ଭୁବନେଶ୍ୱର,୧୯/୧୧ : ଡ୍ରପ୍‌ଆଉଟ୍‌ ହ୍ରାସ ପାଇଁ ଅଣ୍ଟା ଭିଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଯେପରି କେହି ନିରକ୍ଷର ନ ରହିବେ ସେଥିଲାଗି ପଦକ୍ଷେପ ନିଆଯାଇଛି। ସେଥିଲାଗି ଯୁକ୍ତ ଦୁଇ (ଦ୍ୱାଦଶ ଶ୍ରେଣୀ) ଯାଏ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ (ଏସ୍‌ଆଇଓଏସ୍‌) ରେ ପାଠପଢ଼ାର ସୁଯୋଗ ମିଳିବ । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏ ନେଇ ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ (ଏନ୍‌ଆଇଓଏସ୍‌) ସହ ଓସେପା ଏକ ଚୁକ୍ତି ସ୍ୱାକ୍ଷର କରିଛି ।

ଚୁକ୍ତି ଅନୁଯାୟୀ, ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ମାଗଣାରେ ପାଠପଢ଼ିବାର ସୁଯୋଗ ପାଇବେ । ରାଜ୍ୟ ମୁକ୍ତ ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାର ସୁଯୋଗ ରହିଥିଲା । ଦଶମ ଶ୍ରେଣୀ ପରେ ନାମ ଲେଖାଇବାକୁ ହେଲେ ଏନ୍‌ଆଇଓଏସ୍‌ ୨୬୦୦ ଟଙ୍କା ଫି ନେଉଥିଲା । ଯାହାକୁ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ବହନ କରିବେ । ଏନେଇ ଓସେପା ଓ ଏନ୍‌ଆଇଓଏସ୍‌ ମଧ୍ୟରେ ଚୁକ୍ତି ସ୍ୱାକ୍ଷର କରାଯାଇଛି ।

ଓସେପା ଅଧିକାରୀଙ୍କ କହିବା କଥା, ଏହା ଦ୍ୱାରା ରାଜ୍ୟରେ ବଢ଼ୁଥିବା ଡ୍ରପ୍‌ଆଉଟ୍‌ ହାର ନିଶ୍ଚିତ ଭାବେ କମିବ । ରାଜ୍ୟରେ ନବମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ଡ୍ରପ୍‌ ଆଉଟ୍‌ ହାର ବଢ଼ୁଛି । ମୁକ୍ତ ବିଦ୍ୟାଳୟ ନାମଲେଖା ଦ୍ୱାରା ଏହା ହ୍ରାସ ପାଇବ ।