ନୂଆଦିଲ୍ଲୀ,୨୮/୦୭: ଆଜି ବି ଚାଲିପାରୁନି ସଂସଦର ମୌସୁମୀ ଅଧିବେଶନ । ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଙ୍ଗାମା । ବାରମ୍ବାର ଗୃହ ମୁଲତବୀ ଘୋଷଣା । ରାଜ୍ୟସଭା ଅପରାହ୍ନ ୨ଟା ଓ ଲୋକସଭାକୁ ଅପରାହ୍ନ ୧ଟା ଯାଏ ମୁଲତବୀ ରହଛି । ସେପଟେ ବିରୋଧୀଙ୍କ ହୋ-ହାଲ୍ଲା ନେଇ ତାଗିଦ୍ କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ଗୃହରେ 'ଅପରେସନ୍ ସିନ୍ଦୂର' ଉପରେ ୧୬ଘଣ୍ଟା ଚର୍ଚ୍ଚା ହେବାର ଥିଲା । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସିନ୍ଦୂର ବାବଦରେ ବିବୃତ୍ତି ରଖିଥାନ୍ତେ । ହେଲେ ବିରୋଧୀ ଗୃହରେ ହୋ-ହାଲ୍ଲା କରିବାରୁ ପ୍ରଶ୍ନକାଳ ଧୋଇଯାଇଛି ।

ବିରୋଧୀଙ୍କ ହଙ୍ଗାମାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା । ସେ ଗୃହରେ ଶାନ୍ତି ରକ୍ଷା କରିବାକୁ ସାଂସଦମାନଙ୍କୁ ଅନୁରୋଧ କରିଥିଲେ । ହେଲେ କେହି କର୍ଣ୍ଣପାତ କରି ନଥିଲେ । ଏହାକୁ ନେଇ ସେ କହିଛନ୍ତି, ''ସାଂସଦ ଗଣ ତୁମେ ଗୃହ ସ୍ଥଗତି କରିବାକୁ ଚାହୁଁଛ କି ? ଅପରେସନ୍ ସିନ୍ଦୂର ଉପରେ ଚର୍ଚ୍ଚା ଚାହୁଁଛ ନା ନାହିଁ ? ରାଜନୈତିକ ଦଳ ଓ ନେତାଙ୍କ ମଧ୍ୟରେ ପ୍ରତିଶ୍ରୁତିବଦ୍ଧ ରହିବା ଦରକାର । ଅପରେସନ୍ ସିନ୍ଦୂର ଉପରେ ଚର୍ଚ୍ଚା କରିବାକୁ ଚାହୁଁଥିଲେ ହେବେ କାହିଁକି ବାଧା ସୃଷ୍ଟି କରୁଛ । ପ୍ରଶ୍ନକାଳ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥାଏ । ଦେଶ ଜାଣିବାକୁ ଚାହୁଁଛି ତୁମେ କାହିଁକି ପ୍ରଶ୍ନକାଳ ଚଲାଇ ଦେଉନାହଁ, ଜବାବ୍‌ ଦିଅ । ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚର୍ଚ୍ଚା ହେବାର ଅଛି ହେଲେ ତୁମେ ତାହା କରାଇ ଦେଉନାହଁ । ସଂସଦର ମର୍ଯ୍ୟାଦା ଭଙ୍ଗ କରୁଛି । ଏହା ୧୪୦ କୋଟି ଜନତାଙ୍କ ମନ୍ଦିର । ମୁଦ୍ଦା ଉପରେ ଆଲୋଚନା କରିବାକୁ ଚାହୁଁନ ଏହା ସମ୍ପୂର୍ଣ୍ଣ ଭୁଲ୍ । ସମସ୍ତଙ୍କୁ କହୁଛୁ ସଂସଦର ଗରିମା ରକ୍ଷା କର ।''

ବିରୋଧୀଙ୍କ ହଙ୍ଗମା କରିବା ଓ ଅପରେସନ୍ ସିନ୍ଦୂର ଉପରେ ଚର୍ଚ୍ଚା ହୋଇ ନପାରିବାକୁ ନେଇ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ''ଅପରେସନ୍ ସିନ୍ଦୂର ଚର୍ଚ୍ଚାରୁ ବିରୋଧୀ ୟୁ-ଟର୍ଣ୍ଣ ନେଇଛନ୍ତି । ଏହା କାମ କରିବ ନାହିଁ । ଆମେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଥିଲୁ । ସେମାନେ ୧୦ ମିନିଟ୍‌ ପୂର୍ବରୁ ଅଚାନକ ଏସ୍‌ଆଇଆର୍ ଉପରେ ଚର୍ଚ୍ଚା କରିବାକୁ କହିଥିଲେ । ରକ୍ଷା ମନ୍ତ୍ରୀ ସିନ୍ଦୂର ଉପରେ ଚର୍ଚ୍ଚା କରିବେ ତାଙ୍କ କଥା ଶୁଣନ୍ତୁ ସମସ୍ତେ । ବିରୋଧୀ ପାକିସ୍ତାନ ଭାଷା ନ କୁହନ୍ତୁ ।''

ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ''ମୁଁ ଜାଣିଥିଲି ଏମିତି ହେବ ତେଣୁ ସଂସଦ ବାହାରେ ଛିଡା ହୋଇଛି । ମୁଁ ଯଦି କହିବି ତେବେ ସଂସଦ ଭିତରେ କହିବି ।''