ନୂଆଦିଲ୍ଲୀ ୧୪/୦୫: ‘ଅପରେସନ୍ ସିନ୍ଦୂର’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ବ୍ରହ୍ମୋସ କ୍ରୁଜ୍ ମିସାଇଲ । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଏହା କଡ଼ା ସନ୍ଦେଶ ଦେଇଛି । ବ୍ରହ୍ମୋସ ମିସାଇଲ ଏକ ବହୁମୁଖୀ ଓ ଅଜେୟ ଅସ୍ତ୍ର । ଏକସଙ୍ଗେ ଭୂପୃଷ୍ଠ, ବାୟୁ ଓ ସମୁଦ୍ରରୁ ଏହାକୁ ଉତ୍କ୍ଷେପଣ କରାଯାଇ ପାରିବ । ଭାରତ ଓ ରୁଷ୍ର ସହଭାଗିତାରେ ଏହା ନିର୍ମିତ ହୋଇଛି । ସୁପର୍ସୋନିକ୍ ବେଗ, ଶତ ପ୍ରତିଶତ ସଠିକତା ଏବଂ ବିଭିନ୍ନ ସୈନ୍ୟ ମିଶନ୍ରେ ଗ୍ରହଣୀୟତା ପାଇଁ ଏହା ବେଶ ପରିଚିତ ।
ବର୍ତ୍ତମାନ ଫିଲିପିନ୍ସ ଏକମାତ୍ର ଦେଶ ଯିଏକି ୩ ତଟୀୟ ପ୍ରତିରକ୍ଷା ବ୍ୟାଟେରୀ ନିମନ୍ତେ ୨୦୨୨ରେ ବ୍ରହ୍ମୋସ ମିସାଇଲ ପାଇଁ ୩୭୫ ନିୟୁତ ଡଲାରର ଚୁକ୍ତି କରିଥିଲା । ଏପ୍ରିଲ, ୨୦୨୪ରେ ପ୍ରଥମ ବ୍ୟାଟେରୀ ଡେଲିଭରୀ ହୋଇଥିଲା । ୨ୟ ଡେଲିଭରୀ ଚଳିତ ବର୍ଷ ଏପ୍ରିଲରେ ହୋଇଥିବା କୁହାଯାଏ । ଏହି ଉନ୍ନତ ମିସାଇଲ ପ୍ରଣାଳୀକୁ ହାସଲ କରିବା ପାଇଁ ଅନେକ ଦେଶ ଏବେ ଆଗଭର ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଇଣ୍ଡୋନେସିଆ ଅନ୍ୟତମ । ବ୍ରହ୍ମୋସ କ୍ରୁଜ୍ ମିସାଇଲର ଉନ୍ନତ ସଂସ୍କରଣକୁ କିଣିବା ପାଇଁ ଏହା ୨୦୦-୩୫୦ ନିୟୁତ ଡଲାରର ଚୁକ୍ତି ପାଇଁ ଆଲୋଚନା କରୁଛି । ଭିଏତନାମ ନିଜର ଆର୍ମି ଓ ନୌସେନା ପାଇଁ ବ୍ରହ୍ମୋସ ମିସାଇଲ ଯୋଗାଣ ନିମନ୍ତେ ୭୦୦ ନିୟୁତ ଡଲାରର ଚୁକ୍ତି ଯୋଜନା କରୁଛି । ମାଲେସିଆ ନିଜର ସୁଖୋଇ ସୁ-୩୦ଏମ୍କେଏମ୍ ଫାଇଟର୍ ଜେଟ୍ ଓ କେଦାହଶ୍ରେଣୀ ଯୁଦ୍ଧ ଜାହାଜ ପାଇଁ ବ୍ରହ୍ମୋସ ମିସାଇଲ କିଣିବାକୁ ଯୋଜନା କରୁଛି । ଦକ୍ଷିଣ-ପୂର୍ବ ଏସୀୟ ଦେଶ ଥାଇଲାଣ୍ଡ, ସିଙ୍ଗାପୁର ଓ ବ୍ରୁନେଇ ବ୍ରହ୍ମୋସକୁ ନେଇ ରୁଚି ଦେଖାଇଛନ୍ତି ଏବଂ ଚୁକ୍ତି ନିମନ୍ତେ ଆଲୋଚନାର ବିଭିନ୍ନ ସୋପାନରେ ଅଛନ୍ତି ।
ଲାଟିନ୍ ଆମେରିକୀୟ ଦେଶ ବ୍ରାଜିଲ, ଚିଲୀ, ଆର୍ଜେଣ୍ଟିନା, ଭେନେଜୁଏଲା ଏହି ମିସାଇଲର ନୌସେନା ଓ ତଟୀୟ ପ୍ରତିରକ୍ଷା ପ୍ରକାର କିଣିବା ଉପରେ ଫୋକସ୍ କରୁଛନ୍ତି । ମଧ୍ୟ-ପ୍ରାଚ୍ୟ ଦେଶ ଇଜିପ୍ଟ, ସାଉଦି ଆରବ, ଦୁବାଇ, କାତାର ଓ ଓମାନ ମଧ୍ୟ ବ୍ରହ୍ମୋସକୁ ନେଇ ରୁଚି ପ୍ରଦର୍ଶନ କରିଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଦେଶ ଏ ନେଇ ଆଲୋଚନା ମଧ୍ୟ ଜାରି ରଖିଛନ୍ତି । ଦକ୍ଷିଣ ଆଫ୍ରିକା ଓ ବୁଲଗେରିଆ ବ୍ରହ୍ମୋସ କିଣିବା ପାଇଁ ଆଲୋଚନାର ଭିନ୍ନ ଭିନ୍ନ ସୋପାନରେ ଅଛନ୍ତି ।
ବ୍ରହ୍ମୋସ ମିସାଇଲ ପ୍ରଣାଳୀ ଭାରତର ଦ୍ରୁତତମ କ୍ରୁଜ୍ ମିସାଇଲ । ଜୁନ୍ ୧୨, ୨୦୦୧ରେ ଏହାକୁ ପ୍ରଥମେ ପରୀକ୍ଷା କରାଯାଇଥିଲା । ସେବେଠୁ ଏହାର ସାମର୍ଥ୍ୟ ବଢ଼ାଇବା ପାଇଁ ଆହୁରି ଉନ୍ନତ କରାଯାଉଛି । ମାନବ-ରହିତ ସୁପର୍ସୋନିକ୍ ମିସାଇଲ ବ୍ରହ୍ମୋସ ମାକ୍ ୩ ବେଗରେ ଗତି କରିପାରେ । ଏହାର ହାରାହାରି ରେଞ୍ଜ୍ ୨୯୦ କିମି । ଉନ୍ନତ ସଂସ୍କରଣରେ ଏହା ୫୦୦ କିମି ବା ୮୦୦ କିମି ଯାଇପାରେ। ୨୦୦-୩୦୦ କିଲୋର ଯୁଦ୍ଧାସ୍ତ୍ର ଏହା ବହନ କରିପାରେ । ୧୫ କିମି ଉଚ୍ଚରେ ଏହା ଉଡ଼ିପାରେ । ଭୂମିଠୁ ମାତ୍ର ୧୦ ମିଟର ଉଚ୍ଚରେ ସ୍ଥିତ ଟାର୍ଗେଟ୍କୁ ଏହା ଆକ୍ରମଣ କରିପାରେ, ଯାହା ତାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ସଠିକ୍ ଆକ୍ରମଣ ପାଇଁ ଫଳପ୍ରଦ ଅସ୍ତ୍ର କରିଛି ।