ଭୁବନେଶ୍ୱର,୦୪/୦୩: ଗୋପବନ୍ଧୁ ଛକରୁ ଓୟୁଏଟି ପାଚେରି କଡ଼ରେ ଥିବା ସରକାରୀ ଜାଗାକୁ କବଜା କଲେ । ରାତାରାତି ଭେଣ୍ଡିଂ ଜୋନ୍ ଢାଞ୍ଚାରେ ଘର ନିର୍ମାଣ କଲେ । କାଳେ ଉଚ୍ଛେଦ ହେବ, ଏଥିପାଇଁ ଗେରୁଆ ରଙ୍ଗ ବୋଳିଦେଲେ । ଦିନ ଦୁଇ ପ୍ରହରରେ ଏମତି ଆଖିରେ ଆଙ୍ଗୁଠି ଗେଞ୍ଜି ସରକାରୀ ଜାଗାକୁ ମାଡ଼ିବସିଛନ୍ତି ଜବରଦଖଲକାରୀ । ଆଶ୍ଚର୍ଯ୍ୟର ବିଷୟ ବିଏମ୍ସିର ଅଧିକାରୀମାନେ ଜାଣି ବି ଚୁପ ବସିଛନ୍ତି । ସହର ଏପରି ନକଲି ଭେଣ୍ଡିଂଜୋନ ଖୋଲିବାରେ ଲାଗିଛି ।
ଓୟୁଏଟିରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଫାଷ୍ଟଫୁଡ୍ ଦୋକାନ ପାଇଁ ପ୍ରବଳ ଗହଳି ଜମୁଥିଲା । ପ୍ରବାସୀ ଭାରତୀୟ ସମ୍ମିଳନୀ ପୂର୍ବରୁ ବିଏମ୍ସି ପକ୍ଷରୁ ଉଚ୍ଛେଦକୁ ଜୋରଦାର କରାଯାଇଥିଲା । ରାସ୍ତାକଡ଼ରେ ଥିବା ସବୁ ଦୋକାନୀଙ୍କୁ ହଟାଯାଇ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଥିଲା ।
ଏବେ ପୁଣି କିଛି ମାସ ପରେ ଜବରଦଖଲ ଫେରିଛି । ଅସ୍ଥାୟୀ ଭାବେ ଦିଆଯାଇଥିବା ସ୍ଥାନରେ କିଛି ଦୋକାନୀ ସ୍ଥାୟୀ ଦୋକାନ ନିର୍ମାଣ କରୁଛନ୍ତି । ତାହା ପୁଣି ଭେଣ୍ଡିଂ ଜୋନ୍ ଡିଜାଇନ୍ରେ । ପ୍ରାୟ ୩୨ରୁ ଅଧିକ ଦୋକାନ ନିର୍ମାଣ ହେଉଛି । ସେଥିରେ ରଙ୍ଗ ବି ଗେରୁଆ ରହିଛି। ପ୍ରଶ୍ନ ଉଠିଛି ଯେ ବିନା ପାର୍କିଂ ସୁବିଧାରେ ଏତେ ଗୁଡିଏ ଦୋକାନ ଖୋଲିବାକୁ କିଏ ଅନୁମତି ଦେଲା? ଯଦି ଦୋକାନ ଖୋଲେ ତାହେଲେ ଉକ୍ତ ରାସ୍ତାରେ ପୁଣି ଭିଡ଼ ଜମିବ । ରାସ୍ତାରେ ଗାଡ଼ି ପାର୍କିଂ ହେଲେ ଟ୍ରାଫିକ ଜାମ ହେବା ଥୟ ।
ଏହି ନୂଆ ଭେଣ୍ଡିଂଜୋନ୍ ନିର୍ମାଣ ପଛରେ କିଛି ବଡ଼ଧରଣ କାରସାଦି ହୋଇଥିବା ସନ୍ଦେହ ଉପୁଜିଛି । ବିଏମ୍ସି ଅଧିକାରୀଙ୍କ ଜାଣତରେ ଏଭଳି କେଳେଙ୍କାରୀ ଚାଲିଥିବା ଅଭିଯୋଗ ହୋଇଛି । ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ବର୍ତ୍ତମାନ ବିଏମସି ଭେଣ୍ଡିଂ ଜୋନ୍ ବଦଳରେ ଜାଗା ଦେଉଛି । ସେଠାରେ ପ୍ରକୃତ ହିତାଧିକାରୀମାନଙ୍କୁ ବିଏମ୍ସି ଜାଗା ଆବଣ୍ଟନ କରୁଛି । ହେଲେ ଓୟୁଏଟି ପାଖରେ ବିଏମ୍ସି କେବଳ ଅସ୍ଥାୟୀ ଦୋକାନ ପାଇଁ ଅନୁମତି ଦେଇଥିଲା । ହେଲେ ସ୍ଥାୟୀ ଦୋକାନ ନିର୍ମାଣ କରିବାକୁ ସରକାରୀ ଭାବେ କିଛି ନିର୍ଦ୍ଦେଶ ଦିଆଯାଇ ନାହିଁ । ରଙ୍ଗ ବି ମାରିବାକୁ ଅନୁମତି ବିଏମ୍ସି ଦେଇନାହିଁ । କିଏ ନିର୍ମାଣ କରୁଛି ତାକୁ ନେଇ ତର୍ଜମା ହେବ ।
ପ୍ରଶ୍ନ ଉଠିଛି ଯଦି ବିଏମ୍ସି ଅନୁମତି ଦେଇନି, ତାହାଲେ ସେଠାରେ କେଉଁ ୩୨ ଜଣ ଦୋକାନ ଖୋଲିବେ । କିଏ ସେମାନଙ୍କୁ ଦୋକାନ ପାଇଁ ଜାଗା ଆବଣ୍ଟନ କଲା । ନା ହାତଗୁଞ୍ଜା ଦେଇ ଦୋକାନ ନିର୍ମାଣ କରିଛନ୍ତି । ଦାୟିତ୍ୱରେ ଥିବା କର୍ମଚାରୀ କଣ କରୁଛନ୍ତି । କାହିଁକି ସେମାନଙ୍କୁ ଅନୁକମ୍ପା ଦିଆଯାଇଛି । ଏମାନେ ପ୍ରକୃତ ଉଚ୍ଛେଦ ହେଇଥିବା ହିତାଧିକାରୀ ନା ଆଉ କିଏ, ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ରାସ୍ତା କଡ଼ରେ ଦହିବରା, ପରିବା ବିକ୍ରି କରୁଥିବା ଉଠାଦୋକାନୀଙ୍କୁ ହାକିମାତି ଦେଖାଉଥିବା ଏନ୍ଫୋର୍ସମେଣ୍ଟ ଟିମ୍ ଏବେ କୁଆଡ଼େ ଗଲେ, ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।