କଟକ, ୧୭/୦୯: ଆଜିଠୁ ଦୁଲୁକିବ ବାରବାଟୀ ଷ୍ଟାଡ଼ିୟମ । ଓଡ଼ିଶା ପ୍ରୋ ଟି-ଟ୍ୱେଣ୍ଟି ଲିଗ୍-୨୦୨୫ ସଂସ୍କରଣରେ ମୁହାଁମୁହିଁ ହେବେ ୬ଟି ଦଳ । କଟକ ପାନ୍ଥର୍ସ ଓ ଭୁବନେଶ୍ୱର ଟାଇଗର୍ସ ଉଦ୍ଘାଟନୀ ମ୍ୟାଚ୍ ଖେଳଯିବ। ଏହା ପୂର୍ବ ଲିଗର ବ୍ରାଣ୍ଡ୍ ଆମ୍ବାସଡର ତଥା ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନଙ୍କ ଉପସ୍ଥିତିରେ ମଙ୍ଗଳବାର ବିଭିନ୍ନ ଦଳର ଅଧିନାୟକମାନେ ଜର୍ସି ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ଭୁବନେଶ୍ୱର ଟାଇଗର୍ସ ଅଧିନାୟକ ସୂର୍ଯ୍ୟକାନ୍ତ ପ୍ରଧାନ, କଟକ ପାନ୍ଥର୍ସ ଅଧିନାୟକ ସ୍ୱସ୍ତିକ ସାମଲ, ସମ୍ବଲପୁର ୱାରିୟର୍ସ ଅଧିନାୟକ ଶୁଭ୍ରାଂଶୁ ସେନାପତି, କେନ୍ଦୁଝର ମାଇନର୍ସ ଅଧିନାୟକ ଗୋବିନ୍ଦ ପୋଦ୍ଦାର, ରାଉରକେଲା ଷ୍ଟିଲର୍ସ ଅଧିନାୟକ ଆଶୀର୍ବାଦ ସ୍ୱାଇଁ, ପୁରୀ ଟାଇଟନ୍ସ ଅଧିନାୟକ ସନ୍ଦୀପ ପଟ୍ଟନାୟକ, ଫାଓ ସମ୍ପାଦକ ଆଶୀର୍ବାଦ ବେହେରା, ଓସିଏ ସମ୍ପାଦକ ସଞ୍ଜୟ ବେହେରା ଓ କୋଷାଧ୍ୟକ୍ଷ ବିକାଶ ପ୍ରଧାନଙ୍କ ସହ ପ୍ରତ୍ୟେକ ଦଳର ବ୍ରାଣ୍ଡ୍ ଆମ୍ବାସଡରମାନେ ଉପସ୍ଥିତ ରହିଥିଲେ ।
ବୁଧବାର ଉଦ୍ଘାଟନୀ ଉତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଭୁବନେଶ୍ୱର ଓ କଟକ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ । ଇରଫାନ କହିଥିଲେ, ‘ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ଆନୁକୂଲ୍ୟରେ ଓଡ଼ିଶାରେ କ୍ରିକେଟ୍ର ବିକାଶ ବେଶ ପ୍ରଶଂସନୀୟ । ତୃଣମୂଳସ୍ତରରୁ କ୍ରିକେଟର ବିକାଶ ନେଇ ଓଡ଼ିଶାରେ ୩୦ଟି ଜିଲ୍ଲାରେ ୪୧ଟି ଏକାଡେମୀ ପ୍ରତିଷ୍ଠା ହୋଇଛି । ଏହି ଲିଗ୍ ଖେଳାଳିମାନଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ । ଯୁବ ଖେଳାଳିଙ୍କ ଉପରେ ମୋର ନଜର ରହିବ ନିଶ୍ଚିତ ।