କଟକ,୦୮/୦୮:ରାଜ୍ୟରେ ଗୋ’ହତ୍ୟା ବନ୍ଦ ପାଇଁ ସ୍ୱତନ୍ତ୍ର ଆଇନ ରହିଛି ।  ତେଣୁ ସେହି ଆଧାରରେ ଓଡ଼ିଶାରେ ଗୋ’ହତ୍ୟା ହୋଇପାରିବନାହିଁ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଗୋ’ହତ୍ୟା ନିରୋଧ ଆଇନ ସମ୍ପର୍କରେ  ଗୁରୁବାର ରାଜ୍ୟ ସରକାର ଅଦାଲତଙ୍କୁ ଅବଗତ କରିବା ପରେ ହାଇକୋର୍ଟ ଏହି  ରାୟ ଦେଇଛନ୍ତି । ଗୋ’ ଫାଉଣ୍ଡେସନ୍‌ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ ଏବଂ ବିଚାରପତି ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ  ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।  

ଆବେଦନକାରୀ ପିଟିସନ୍‌ରେ ଦର୍ଶାଇଥିଲେ  ଯେ, ଗୋ’ ହତ୍ୟା ବନ୍ଦ ପାଇଁ ଓଡ଼ିଶା ସରକାର  ୧୯୬୦ରେ ଆଇନ ପ୍ରଣୟନ କରିଥିଲେ । ଓଡ଼ିଶା ପ୍ରିଭେନ୍‌ସନ୍‌ ଅଫ୍‌ କାଓ ସ୍ଲଟର୍‌ ଆକ୍ଟ  ନାମରେ ଏହା ପରିଚିତ । ଏହି ଆଇନର  ଧାରା ୩ ଅନୁସାରେ ରାଜ୍ୟରେ କୌଣସି ବି କାରଣ ପାଇଁ ଗୋରୁଗାଈଙ୍କୁ ହତ୍ୟା  କରାଯାଇ ପାରିବନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି । କିନ୍ତୁ ଏହି ଆଇନକୁ ରାଜ୍ୟରେ  କାର୍ଯ୍ୟକାରୀ କରାଯାଉନାହିଁ । ଫଳରେ ରାଜ୍ୟରେ ଅବାଧରେ ଗୋରୁଗାଈଙ୍କୁ  କଟାଯାଉଛି ବୋଲି ଆବେଦନକାରୀ ଉଲ୍ଲେଖ କରିଥିଲେ । 

ଏପରିକି କଟକରେ  ବେଆଇନ ଭାବେ ଚାଲିଥିବା କଂସେଇଖାନାକୁ ବନ୍ଦ ପାଇଁଆବେଦନକାରୀ ପ୍ରାର୍ଥନା କରିଥିଲେ । ଏହା ଉପରେ ହାଇକୋର୍ଟ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ତଲବ କରିଥିଲେ । ରାଜ୍ୟ ସରକାର ଏହା ଉପରେ ଜବାବ ଦାଖଲ କରିଥିଲେ । ରାଜ୍ୟରେ ଗୋ ହତ୍ୟା ନିରୋଧ ଆଇନ ଥିବା ସମ୍ପର୍କରେ ଅଦାଲତଙ୍କୁ ଅବଗତ  କରିଥିଲେ । ଆବେଦନକାରୀ ସଂସ୍ଥା ପକ୍ଷରୁ ଆଇନଜୀବୀ ମୃଣାଳିନୀ ପାଢ଼ୀ ମାମଲା  ପରିଚାଳନା କରୁଥିଲାବେଳେ ଆଇନଜୀବୀ ପୀୟୂଷ ପଣ୍ଡା ସହଯୋଗ କରୁଥିଲେ ।