ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ସୋମବାର ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ମିଶନକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଏହା ଭାରତର ମାନବ ମହାକାଶ ଉଡ଼ାଣ ମହତ୍ତ୍ୱାକାଂକ୍ଷାର ଏକ "ଶକ୍ତିଶାଳୀ ପ୍ରତୀକ" । ଆଗାମୀ ଗଗନଯାନ କାର୍ଯ୍ୟକ୍ରମର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଥରୁର କହିଛନ୍ତି, ‘ବିରୋଧୀ ଦଳ ବିଶେଷ ଆଲୋଚନାରେ ଅଂଶଗ୍ରହଣ କରୁନାହାନ୍ତି । ମୁଁ କହିବାକୁ ଚାହେଁ ଯେ, ସମସ୍ତ ଭାରତୀୟ କମାଣ୍ଡର ଶୁଭାଂଶୁ ଶୁକ୍ଳାଙ୍କ ISS ମିଶନ ପାଇଁ ଗର୍ବିତ। ଏହା ଆମ ଦେଶର ଗଗନଯାନ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।’
ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଲୋକସଭାରେ ଶୁକ୍ଳାଙ୍କ ମିଶନ ଏବଂ ଭାରତର ମହାକାଶ କାର୍ଯ୍ୟକ୍ରମ ଉପରେ ଏକ ସ୍ୱତନ୍ତ୍ର ଆଲୋଚନାରେ ଯୋଗଦେବାକୁ ବିରୋଧୀ ଦଳଗୁଡ଼ିକୁ ନିବେଦନ କରିଥିଲେ । କିନ୍ତୁ ଅନେକ ବିରୋଧୀ ନେତା ଏହି ଅଧିବେଶନରେ ଯୋଗ ଦେଇନଥିଲେ । ସେମାନେ ଭୋଟର ଜାଲିଆତି ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ।
ଥରୁର କହିଛନ୍ତି ଯେ, ଶୁକ୍ଳାଙ୍କ ଉଡ଼ାଣ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)କୁ ଅମୂଲ୍ୟ ପ୍ରତ୍ୟକ୍ଷ ଅଭିଜ୍ଞତା ପ୍ରଦାନ କରିଛି । ଏଥିରେ ମହାକାଶଯାନ ପ୍ରଣାଳୀକୁ ବୁଝିବା, ପ୍ରକ୍ଷେପଣ ପ୍ରକ୍ରିୟା ଏବଂ ମାଇକ୍ରୋଗ୍ରାଭିଟିର ମାନସିକ ଓ ଶାରୀରିକ ପ୍ରଭାବର ଅଭିଜ୍ଞତା ଅନ୍ତର୍ଭୁକ୍ତ । ସେ କହିଛନ୍ତି ଯେ, ଗଗନଯାନ ମିଶନକୁ ସୁରକ୍ଷିତ ଏବଂ ଉନ୍ନତ କରିବାରେ ଏହି ଅଭିଜ୍ଞତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଏହି ମିଶନ ମହାକାଶର ବାସ୍ତବ ପରିବେଶରେ ଭାରତୀୟ ସିଷ୍ଟମ ଏବଂ ପ୍ରୋଟୋକଲଗୁଡ଼ିକୁ ପରୀକ୍ଷଣ କରିଥିଲା। ଏହା ମାନବ ସ୍ୱାସ୍ଥ୍ୟର ଅଧ୍ୟୟନ ଏବଂ ଉଦ୍ଭିଦ ବୃଦ୍ଧି ଉପରେ ପରୀକ୍ଷଣ ଭଳି ବୈଜ୍ଞାନିକ ନିଷ୍କର୍ଷ ମଧ୍ୟ ଉତ୍ପନ୍ନ କରିଥିଲା । ଯାହା ଭବିଷ୍ୟତର ଭାରତୀୟ ମହାକାଶ ଉଡ଼ାଣ ପାଇଁ ଜୀବନ-ସହାୟକ ଏବଂ ଚିକିତ୍ସା ବ୍ୟବସ୍ଥାକୁ ଆକାର ଦେବ ବୋଲି ଶଶି ଥରୁର କହିଛନ୍ତି ।
ଥରୁର କହିଛନ୍ତି ଯେ, ଶୁଭାଂଶୁ ଶୁକ୍ଳାଙ୍କ ଐତିହାସିକ ଉଡ଼ାଣ ଭାରତର ମାନବ ମହାକାଶ ଉଡ଼ାଣ ମହତ୍ତ୍ୱାକାଂକ୍ଷାକୁ ଏକ ଦିଗ ଦେଇଛି । ଏହା ଦେଶର ନୂତନ ପିଢ଼ିକୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ଗଣିତ ଏବଂ ମହାକାଶ ଅଧ୍ୟୟନରେ କ୍ୟାରିଅର ଗଢିବାକୁ ପ୍ରେରଣା ଦେଇଛି । ଏହା ଭାରତର ଦୀର୍ଘକାଳୀନ ମହାକାଶ ଲକ୍ଷ୍ୟ ପାଇଁ ଅତ୍ୟାବଶ୍ୟକ।