ନୂଆଦିଲ୍ଲୀ,୧୩/୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହାରି ଭିତରେ ଆତଙ୍କବାଦୀ କ୍ୟାମ୍ପ ଏବଂ ଏୟାରବେସ୍କୁ ଟାର୍ଗେଟ କରାଯାଇଥିଲା। ପାକିସ୍ତାନ ମଧ୍ୟ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାକ୍ର ପ୍ରୟାସକୁ ବିଫଳ କରିଥିଲା। ଏହି ସମ୍ପୂର୍ଣ୍ଣ ଉତ୍ତେଜନାରେ, ପାକିସ୍ତାନ ଅନ୍ତର୍ଜାତୀୟ ସମ୍ପ୍ରଦାୟରେ ଏକାଥିବା ଭଳି ଦେଖାଯାଇଥିଲା। ଏହାକୁ କେବଳ ଚୀନ୍, ତୁର୍କୀ ଏବଂ ଆଜରବାଇଜାନ ଭଳି ଦେଶରୁ ସମର୍ଥନ ମିଳିଥିଲା। ଏଥିମଧ୍ୟରୁ, ଚୀନ୍ ଏବଂ ତୁର୍କୀ ପାକିସ୍ତାନକୁ ସାମରିକ ସହାୟତା ଯୋଗାଇଥିବା ବେଳେ, ଆଜରବୈଜାନ ସରକାର ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖି ସମର୍ଥନ ଦେଇଥିଲେ। ଏହା ପରେ, ଭାରତରେ ଲୋକମାନେ ସୋସିଆଲ ମିଡିଆରେ ପାକିସ୍ତାନକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ପ୍ରତି ଦୃଢ଼ ସମାଲୋଚନା କରୁଛନ୍ତି। ଅନେକ ଭାରତୀୟ ଏହି ଦେଶଗୁଡ଼ିକୁ ବୟକଟ କରିବାକୁ ଦାବି କରୁଛନ୍ତି। ଏହାରି ଭିତରେ ଅନେକ ଟ୍ରାଭେଲ୍ ଏଜେନ୍ସି ମଧ୍ୟ ଏହି ଦେଶଗୁଡ଼ିକ ପାଇଁ ନୂଆ ବୁକିଂ ବନ୍ଦ କରିଦେଇଛନ୍ତି ଏବଂ ଅଗ୍ରିମ ବୁକିଂ ବାତିଲ କରୁଛନ୍ତି।
କେତେ ପୂରୁଣା ଭାରତ-ଆଜରବାଇଜାନ ସଂପର୍କ:
ଭାରତ-ଆଜରବାଇଜାନ ସମ୍ପର୍କ ବହୁତ ପୁରୁଣା। ୧୯୯୧ ପର୍ଯ୍ୟନ୍ତ ଆଜରବାଇଜାନ ସୋଭିଏତ୍ ୟୁନିଅନର ଏକ ଅଂଶ ଥିଲା। ସୋଭିଏତ୍ ୟୁନିଅନରୁ ଅଲଗା ହେବା ପରେ, ଭାରତ ୧୯୯୧ ମସିହାରେ ଏହାକୁ ଏକ ସ୍ୱାଧୀନ ଦେଶ ଭାବରେ ମାନ୍ୟତା ଦେଇଥିଲା। ଆଜରବାଇଜାନ ଯେତେବେଳେ ଅଜରବାଇଜାନ ସୋଭିଏତ୍ ସୋସିଆଲିଷ୍ଟ ରିପବ୍ଳିକ ଥିଲା, ସେତେବେଳେ ମଧ୍ୟ ଭାରତ ସହିତ ଏହାର ସମ୍ପର୍କ ଭଲ ଥିଲା। ସେହି ସମୟରେ ଜବାହରଲାଲ ନେହେରୁ ଏବଂ ରବିନ୍ଦ୍ରନାଥ ଟାଗୋରଙ୍କ ଭଳି ନେତା ଆଜରବାଇଜାନ ଗସ୍ତ କରିଥିଲେ ଏବଂ ଏହି ସମ୍ପର୍କକୁ ମଜବୁତ କରିଥିଲେ। ଭାରତ ମାର୍ଚ୍ଚ ୧୯୯୯ ରେ ବାକୁରେ ନିଜର ମିଶନ ଖୋଲିଥିବା ବେଳେ ଦିଲ୍ଲୀରେ ଆଜରବାଇଜାନ ୨୦୦୪ ଅକ୍ଟୋବରରେ ଏହାର ମିଶନ ଖୋଲିଥିଲା।
କୂଟନୈତିକ ସମ୍ପର୍କ ସ୍ଥାପନ ପରେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ନୂଆ ଶିଖରକୁ ଛୁଇଁଥିଲା। ଆଜରବାଇଜାନରେ ଥିବା ଭାରତୀୟ ଦୂତାବାସ ଅନୁଯାୟୀ, ୨୦୨୩ ରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ୧.୪୩୫ ଅରବ ଡଲାର ଥିଲା। ୨୦୦୫ ମସିହାରେ ଏହା ମାତ୍ର ପାଞ୍ଚ କୋଟି ଆମେରିକୀୟ ଡଲାର ଥିଲା। ଭାରତ ଆଜରବାଇଜାନର ସପ୍ତମ ବୃହତ୍ତମ ବାଣିଜ୍ୟିକ ଅଂଶୀଦାର ଅଟେ। କେବଳ ଇଟାଲୀ, ତୁର୍କୀ, ରୁଷ, ଚୀନ୍, ଜର୍ମାନୀ ଏବଂ ଇସ୍ରାଏଲ ଭାରତ ଅପେକ୍ଷା ଆଜରବାଇଜାନ ସହିତ ଅଧିକ ବାଣିଜ୍ୟ କରନ୍ତି। ଭାରତ ଆଜରବାଇଜାନକୁ ଚାଉଳ, ମୋବାଇଲ୍ ଫୋନ୍, ଆଲୁମିନିୟମ୍ ଅକ୍ସାଇଡ୍, ଔଷଧ, ସ୍ମାର୍ଟଫୋନ୍, ସେରାମିକ୍ ଟାଇଲ୍ସ, ଗ୍ରାନାଇଟ୍, ଯନ୍ତ୍ରପାତି, ମାଂସ ଏବଂ ପଶୁ ରପ୍ତାନି କରେ। ଭାରତ ୨୦୨୩ ରେ ଆଜରବାଇଜାନରୁ ୯୫୫ ମିଲିୟନ ଡଲାର ମୂଲ୍ୟର ଅଶୋଧିତ ତେଲ କିଣିଥିଲା ଏବଂ ପ୍ରାୟ ୪୩ ମିଲିୟନ ଡଲାର ମୂଲ୍ୟର ଚାଉଳ ରପ୍ତାନି କରିଥିଲା। ଭାରତ ଆଜରବାଇଜାନର ତୃତୀୟ ସର୍ବବୃହତ କ୍ରେତା ଅଟେ।
ଆଜରବାଇଜାନ ଓ ପାକିସ୍ତାନର ବାଣିଜ୍ୟ:
ଅନ୍ୟପକ୍ଷରେ, ଯଦି ଆମେ ଆଜରବାଇଜାନ ଏବଂ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ବିଷୟରେ କଥା ହେବା, ତେବେ ଉଭୟ ଦେଶ ୨୦୨୩ ରେ ୨୮.୮ ମିଲିୟନ ଡଲାରର ବାଣିଜ୍ୟ କରିଥିଲେ। ଏଥିରେ ପାକିସ୍ତାନରୁ ରପ୍ତାନି ହୋଇଥିଲା ୨୯.୬ ମିଲିୟନ ଡଲାର। ପାକିସ୍ତାନ ଆଜରବାଇଜାନକୁ ସବୁଠାରୁ ଅଧିକ ଆଳୁ ବିକ୍ରି କରେ। ଏହି ସଂଖ୍ୟା ବାଣିଜ୍ୟ ଉପରେ ନଜର ରଖୁଥିବା ଏକ ୱେବସାଇଟ୍ ଅବଜରଭେଟୋରୀ ଅଫ୍ ଇକୋନୋମିକ୍ କମ୍ପ୍ଲେକ୍ସିଟିରୁ ଆସିଅଛି।
କେତେ ଭାରତୀୟ ଯାଉଛନ୍ତି ଆଜରବାଇଜାନ:
ଏବେ ପର୍ଯ୍ୟଟନ ବିଷୟରେ ଆଲୋଚନା କରିବା। ଭାରତୀୟ ଦୂତାବାସ ଅନୁଯାୟୀ, ୨୦୨୩ ରେ ୧,୧୫,୦୦୦ ରୁ ଅଧିକ ଭାରତୀୟ ଆଜରବାଇଜାନ ଗସ୍ତ କରିଥିଲେ। ଏହି ସଂଖ୍ୟା ୨୦୨୨ ତୁଳନାରେ ପ୍ରାୟ ଦୁଇଗୁଣ ଥିଲା। ସେହି ସମୟରେ, ଆଜରବାଇଜାନର ପର୍ଯ୍ୟଟନ ବୋର୍ଡ ଅନୁଯାୟୀ, ୨୦୨୪ ରେ ୨,୪୩,୫୮୯ ଭାରତୀୟ ପର୍ଯ୍ୟଟକ ଆସିଥିଲେ, ଅର୍ଥାତ୍ ୨୦୨୩ ତୁଳନାରେ ଦୁଇଗୁଣ ଅଧିକ। ୨୦୧୪ ରେ, କେବଳ ୪,୮୫୩ଜଣ ଭାରତୀୟ ଆଜରବାଇଜାନ ଗସ୍ତ କରିଥିଲେ। ବୋର୍ଡ ଆକଳନ କରିଛି ଯେ ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତରୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବାର୍ଷିକ ୧୧ ପ୍ରତିଶତ ହାରରେ ବୃଦ୍ଧି ପାଇବ। ଭାରତ ଅପେକ୍ଷା କେବଳ ରୁଷ, ତୁର୍କୀ ଏବଂ ଇରାନର ପର୍ଯ୍ୟଟକମାନେ ଅଧିକ ଆଜରବାଇଜାନ ଗସ୍ତ କରୁଛନ୍ତି। ଯଦି ଆମେ ପଡ଼ୋଶୀ ଦେଶଗୁଡ଼ିକୁ ଛାଡ଼ି ଦେବା, ତେବେ ଆଜରବାଇଜାନ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ। ଗତ ଚାରି ବର୍ଷ ମଧ୍ୟରେ, ଆଜରବାଇଜାନରେ ଅତି କମରେ ୩୦ ଟି ଭାରତୀୟ ଚଳଚ୍ଚିତ୍ର ଏବଂ ବିଜ୍ଞାପନ ସୁଟିଂ କରାଯାଇଛି।
ଭାରତୀୟ ଦୂତାବାସ ଅନୁଯାୟୀ, ଦିଲ୍ଲୀ ଏବଂ ଆଜରବାଇଜାନର ରାଜଧାନୀ ବାକୁ ମଧ୍ୟରେ ପ୍ରତି ସପ୍ତାହରେ ୧୦ଟି ବିମାନ ଉଡ଼ାଣ ହୁଏ। ମୁମ୍ବାଇ ଏବଂ ବାକୁ ମଧ୍ୟରେ ପ୍ରତି ସପ୍ତାହରେ ଚାରୋଟି ବିମାନ ଉଡ଼ାଣ ଭରେ। କିନ୍ତୁ ଆଜରବାଇଜାନ ଯେଉଁଭଳି ଭାବରେ ପାକିସ୍ତାନକୁ ସମର୍ଥନ କରିଛି ତାହା ଭାରତୀୟମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି କରିଛି। ଡ୍ରାଭେଲ କମ୍ପାନୀଗୁଡ଼ିକ ଲୋକଙ୍କୁ ଆଜରବାଇଜାନ ନ ଯିବାକୁ ପରାମର୍ଶ ଦେଇଛନ୍ତି। ଫଳସ୍ୱରୂପ ଏପର୍ଯ୍ୟନ୍ତ ଆଜରବାଇଜାନର ୫୦ ପ୍ରତିଶତରୁ ଅଧିକ ବୁକିଂ ବାତିଲ କରାଯାଇଛି ଏବଂ କୌଣସି ନୂଆ ବୁକିଂ ମଧ୍ୟ କରାଯାଇନାହିଁ।
ଶେଷ ଥର ପାଇଁ ଭାରତୀୟ ପର୍ଯ୍ୟଟକ ଏବଂ ଟ୍ରାଭେଲ କମ୍ପାନୀଗୁଡ଼ିକ ମାଳଦ୍ୱୀପର ଜଣେ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ବ୍ୟବହାର କରିବା ପରେ ଏପରି ବୟକଟ କରିଥିଲେ। ଏଥିପାଇଁ ମାଳଦ୍ୱୀପକୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା। ଏବେ ଦେଖିବା ଆକର୍ଷଣୀୟ ହେବ ଯେ ଏହି ବୟକଟ ପ୍ରୟାସଗୁଡ଼ିକ ଆଜରବାଇଜାନ ଉପରେ କେତେ ପ୍ରଭାବ ପକାଉଛି?