରେ ଆବଶ୍ୟକତାଠାରୁ ଅଧିକ ଉତ୍ପାଦନ ବୃଦ୍ଧି ଘୋଷଣା କରାଯିବା ପରେ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ଏପ୍ରିଲରେ ୬୦ ଡଲାର ତଳକୁ ଖସିଆସିଥିଲା ।