ନୂଆଦିଲ୍ଲୀ ୦୩/୦୩: ଓସ୍କାର ୨୦୨୫ର ଗ୍ରାଣ୍ଡ ଇଭେଣ୍ଟ ଆମେରିକାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହେଉଛି। ୯୭ ତମ ଏକାଡେମୀ ପୁରସ୍କାର ବିତରଣ ଉତ୍ସବ ଲସ୍ ଆଞ୍ଜେଲ୍ସରେ ଓଭେସନ୍ ହଲିଉଡର ଡଲବି ଥିଏଟରରେ ଚାଲିଛି । ମାର୍ଚ୍ଚ ୨ ରେ ସନ୍ଧ୍ୟା ୭ ଟାରୁ ଆରମ୍ଭ ହୋଇଥିବା ଏହି ଇଭେଣ୍ଟରେ ଏପର୍ଯ୍ୟନ୍ତ ଅନେକ ବର୍ଗରେ ପୁରସ୍କାର ଘୋଷଣା କରାଯାଇଛି । ଏହି ଲିଷ୍ଟରେ ବେଷ୍ଟ ଆକ୍ଟର୍‌ ଇନ୍‌ ଲିଡିଙ୍ଗ୍ ରୋଲ୍ ମଧ୍ୟ ସାମିଲ ହୋଇଛି।

ଓସ୍କାର ୨୦୨୫ ରେ ଆଡ୍ରିଏନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି । ଫିଲ୍ମ 'ଦ ବ୍ରୁଟଲିଷ୍ଟ'ରେ ତାଙ୍କର ଦମଦାର୍‌ ଅଭିନୟ ପାଇଁ ତାଙ୍କୁ ଓସ୍କାର ପ୍ରଦାନ କରାଯାଇଛି। ଏହି ଟାଇଟଲ୍ ଜିତି ସେ ଅବଶିଷ୍ଟ ଚାରି ଜଣ ପ୍ରାର୍ଥୀଙ୍କୁ ପଛରେ ପକାଇଛନ୍ତି। ଏହି ତାଲିକାରେ 'ଦ କମ୍ପ୍ଲିଟ୍‌ ଅନନୋନ୍‌'ର ଅଭିନେତା ଟିମଥି ଚାଲମେଟ, 'ସିଙ୍ଗ ସିଙ୍ଗ'ର ଅଭିନେତା କଲମାନ ଡୋମିଙ୍ଗୋ, 'କନକ୍ଲେଭ'ର ଅଭିନେତା ରାଲଫ ଫିଏନେସ ଏବଂ 'ଆପ୍ରେଣ୍ଟିସ' ର ଅଭିନେତା ସେବାଷ୍ଟିଆନ ମଧ୍ୟ ସାମିଲ ଥିଲେ।



ଏଥିସହିତ ଶ୍ରେଷ୍ଠ ସହାୟକ ଅଭିନେତା ଭାବରେ କିରାନ୍ କଲକିନ୍ ଓସ୍କାର ପୁରସ୍କାର ପାଇଛନ୍ତି । ଫିଲ୍ମ 'ଦି ରିଅଲ୍ ପେନ୍'ରେ ତାଙ୍କର ଦମଦାର ଅଭିନୟ ପାଇଁ ସେ ଏହି ପୁରସ୍କାର ଜିତିଛନ୍ତି । ଏହି ଟାଇଟଲ୍ ଜିତି ସେ 'ଅନୋରା' ଅଭିନେତା ୟୁରା ବୋରିସୋଭ, 'ଦ କମ୍ପ୍ଲିଟ୍‌ ଅନନୋନ୍‌' ଅଭିନେତା ଏଡୱାର୍ଡ ନର୍ଟନ୍, 'ଦ ବ୍ରୁଟଲିଷ୍ଟ' ଅଭିନେତା ଗାଇ ପିୟର୍ସ ଏବଂ 'ଆପ୍ରେଣ୍ଟିସ୍' ଅଭିନେତା ଜେରେମି ଷ୍ଟ୍ରଙ୍ଗଙ୍କୁ ପଛରେ ପକାଇଛନ୍ତି।



ତେବେ ୯୭ ତମ ଏକାଡେମୀ ଆୱାର୍ଡ ଷ୍ଟାର୍ ମୁଭିଜ୍, ଷ୍ଟାର୍ ମୁଭିଜ୍ ସିଲେକ୍ଟ ଏବଂ ଜିଓ ଷ୍ଟାରରେ ଲାଇଭ୍‌ ଷ୍ଟ୍ରିମିଂ ହେଉଛି। ଏମି ୱିନିଂଗ୍ ରାଇଟର୍‌, ପ୍ରଡ୍ୟୁସର୍‌ ତଥା ହାସ୍ୟ ଅଭିନେତା କନନ୍ ଓ’ ବ୍ରାଇନ୍ ଏହି ସମାରୋହର ହୋଷ୍ଟ କରୁଛନ୍ତି । ସେ ପ୍ରଥମ ଥର ପାଇଁ ଓସ୍କାରକୁ ହୋଷ୍ଟ କରୁଛନ୍ତି ।