ରାୟଗଡ଼ା, ୧୧/୭ : ପରମ୍ପରା ପାଳନ ନାମରେ କଙ୍ଗାରୁ କୋର୍ଟ। ସମ୍ପର୍କୀୟ ପିଉସୀ ଓ ପୁତୁରାଙ୍କ ପ୍ରେମ ସମ୍ପର୍କକୁ ବିରୋଧ । ଏହାକୁ ନେଇ ଗାଁ ଲୋକ ବୈଠକ କରି ପ୍ରେମୀ ଯୁଗଳଙ୍କୁ ଚାଷ ଜମିରେ ହଳ କରି ଦଣ୍ଡ ଦେଇଛନ୍ତି । ଏହି ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହିଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଂଚାୟତରେ। ଗାଁରେ ଏହି ଦଣ୍ଡ ମିଳିବା ପରେ ପ୍ରେମୀ ଯୁଗଳଙ୍କ ପତ୍ତା ମିଳୁନାହିଁ। ସେମାନେ କେଉଁଆଡ଼େ ଚାଲି ଯାଇଛନ୍ତି କି ଏ ନେଇ କିଛି ଜଘନ୍ୟ କାଣ୍ଡ ଘଟିଛି ତାହାକୁ ନେଇ ଗାଁର କେହି ମଧ୍ୟ ମୁହଁ ଖୋଲୁନାହାଁନ୍ତି । ଏହି ଘଟଣାଟି ଗତ ଗୁରୁବାର ଘଟିଥିବା ଜଣାପଡ଼ିଛି । 

ପ୍ରକାଶ ଯେ, କଞ୍ଜାମଯୋଡ଼ି ଗ୍ରାମର ଯୁବକ କୋଡ଼ିୟା ସାରକା(୨୮) ଓ ତାଙ୍କ ଦୂର ସମ୍ପର୍କୀୟ ପିଉସୀ ଉଭୟ ପରସ୍ପରକୁ ଦୀର୍ଘ ଦିନରୁ ପ୍ରେମ କରୁଥିଲେ। ଉଭୟେ ବିବାହ ପାଇଁ ଯୋଜନା କରି ଫେରାର ମଧ୍ୟ ହୋଇ ଯାଇଥିଲେ। ହେଲେ ଏହି ବିଷୟରେ ଜାଣିବା ପରେ ପରିବାର ବର୍ଗ ମନା କରିବା ସହ ଗାଁ ଲୋକେ ସେମାନଙ୍କୁ ଗାଁକୁ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ । ଗାଁ ଲୋକେ ଗୋଟିଏ ବୈଠକ କରି ଏହାର ଫଳ ବାହାର କରିଥିଲେ । ଆଉ ଉଭୟ ପ୍ରେମୀ ଯୁଗଳଙ୍କୁ ଦଣ୍ଡ ବିଧାନ କରିଥିଲେ । ଚାଷ ଜମିରେ ବଳଦ ବଦଳରେ ହଳ କରାଇ ଦଣ୍ଡ ଦେଇଥିଲେ । ସମସ୍ତ ଗ୍ରାମବାସୀଙ୍କ ସମ୍ମୁଖରେ ନୂତନ ଲଙ୍ଗଳ ଓ ଜୁଆଳି ପକାଇ ହଳ କରାଯାଇଛି । ଆଉ ଏହାର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ । ଯାହା ସମ୍ପୂର୍ଣ୍ଣ ଭାବେ ମାନବାଧିକାର ଉଲ୍ଲଘଂନ କରୁଛି । ତେବେ ତାହା ପରଠାରୁ ପ୍ରେମୀ ଯୁଗଳ ଗାଁରେ ନ ଥିବା ଜଣାପଡ଼ିଛି । 

ଏ ନେଇ କଲ୍ୟାଣସିଂହପୁର ଥାନା ଅଧିକାରୀ ନୀଳକଣ୍ଠ ବେହେରାଙ୍କୁ ଯୋଗାଯୋଗ କରିବାରୁ ଆମ ନିକଟକୁ ସେହିଭଳି କୌଣସି ଅଭିଯୋଗ ଆସିନଥିବା କହିଛନ୍ତି । ହେଲେ ବର୍ତ୍ତମାନ ଦଣ୍ଡ ବିଧାନ ପରେ ପ୍ରେମୀ ଯୁଗଳ କେଉଁଆଡ଼େ ଫେରାର ହୋଇଛନ୍ତି ଅଥବା ସେମାନଙ୍କ ସହ ଅନ୍ୟ କିଛି ଘଟଣା ଘଟିଛି ତାହା ତଦନ୍ତସାପେକ୍ଷ। ଏଣେ ସମାଜରେ ଆଜି ମଧ୍ୟ ଏହିଭଳି ଘଟଣାର ଶାନ୍ତିପୂର୍ଣ୍ଣ ସମାଧାନ ପରିବର୍ତେ ଦଣ୍ଡବିଧାନ କେତେ ଦୂର ଗ୍ରହଣୀୟ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଉଭୟେ ପ୍ରେମ କରି ଦଣ୍ଡ ଭୋଗିଛନ୍ତି।