ନୂଆଦିଲ୍ଳୀ,୯।୫: ବର୍ଷକ ତଳେ ଅର୍ଥାତ ୭ ମଇ ୨୦୨୫ରେ, ଭାରତୀୟ ବାୟୁସେନା ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୁଦ୍ଧରେ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା, ଭାରତୀୟ ମାନକ ସମୟ ଅନୁସାରେ ରାତି ୧ଟା ୫ ମିନିଟରେ ମୁରିଦକେ, ମର୍କଜ ତୈବା ଏବଂ ଉମ୍ମ-ଉଲ୍-କୁରାରେ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ମୁଖ୍ୟାଳୟ ଉପରେ ପ୍ରଥମ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। କ୍ଷେପଣାସ୍ତ୍ର ଆକ୍ରମଣ ପରେ ଉଭୟ ଲସ୍କର-ଇ-ତୋଇବା କମ୍ପ୍ଲେକ୍ସ ଧ୍ୱଂସ ପାଇଯାଇଥିଲା। ଆଜି, ଗୋଟିଏ ବର୍ଷ ପରେ ମିଳିଥିବା ଫଟୋଗୁଡ଼ିକ ଦର୍ଶାଉଛି ଯେ ଭାରତ ବିରୁଦ୍ଧରେ ଆକ୍ରମଣ ଯୋଜନା ପାଇଁ ଆତଙ୍କବାଦୀ ମୁଖ୍ୟାଳୟ ଭାବରେ କାର୍ଯ୍ୟ କରୁଥିବା ସ୍ଥାନଟି ଏବେ ଏକ ଧ୍ବଂସସ୍ତୁପରେ ପାଲଟିଛି।
ସୂତ୍ର ଅନୁଯାୟୀ, ଲସ୍କର ମୁଖ୍ୟାଳୟ ଉପରେ ଭାରତୀୟ ବାୟୁସେନାର କ୍ଷେପଣାସ୍ତ୍ର ଆକ୍ରମଣ ଏତେ ପ୍ରଭାବଶାଳୀ ଥିଲା ଯେ ଧ୍ୱଂସପ୍ରାପ୍ତ ଉଭୟ କୋଠାର ମରାମତି କରିବା ଅସମ୍ଭବ ଥିଲା। ତେଣୁ, ସେପ୍ଟେମ୍ବର ୨୦୨୫ରେ, ବୁଲଡୋଜର ସାହାଯ୍ୟରେ ୨୩ ଦିନ ଧରି ଭୁଶୁଡ଼ି ପଡ଼ିଥିବା କୋଠାକୁ ଭାଙ୍ଗିବା ଏବଂ ଭଗ୍ନାବଶେଷ ହଟାଇବାର କାମ କରିଥିଲା। ସୂତ୍ର ଅନୁଯାୟୀ, ପାକିସ୍ତାନ ସରକାର ଏହାର କୋଠାର ପୁନଃନିର୍ମାଣ ପାଇଁ ୬ଟି କିସ୍ତିରେ ଲସ୍କର କୁ ମୋଟ ୨୮ କୋଟି ପାକିସ୍ତାନୀ ଟଙ୍କା ହସ୍ତାନ୍ତର କରିଥିଲେ, ଯେଉଁଥିରେ ପ୍ରଥମ କିସ୍ତି ୧୨ ଅଗଷ୍ଟ ୨୦୨୫ ରେ ପଠାଯାଇଥିଲା, କିନ୍ତୁ ବର୍ତ୍ତମାନ ଲସ୍କର ଏହି ଟଙ୍କାରୁ କେବଳ ୧୧ ଲକ୍ଷ ଟଙ୍କା ବ୍ୟବହାର କରି ଏହାର ଧ୍ୱଂସପ୍ରାପ୍ତ କୋଠାକୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦେଇଛି ଏବଂ ଭଗ୍ନାବଶେଷ ସଫା କରିଛି।
ଏହା ସହିତ ଯେଉଁ ଭଳି ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ବାହାବଲ୍ପୁର ସ୍ଥିତ ମରକଜ ସୁଭାନଲ୍ଲାହ ପୁରା ପରିସରର ସୁରକ୍ଷାର ଦାୟିତ୍ବ ପାକିସ୍ତାନର ମାରିୟମ ନଓ୍ବାଜ ସରକାରଙ୍କ ପଞ୍ଜାବ ପୋଲିସର ସ୍ପେଶାଲ ୟୁନିଟ୍ ଏଲିଟ୍ ପୋଲିସ ସମ୍ଭାଳୁଛି। ଏଭଳି ଭାବରେ ମୁରିଦକେରେ ମଧ୍ୟ ସୁରକ୍ଷାର କାମ ମରିୟମ ନଓ୍ବାଜର ଇଲିଟ୍ ପୋଲିସର ହାତରେ ରହିଛି। ଏହାର ଗଠନ ପାକିସ୍ତାନରେ ଆତଙ୍କବାଦ ବିରୋଧି ଅଭିଯାନ ଚଳାଇବା ଓ ଭିଭିଆଇପିକୁ ସୁରକ୍ଷା ଦେବା ପାଇଁ କରାଯାଇଥିଲା।
ସୂଚନା ଅନୁଯାୟୀ, ଲସ୍କର ମୁଖ୍ୟାଳୟ ମର୍କଜ ତୈବା ଏବଂ ତୈବା କଲୋନୀରେ ଅବସ୍ଥିତ କାର୍ଯ୍ୟକ୍ଷମ କେନ୍ଦ୍ର ଉମ୍ମୁଲ-କୁରାକୁ ଧ୍ୱଂସ କରାଯିବା ପରେ, ନିକଟସ୍ଥ ଜାମିଆ-ଉଦ୍-ଦାୱା ନୂତନ ମୁଖ୍ୟାଳୟ ଭାବରେ କାର୍ଯ୍ୟ କରୁଛି। କସୁରରେ ଅବସ୍ଥିତ ମର୍କଜ ୟାରମୁକକୁ ପ୍ରଥମ ପର୍ଯ୍ୟାୟ ଆତଙ୍କବାଦୀ ଟ୍ରେନିଂରା ସେଣ୍ଟର ଭାବରେ ନାମିତ କରାଯାଇଛି।ମୁରିଦକେର ଜାମିଆ-ଉଦ୍-ଦାୱା ଏବଂ କସୁରର ମାର୍କାଜ୍ ୟାରମୁକ୍ ଉଭୟକୁ ୨୦୧୯ରେ ଜାତୀୟ କାର୍ଯ୍ୟ ଯୋଜନା ଅଧୀନରେ ତତ୍କାଳୀନ ପାକିସ୍ତାନ ସରକାର ଦଖଲ କରିବାକୁ ଘୋଷଣା କରିଥିଲେ। ତଥାପି, ଏହି କାର୍ଯ୍ୟାନୁଷ୍ଠାନ କେବଳ କାଗଜପତ୍ରରେ ସୀମିତ ରହିଛି। ଜାମିଆ-ଉଦ୍-ଦାୱା ଆତଙ୍କବାଦୀ ଅବଦୁଲ ରେହମାନ ଆବିଦ୍ ଦ୍ୱାରା ପରିଚାଳିତ ହେଉଥିବା ବେଳେ, ମର୍କଜ୍ ୟାରମୁକ୍ ଆତଙ୍କବାଦୀ ଅବଦୁଲ ରସିଦ୍ ମୋହସିନ୍ ଦ୍ୱାରା ପରିଚାଳିତ ହେଉଛି।
ଆହୁରି ପଢନ୍ତୁ :ଶୁଭେନ୍ଦୁ ଅଧିକାରୀଙ୍କଠାରୁ ନେଇ ହିମନ୍ତଙ୍କ ପର୍ଯ୍ୟନ୍ତ, ଅନ୍ୟ ଦଳରୁ ଆସିଥିବା କେଉଁ କେଉଁ ନେତାଙ୍କୁ ବିଜେପି କରିଛି ମୁଖ୍ୟମନ୍ତ୍ରୀ ?