ଭୁବନେଶ୍ୱର,୦୩/୦୭: ଓଡ଼ିଶାରେ ହେଉଛି  ଅଫିମ ଚାଷ । ନିୟୋଜିତ ହେଉଛନ୍ତି ଝାଡ଼ଖଣ୍ଡ  ରାଜ୍ୟର ଶ୍ରମିକ । ସ୍ୱତନ୍ତ୍ର ଭାବେ ସେମାନଙ୍କୁ ଗାଡ଼ିମୋଟର କରି ଅଣାଯାଉଛି । ଚାଷରୁ ଅମଳ ସମୟ ୫/୬ ମାସ ସେମାନେ ଏଠାରେ ଅସ୍ଥାୟୀ  ଭାବେ ରହୁଛନ୍ତି । ସେମାନଙ୍କ ଯିବା ଆସିବା ଓ  ଖାଇବାପିଇବା ବୁଝିଥାନ୍ତି ସ୍ଥାନୀୟ ଗୁମାସ୍ତା । ଅଫିମ ଫଳ ଧରିବା ପରେ ତାକୁ ତିନି ପାଶ୍ୱର୍ରୁ କାଟିବାରେ  ଏହି ଶ୍ରମିକମାନେ ପାରଙ୍ଗମ । ଯାହାକି ସ୍ଥାନୀୟ  ଶ୍ରମିକଙ୍କ ଦ୍ୱାରା ସହଜରେ ହେଉନି ।  

ଓଡ଼ିଶାର କେତେକ ଜିଲ୍ଲାରେ ଏବେ ଅଫିମ  ଚାଷ ବ୍ୟାପିବାରେ ଲାଗିଛି । ଘନ ଜଙ୍ଗଲରେ ସମସ୍ତଙ୍କ ନଜର ଆଢ଼ୁଆଳରେ ନିର୍ବିଘ୍ନରେ ଏହାର  ଚାଷ ହେଉଛି । ରାଜ୍ୟରେ ଅଫିମ ଚାଷର ହବ୍‌ ପାଲଟିଛି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ସୀମାବର୍ତ୍ତୀ ଅଞ୍ଚଳ । ବିଗତ କେଇ ବର୍ଷ ମଧ୍ୟରେ ରାଜ୍ୟରେ  ଯେଉଁ ପରିମାଣର ଅଫିମ ଗଛ ନଷ୍ଟ କରାଯାଉଛି,  ସେଥିରୁ ଜଣାପଡ଼ୁଛି ଏହି ନିଶା କିପରି ଧୀରେ  ଧୀରେ କାୟା ବଢ଼ାଉଛି । ୨୦୨୨ ଜୁଲାଇ ୨୦ରେ  କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁରରେ ଏକ  କାର୍‌ରୁ ୯ କିଲୋ ୯୪୦ ଗ୍ରାମ ଅଫିମ ଜବତ  ହୋଇଥିଲା । ୨୦୨୩ ମାର୍ଚ୍ଚରେ ସମ୍ବଲପୁର ଜିଲ୍ଲାର  ରେଢ଼ାଖୋଲ ଅଞ୍ଚଳରେ ୧୦ ହଜାର ଗଞ୍ଜେଇ ଗଛ  ନଷ୍ଟ କରାଯାଇଥିଲା । ଯାହାର ମୂଲ୍ୟ ମାତ୍ର ୭୦  ଲକ୍ଷ ଟଙ୍କା ବୋଲି ଅବକାରୀ ବିଭାଗ କହିଥିଲା ।  

ଅଧିକ ପଢ଼ନ୍ତୁ :-  Illegal opium cultivation: ଝାଡ଼ଖଣ୍ଡ ବେପାରୀଙ୍କ ପାଇଁ ଅଫିମ କ୍ଷେତ ଓଡ଼ିଶା, ଶିମିଳିପାଳ କୋର୍‌ ଏରିଆରେ ଚାଲିଛି ଅବାଧ ଚାଷ, ରାଜନେତାଙ୍କ ଛତ୍ରଛାୟା ତଳେ ମାଫିଆ

୨୦୨୪ ମାର୍ଚ୍ଚ ୮ରେ ରାଉରକେଲାରେ ଏସ୍‌ଟିଏଫ୍‌  ୧୦ କିଲୋ ୫୦୮ ଗ୍ରାମ ଅଫିମ ଜବତ କରିଥିଲା ।  ୨୦୨୪ ମାର୍ଚ୍ଚ ୧୦ରେ ମୟୂରଭଞ୍ଜ ଜିଲ୍ଲା  ଯଶିପୁର ଥାନାଞ୍ଚଳରେ ଶିମିଳିପାଳ ଅଭୟାରଣ୍ୟର  ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲର କୋର୍‌ ଅଞ୍ଚଳରେ  ୫.୨୫ ଲକ୍ଷ ଅଫିମ ଗଛ ନଷ୍ଟ କରାଯାଇଥିଲା ।  ଯାହାର ମୂଲ୍ୟ ୧୦.୬୬ କୋଟି ଟଙ୍କା ।  ଫେବ୍ରୁଆରୀରେ ବି ୧୩ ହଜାର ଗଛ ନଷ୍ଟ  ହୋଇଥିଲା । ମାର୍ଚ୍ଚ ୧୭ରେ ପୁଣି ୧.୫ ଲକ୍ଷ  ଗଛ ନଷ୍ଟ କରାଯାଇଥିଲା । ଏହାର ମୂଲ୍ୟ ୩.୧  କୋଟି କୁହାଯାଇଥିଲା । ୨୦୨୬ ମାର୍ଚ୍ଚରେ  ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆରେ ୩ ଏକର  ଜମିରେ ୪୨ ଗଛ ନଷ୍ଟ କରାଯାଇଥିଲା । ଯାହାର  ମୂଲ୍ୟ ଦେଢ଼ କୋଟି । ଜିଲ୍ଲାର ବଡ଼ଗାଁ ଅଞ୍ଚଳରେ  ବି ଚାଷ ଠାବ ହୋଇଥିଲା ।

୨୦୨୬ ଜାନୁଆରୀରେ କେନ୍ଦୁଝର ଜିଲ୍ଲା ଯୋଡ଼ାର ଘଞ୍ଚ  ଜଙ୍ଗଲରେ ସୁନା ନଦୀର ଉଭୟ ପାଶ୍ୱର୍ରେ ୨ ଏକରରୁ  ଅଧିକ ଜମିରେ ୫ କୋଟିର ଗଛ ନଷ୍ଟ କରାଯାଇଛି । ୨୦୨୬  ଫେବ୍ରୁଆରୀରେ ଅନୁଗୁଳର ସାତକୋଶିଆ ଅଭୟାରଣ୍ୟରେ  ୩.୩୧ ଏକର ଜମିରେ ଗଛ ନଷ୍ଟ କରାଯାଇଛି । ଏହାର  ମୂଲ୍ୟ ଥିଲା ୫ କୋଟି ଟଙ୍କା । ୬ ଲକ୍ଷର ଅଫିମ ଜବତ  ହୋଇଥିଲା । ୨୦୨୬ ମାର୍ଚ୍ଚରେ ନବରଙ୍ଗପୁର ଜିଲ୍ଲା ରାଇଘର  ବ୍ଲକରେ ୨୦ ହଜାରରୁ ଅଧିକ ଗଛ ନଷ୍ଟ ହୋଇଥିଲା ।  ଯାହାର ମୂଲ୍ୟ ୧୦ କୋଟିରୁ ଅଧିକ କୁହାଯାଇଥିଲା । ୨୦୨୪  ଓ ୨୦୨୫ରେ କେବଳ ଶିମିଳିପାଳ ଜଙ୍ଗଲରେ ୪୦ କୋଟି  ଟଙ୍କାର ଅଫିମ ଗଛ ନଷ୍ଟ କରାଯାଇଥିବା ସରକାରୀ ତଥ୍ୟ  କହୁଛି । ୨୦୨୬ରେ କେବଳ ଅନୁଗୁଳରେ ୫ କୋଟି  ଏବଂ କେନ୍ଦୁଝରରେ ୭ କୋଟିର ଗଛ ନଷ୍ଟ କରାଗଲାଣି ।

ଏହାର ଚାଷ ପ୍ରଣାଳୀ ବି ସ୍ୱତନ୍ତ୍ର । ନଭେମ୍ବର ମାସରେ  ଆରମ୍ଭ ହୋଇଥାଏ ଚାଷର ପ୍ରକ୍ରିିୟା । ଟ୍ରାକ୍ଟର କିମ୍ବା ପାୱାର  ଟିଲରରେ ଫୁଟେ, ଦେଢ଼ଫୁଟରୁ ଅଧିକ ଗଭୀର ପର୍ଯ୍ୟନ୍ତ  ମାଟି ହଳ ହୋଇଥାଏ । ଦିନେ ଦୁଇ ଦିନ ପରେ ଯଥେଷ୍ଟ  ଶୁଖିଲା ଖତ ପକାଯାଏ । ପରେ ପୁଣି ଥରେ ଜମିକୁ ଟିକେ  ହଳ କରାଯାଏ । ୨/୩ ଦିନ ତଫାତରେ ମଞ୍ଜି ବୁଣାଯାଇଥାଏ ।  ତେବେ ଦିନରେ କି ଖରାରେ ନୁହେଁ, ଅପରାହ୍ଣ ପରେ  ପରେ ମଞ୍ଜି ବୁଣାଯାଏ । ଦିନେ ଦୁଇ ଦିନ ତଫାତରେ ପାଣି  ଦିଆଯାଏ । ଟ୍ୟାଙ୍କର କିମ୍ବା ବଡ଼ ବଡ଼ ଡ୍ରମରେ ବିଲ ପାଖକୁ  ପାଣି ଆଣି ସ୍ପ୍ରେ କରିବା ଭଳି ଜଳସେଚନ କରାଯାଏ । ବିଲ  ପାଖକୁ ଗମନାଗମନର ଭଲ ରାସ୍ତା ନଥିବାରୁ ବାଇକରେ  ବଡ଼ ବଡ଼ ଡ୍ରମରେ ପାଣି ଅଣାଯାଇଥାଏ । ଡିସେମ୍ବର  ଶେଷ ବେଳକୁ ଗଛ ପ୍ରାୟ ଫୁଟେ ଉଚ୍ଚ ହୋଇଯାଏ । ଏହି  ସମୟରେ ଏକ ଉନ୍ନତ ମାନର ସାର ପକାଯାଏ ବିଲରେ ।  ପାଣି ଓ ସାର ପାଇ ଗଛ ଛନଛନ ହୋଇ ବଢ଼ିଥାଏ ।  

ଯେଉଁ ଜମିରେ ଅଫିମ ମଞ୍ଜି ବୁଣାଯାଇଥାଏ, ତା’  ଚାରିପାଖରେ ଅନାବନା ଗଛର ଜଙ୍ଗଲ ବଢ଼ିଥାଏ, ଯଦ୍ୱାରା  କି ସହଜରେ ଚାଷ ଜମି ନଜରକୁ ଆସିବନି । ଜାନୁଆରୀ  ପ୍ରଥମାର୍ଦ୍ଧରେ ଶାଗ କିଆରୀ ଭଳି ସବୁ ଗଛକୁ ଉପରୁ  ଟିକେ ଟିକେ କାଟି ଦିଆଯାଏ । ଫଳରେ ଏହା ଅଧିକ  ପତ୍ର ସହ କଅଁଳିଥାଏ ଏବଂ ଫୁଲ ଧରିଥାଏ । ଫେବ୍ରୁଆରୀ  ଶେଷ ବେଳକୁ ଫଳ ଟିକେ ବଡ଼ ହେବା ମାତ୍ରେ ଆରମ୍ଭ  ହୋଇଯାଏ ଅସଲ ଅମଳ ପ୍ରକ୍ରିୟା । ଏକ ବାଡ଼ିରେ ତୀକ୍ଷ୍ଣ  ଧାର ଥିବା ଛୁରୀରେ ଫଳ ଗୁଡ଼ିକୁ ତିନି ପାଶ୍ୱର୍ରୁ ଟିକେ  ଟିକେ କାଟି ଦିଆଯାଏ । ସେଥିରୁ ଝରୁଥିବା କ୍ଷୀରକୁ ଏକ  ମାଟି ହାଣ୍ଡିରେ ସଂଗ୍ରହ କରାଯାଏ । ଯାହାକି ଅଠା ଭଳି  ହୋଇ ଅଫିମ ହୁଏ । ଫଳରେ ଥିବା ଆଉ କିଛି କ୍ଷୀର  ବି ଶୁଖିଯାଏ । ଯାହାକୁ ପରେ ସଂଗ୍ରହ କରି ନିଆଯାଏ ।    

ଓଡ଼ିଶାରେ ଉତ୍ପାଦିତ ଶତପ୍ରତିଶତ ଅଫିମ ଚୋରା  ବଜାରକୁ ଯାଇଥାଏ । ଫଳ ଶୁଖିଗଲେ ସେଥିରୁ ପ୍ରସ୍ତୁତ  ହୋଇଥାଏ ‘ପୋସ୍ତ’ । ଯାହାକୁ ସ୍ଥାନୀୟ ବଜାରରେ ଶସ୍ତାରେ  ବିକ୍ରି କରାଯାଏ । ଅମଳ ହୋଇଥିବା ଅଫିମକୁ ମଧ୍ୟ ସଂରକ୍ଷିତ ରଖିବାର ପ୍ରଣାଳୀ ସ୍ୱତନ୍ତ୍ର । ଅନେକ କ୍ଷେତ୍ରରେ ତାହାକୁ ମାଟି ହାଣ୍ଡିରେ ରଖି ଉପରେ କପଡ଼ାକୁ ଦଳା ଅଟା କିମ୍ବା ସେହିଭଳି  କିଛି ପଦାର୍ଥରେ ଜଉମୁଦ ଭଳି ସିଲ୍‌ କରାଯାଇଥାଏ । କିଛି  ଦିନ ପରେ ଏହାକୁ ପ୍ୟାକେଟ କରି ବିଭିନ୍ନ ସମୟରେ ଭିନ୍ନ  ଭିନ୍ନ ଦ୍ରବ୍ୟ ଭିତର ଲୁଚାଇ ଟ୍ରକରେ ସୀମା ପାର କରାଯାଏ ।  

 ପୂର୍ବତନ ଅବକାରୀ କମିଶନର ସୁଦର୍ଶନ ନାୟକଙ୍କ  କହିବା ମୁତାବକ, ଗଞ୍ଜେଇ ଗଛ ଚାଷ ଓ ଅମଳର ପ୍ରକ୍ରିୟା  ଅବିକଳ ନକଲ ହେଉଛି ଅଫିମ ଚାଷ । ଅଫିମକୁ କେମିକାଲ  ପ୍ରୋସେସିଂ କରାଯାଇ ଧଳା ରଙ୍ଗର ବ୍ରାଉନ୍‌ସୁଗର ତିଆରି ହେଉଛି । ହେଲେ, ଓଡ଼ିଶାରେ ପ୍ରୋସେସିଂ ୟୁନିଟ ଏଯାଏ ଠାବ  କରାଯାଇ ପାରିନି । ୨୦୦୪ ମସିହାରେ କଳାହାଣ୍ଡିରେ ପ୍ରଥମ  ଅଫିମ ଚାଷ ଜମି ଠାବ ହୋଇଥିଲା । ଜଣେ ଅଣଓଡି଼ଆ  ଲୋକ ସେଠାକାର ଜଙ୍ଗଲ ଜମିରେ ପରୀକ୍ଷାମୂଳକ ଚାଷ  ଆରମ୍ଭ କରିଥିଲା । ଏବେ ରାଜ୍ୟରେ ଅଫିମ ଚାଷର ହବ୍‌  ପାଲଟିଛି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ସୀମାବର୍ତ୍ତୀ ଅଞ୍ଚଳ ।  ସାଟେଲାଇଟ୍‌ ଚିତ୍ରରୁ ଘଞ୍ଚ ଜଙ୍ଗଲ ଇଲାକାରେ ଚାଷ ଜମି  ଚିହ୍ନଟ କରାଯାଉ । ଡ୍ରୋନ୍‌ ମାଧ୍ୟମରେ କେମିକାଲ ସ୍ପ୍ରେ କରି  ଅଫିମ ଚାରାକୁ ସମୂଳ ନଷ୍ଟ କରାଯାଇ ପାରିବ । ଅଫିମ ଚାଷ  ପାଇଁ ଯିଏ ବି ଦାୟୀ, ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ନିଆଯାଉ । ବନ ବିଭାଗ ଅଧିକାରୀ ହୁଅନ୍ତୁ କିମ୍ବା ରାଜସ୍ୱ ଜମିର  ମାଲିକ । ସମସ୍ତଙ୍କୁ ସମାନ ଢଙ୍ଗରେ ଦଣ୍ଡବିଧାନ ଦିଆଯାଉ ।    

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ,  ରାଜ୍ୟରେ ଯେତିକି ଜମିରେ ଅଫିମ ଚାଷ ହେଉଛି । ସେଥିରୁ  ୭୦ ପ୍ରତିଶତ ଜଙ୍ଗଲ ଜମି ଓ ବାକି ୩୦ ପ୍ରତିଶତ ରାଜସ୍ୱ ଜମି ।  ଜଙ୍ଗଲ ଜମିରେ ଚାଷ ସକାଶେ ପାଣିଠୁ ଆରମ୍ଭ କରି ହଳ  ପାଇଁ ଉପକରଣ ମଧ୍ୟ ଦରକାର । ବନ ବିଭାଗ କର୍ମଚାରୀଙ୍କ  ବିନା ସହଯୋଗରେ ଏହା ଅସମ୍ଭବ । ଯଦି ଏନ୍‌ଡିପିଏସ୍‌  ଆଇନ୍‌ ଅନୁସାରେ ଜମିର ମାଲିକଙ୍କୁ ଗିରଫ କରାଯାଇ  ପାରୁଛି, ତା’ହେଲେ ଜଙ୍ଗଲ ଜମି ତଦାରଖ ଦାୟିତ୍ୱରେ ଥିବା  ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସେପଟେ ବନ ବିଭାଗ ଦୋଷ ମୁଣ୍ଡାଇବାକୁ  ନାରାଜ । ଜଙ୍ଗଲ ଜମିରେ ହେଉଥିବା ଅଫିମ ଚାଷକୁ  ବାସ୍ତବରେ କେମିତି ରୋକିପାରିବେ, ସେନେଇ  ଜଣେ ବରିଷ୍ଠ ଅଧିକାରୀ ପ୍ରଶ୍ନ ଉଠାଇଛନ୍ତି ।    

ତାଙ୍କ କହିବା ମୁତାବକ, ବନ ସମ୍ପଦ ଓ ବନ୍ୟଜନ୍ତୁଙ୍କ  ସୁରକ୍ଷାରେ ବନ ବାହିନୀ ଲାଗିଛି । ବର୍ଷକୁ ୩-୪ ଥର  ଜିଲ୍ଲାସ୍ତରରେ ସମନ୍ୱୟ ବୈଠକ ହେଉଛି । ସେଥିରେ  ସ୍ଥାନୀୟ ବନଖଣ୍ଡ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ  ରହୁଛନ୍ତି । ସେମାନେ ଆବଶ୍ୟକ ମୁତାବକ ତଥ୍ୟ  ଦେଉଛନ୍ତି । ଜଙ୍ଗଲ ଭିତରେ କିଏ କେଉଁ ଗଛ ଲଗାଇଲା,  ତାହା ଯାଞ୍ଚ କରିବା ସେମାନଙ୍କ କାର୍ଯ୍ୟକ୍ଷମତା ବାହାରେ ।    

ବିଶିଷ୍ଟ ବନ୍ୟପ୍ରାଣୀ ଫଟୋଗ୍ରାଫର ତଥା ପରିବେଶବିତ  ପ୍ରମୋଦ ଧଳ କହିଛନ୍ତି, “ବନବିଭାଗ ଅଜାଣତରେ କିଛି  ହେବା କଷ୍ଟକର । ସାଧାରଣ ଲୋକ ଶିମିଳିପାଳର କୋର୍‌  ଏରିଆରେ ପଶିବା କଷ୍ଟ । ଜଣେ ଦୁଇ ଜଣ ଶିକାରୀ ପଶିପାରନ୍ତି ।  କିନ୍ତୁ ଶହ ଶହ ଲୋକ ପ୍ରବେଶ କରି ଚାଷ, ପୁଣି ବେଆଇନ  ଅଫିମ,ତାହା କିପରି । ମୁଁ ନିଜେ ଏକାଧିକବାର ଶିମିଳିପାଳ  ବୁଲିଛି । ଏଭଳି ପ୍ରାକୃତିକ ସମ୍ପଦକୁ ଜାଣିଶୁଣି ମାଫିଆଙ୍କ ହାତକୁ  ଠେଲି ଦିଆଯାଉଛି । କେହି ତ ଉତ୍ତରଦାୟୀ ରହିବା ଉଚିତ ।”