ଓଡ଼ିଆ ଲୋକେ କିଭଳି ତାଙ୍କର ମହତ୍ତ୍ୱ ଉଦ୍ଘୋଷିତ କରିବାର ମାନସିକତାକୁ ପରିତ୍ୟାଗ କଲେ ବା କହିପାରନ୍ତି କିଭଳି ଏ ମାନସିକତା ଏ ଜାତିକୁ ସ୍ପର୍ଶ କଲାନାହିଁ, ତାର ବିବରଣୀ ଇତିହାସରେ ନାହିଁ । ସ୍ୱାଭାବିକ ଭାବରେ ମହତ୍ତ୍ୱାକାଂକ୍ଷାହୀନ ଏ ଜାତି ତାର ଅସ୍ତିତ୍ୱର ପ୍ରତିଷ୍ଠା ଠାରୁ ଅଧିକ ବଡ଼ ମଣିଲା ଅସ୍ତିତ୍ୱ ବିସର୍ଜନକୁ ।
ଅନୁକରଣ, ଅନୁସରଣ, ଅନୁଧାବନ, ଅନୁସୃଜନ, ଅନୁବାଦ ଏସବୁରେ କ୍ଷୁଦ୍ର ଫୁଲପକାରୁ ପ୍ରକାଣ୍ଡ କଳାକୃତି ସମ୍ଭବ । କିନ୍ତୁ ମୌଳିକତା, ଐତିହ୍ୟ, ପରମ୍ପରା, ଏଗୁଡ଼ିକ ଯୋଉଠି, ସେଇଠି! ଯାହାର ଅଛି, ତାହାର ଅଛି । ଯାହାର ନାହିଁ, ତାହାର ନାହିଁ । ମାନିନେବା ଯେ ମଣିଷ ଭଳି ଜାତିର ବା ଲୋକସମ୍ପ୍ରଦାୟର ଗୋଟେ ଭାଗ୍ୟ ଥାଏ । ଭାଗ୍ୟକୁ କାହିଁ କୋଉ କାଳରୁ ଆମର ପିତୃପୁରୁଷ ତାଙ୍କର ସୁକର୍ମର ବରଦାନ ଆମ ପାଇଁ ରଖିଗଲେ, ଆମେ ତାକୁ ନା ସାଇତିଲୁ ନା ଥାତିବାଲା ଘରର ପିଲା ବୋଲି ସାଇପଡ଼ିଶାରେ ହାଙ୍କି ଜାଣିଲୁ । ଆମେ ପେଟେ ପଖାଳ ଖାଇ ଶୋଇଚୁ ଜାଣି ବାହାର ଲୋକ ମାଡ଼ିବସିଲେ, ଆମ ନିଦ ଭାଙ୍ଗିଲା ନାହିଁ । ଏଠୁ ଟିକେ ସେଠୁ ଟିକେ ନେଇ, ନିଜର କରି ଦେଖେଇବାରେ ଘୋର ହୀନମନ୍ୟତା, ଯିଏ କରୁଚି କରୁ ଓଡ଼ିଆମାନେ ମୂଳରୁ ଏସବୁ କରନ୍ତି ନାହିଁ । ବିଶ୍ୱର କ୍ୱଚିତ ଏଭଳି ଲୋକସମ୍ପ୍ରଦାୟ ମିଳନ୍ତି, ଯିଏ ତାଳିପକା ସଂସ୍କୃତିକୁ ନିଜର କରିପାରନ୍ତି । ନିଜ ପାଇଁ ବଡ଼ ଗାରଟିଏ ଟାଣିଦେଇ, ଅନ୍ୟର ଛୋଟ ଗାରଠାରୁ ବଡ଼ ବୋଲି କହିପାରନ୍ତି । ଏମିତି କରି କରି ମିଛକୁ ସତରେ ପରିଣତ କରିସାରିଲେଣି ସେମାନେ । ଏପରିକି ମିଛ ଇତିହାସ, ମିଛ ପ୍ରମାଣ ଏକାଠି କରି ନୂଆ ଇତିହାସ ବି ଏକାଠି କରିସାରିଲେଣି ସେମାନେ ।
ଏଥିରେ ବିସ୍ମିତ ହେବାର ନାହିଁ କି କ୍ଷୋଭ କରିବାର ନାହିଁ । ସତ ସାଂସ୍କୃତିକ ଇତିହାସ ବା ସତ ସଭ୍ୟତାର ଇତିହାସ ଲେଖାଯାଇନାହିଁ । ସେଇଠି ନିଜକୁ ଉପନିବେଶର ଜଣେ ଅସମର୍ଥ, ଅନୁଗୃହୀତ ମୂଢ଼ ସାଧାରଣ ଭାବି ନେଇ ନିଜକୁ ଦୀନରୁ ଦୀନତର କରି ଉପସ୍ଥାପିତ କରିବାରେ ମୁଖର ଆମର ଆତ୍ମ ପରିଚୟ । କାହିଁକି? ଓଡ଼ିଆ ଲୋକେ କିଭଳି ତାଙ୍କର ମହତ୍ତ୍ୱ ଉଦ୍ଘୋଷିତ କରିବାର ମାନସିକତାକୁ ପରିତ୍ୟାଗ କଲେ ବା କହିପାରନ୍ତି କିଭଳି ଏ ମାନସିକତା ଏ ଜାତିକୁ ସ୍ପର୍ଶ କଲାନାହିଁ, ତାର ବିବରଣୀ ଇତିହାସରେ ନାହିଁ । ସ୍ୱାଭାବିକ ଭାବରେ ମହତ୍ତ୍ୱାକାଂକ୍ଷାହୀନ ଏ ଜାତି ତାର ଅସ୍ତିତ୍ୱର ପ୍ରତିଷ୍ଠା ଠାରୁ ଅଧିକ ବଡ଼ ମଣିଲା ଅସ୍ତିତ୍ୱ ବିସର୍ଜନକୁ । ଏଭଳି କେଡ଼େ ବିରାଟ କ’ଣ ଘଟିଲା ଯେ ଅସ୍ତିତ୍ୱ ଗରୁ ନହୋଇ ବିସର୍ଜନର ଯୋଗ୍ୟ ଗୋଟେ ହାଲୁକା ଆଶାର ବସ୍ତୁ ହୋଇଗଲା । ଓଡ଼ିଆ ଆଧ୍ୟାତ୍ମର ଇତିହାସ ବସ୍ତୁତଃ ଏଇଆ । ଏ ଯେଉଁ ଭୂଖଣ୍ଡରେ ମୁଠିଏ ଅନ୍ନରେ ଉଦରପୂର୍ଣ୍ଣ ହୁଏ, କିନ୍ତୁ ଅଧିକରୁ ଅଧିକ ଗ୍ରାସର ଲୋଭ ନଥାଏ, କି ଭୂଖଣ୍ଡ ଏ? ମନେ ହେଇପାରେ ଅପ୍ରାକୃତିକ, କାହା ପାଇଁ ଅବିଶ୍ୱାସ୍ୟ ବି, କିନ୍ତୁ ଏ ଭୂଖଣ୍ଡର ନିର୍ଣ୍ଣାୟକ ଚରିତ୍ର ପ୍ରକୃତିର ନିଜ ହାତଗଢ଼ା ଏକ ମୌଳିକ ରଚନା । ୟାକୁ ଆମ ଛଡ଼ା କାହିଁକି ବା ବୁଝିବ କିଏ? ଏତେ ସବୁ ସ୍ୱତନ୍ତ୍ରତା ହରାଇ ଆମେ ସର୍ବସାଧାରଣରେ ମିଶିଲେଣି, ଆମର ସ୍ୱତନ୍ତ୍ରତାର କଳ୍ପନା ଦରିଦ୍ରର ଦିବାସ୍ୱପ୍ନ ଭଳି ଗୋଟେ ନିଲଠା ତର୍କ ବା ହାସ୍ୟାସ୍ପଦ କଳ୍ପନା ।
ଏ କ’ଣ ବିସ୍ମୟକର ନୁହେଁ ଯେ, ଏ ଭୂମିର ଆଦିମତମ ମୂଳ ଅଧିବାସୀ ଅନ୍ତତଃ ତିନିହଜାର ବର୍ଷ ତଳେ ଏଠି ଥିଲେ, ଏବେବି ଅଛନ୍ତି । ସେବେ ଧାନ ଚଷୁଥିଲେ ଏବେବି ସେଇଆ କରୁଥାନ୍ତେ । ସେମିତି ବଞ୍ଚୁଥାନ୍ତେ, ଯେମିତି ବଞ୍ଚୁଥିଲେ । ଅନ୍ୟ ଭାବରେ କହିଲେ କାଳ କଳ୍ପନାର ଓଡ଼ିଆ ଭାଷ୍ୟ ଯଦି ପରିପାଶ୍ୱର୍ ଦ୍ୱାରା ପ୍ରଭାବିତ ହୋଇନଥାନ୍ତା, ତେବେ ଓଡ଼ିଆ ଜାତିର ସଂସ୍କାର ଏକ ଧ୍ରୁବୀୟ କାଳରେ ଆବଦ୍ଧ ହୋଇ ରହିଥାନ୍ତା । କହିବାରେ ଆଦୌ ସଂକୋଚ ନାହିଁ ଯେ ଓଡ଼ିଆଙ୍କ ପରମ୍ପରା ଓ ଈଶ୍ୱର ଗୋଟିଏ ଅଚଳାୟତନର ସିଦ୍ଧରୂପ । ଶଙ୍କରାଚାର୍ଯ୍ୟ ଯେଉଁ ଚାରି ଧାମର କଳ୍ପନା କଲେ, ଯେଉଁ ସମୟରେ କଲେ ତହିଁରୁ ଏତିକି ସ୍ପଷ୍ଟ ଯେ ପୁରୀର ଜଗନ୍ନାଥ ଧାମରେ ବିଦ୍ୟମାନ ଶ୍ରୀଜଗନ୍ନାଥ ଚଳନ୍ତି କାଳର, ଅର୍ଥାତ୍ କଳିଯୁଗର ବା କଳିକାଳର ଈଶ୍ୱର, ଅନ୍ୟ ତିନି ସତ୍ୟ, ତ୍ରେତୟା ଓ ଦ୍ୱାପରର । ସେ ତିନି ଯୁଗ ସମାପ୍ତ ହୋଇସାରିଚି ।
ଅନ୍ୟ ଭାବରେ କହିଲେ ଅନ୍ୟ ତିନି ଯୁଗର ନାୟକ-ଈଶ୍ୱର ତାଙ୍କର ଅବିନାଶୀ ଐଶ୍ୱର୍ଯ୍ୟ ଧାରଣ କରି ଦଣ୍ଡାୟମାନ, ଅର୍ଥାତ୍ ଯୁଗଲୀଳା ସମାପ୍ତ ହେଲାପରେ ବି ଅଛନ୍ତି ଆମର ଈଶ୍ୱରକଳ୍ପନାର କାଳମୁକ୍ତ ଅଖଣ୍ଡତାର ପ୍ରମାଣ ହୋଇ । ବର୍ତ୍ତମାନର ଯିଏ ଈଶ୍ୱର ସିଏ ଜୀବନ୍ତ, ସିଏ ଚଳନ୍ତି, ଅର୍ଥାତ୍ ସେଇ ହିଁ ସମକାଳର ସନାତନ! ୟାର ଅର୍ଥ ନୁହେଁ ଅନ୍ୟମାନେ ଗୌଣ । ୟାର ଅର୍ଥ କେବଳ ଏତିକି ଯେ ବର୍ତ୍ତମାନ କାଳର ଏଇ ହେଉଛନ୍ତି ଲୀଳାପୁରୁଷ । ଏଇଠି ଗୋଟିଏ କାଳବୃତ୍ତ ସମାପ୍ତ ହୋଇଯିବ ଓ ନୂଆ କାଳ ସଂକ୍ରମଣ ଆରମ୍ଭ ହୋଇଯିବ । ଏ ଯୁଗ ଆରମ୍ଭ ହେଲାଣି ମାତ୍ର ପାଞ୍ଚ ହଜାର ବର୍ଷ ହେଲା, ୟାକୁ ଭୋଗିବାର ଅଛି ଆଉ ପ୍ରାୟ ଚାରି ଲକ୍ଷ ବର୍ଷ । ଏ ଭାବରେ କାଳପ୍ରବାହ ଗଣତି କରିବାର ଅର୍ଥ ନୁହେଁ ସଠିକ୍ କାଳ ନିର୍ଣ୍ଣୟ । ୟାର ପ୍ରକୃତ ତାତ୍ପର୍ଯ୍ୟ କାଳର ଭୋଗ ନୁହେଁ, କାଳର ବୈଚିତ୍ର୍ୟ, ବ୍ୟାପକତା ଓ ବିପୁଳତାର ଅନୁମାନ । ଭୋଗର କାଳ କ୍ଷୁଦ୍ର, କ୍ଷୁଦ୍ର ତାତ୍କାଳିକତା ସହିତ ଅନନୁମେୟ ମହାକାଳ ବି ତାର ସମସ୍ତ ମହାକଳ୍ପନା ସହିତ ଏଠି ଉପସ୍ଥିତ ।
ଭାରତୀୟଙ୍କ ସନାତନୀ ଧର୍ମ ବିଶ୍ୱାସ ଯେଉଁ ତିନି ଆଧାରଶିଳା ଉପରେ ପ୍ରତିଷ୍ଠିତ ସେଗୁଡ଼ିକ ହେଲେ- ନାମ, ଗୁଣ ଓ କର୍ମ । ଏଗୁଡ଼ିକ ମାନବୀୟ, କିନ୍ତୁ ୟାକୁ ସଚଳ, ସଂକେତମୟ, ରହସ୍ୟଘନ, ମାଧୁର୍ଯ୍ୟପୂର୍ଣ୍ଣ, ଅସମାପ୍ୟ ଓ ଲୀଳାପ୍ରବାହୀ କରି ସଦାବିସ୍ମୟର ଭାଷାରେ ପାଇବା ପାଇଁ ଐଶ୍ୱର୍ଯ୍ୟର ଭାଷ୍ୟ ଅଛି । କେବଳ ବିଶ୍ୱାସରେ ୟାକୁ ଗ୍ରହଣ କରାଯାଏ, ତର୍କର ନିଷ୍କର୍ଷ ଏଠି ଅକାମି । ତର୍କର ଭାଷାରେ ଓଡ଼ିଆଙ୍କର ଚୁଲି ବି ଜଳେନି । ଜଗନ୍ନାଥଙ୍କୁ କାହିଁ କେତେକାଳରୁ ଏ ଜାତିର ଆଦିମତମ ଅଧିବାସୀ ନିଜର ଆତ୍ମୀୟ ସ୍ୱଜନ ମଣିଛନ୍ତି । ସେ କାଳ ସଂସ୍କୃତିର ସ୍ଥଳପୁରାଣମାନଙ୍କରେ ବିଭିନ୍ନ ଭାବରେ ଚିହ୍ନିତ, କିନ୍ତୁ ଓଡ଼ିଆଙ୍କ ସର୍ବମାନ୍ୟ ସ୍ଥଳପୁରାଣ, ଯେଉଁଥିରେ ଜଗନ୍ନାଥଙ୍କ ଲୋକପ୍ରତିଷ୍ଠା ଉତ୍କୀର୍ଣ୍ଣ ତାହା ସ୍କନ୍ଦପୁରାଣ । ସ୍ଥଳପୁରାଣରେ ଗୋଟିଏ ବିଶେଷ ସ୍ଥଳର ଭ୍ରାମ୍ୟମାଣ ଆସ୍ଥାକଳ୍ପନାର ଉଡ଼ାଣ ଓ ଚୈତନ୍ୟସ୍ପର୍ଶୀ ଗଭୀରତା ଦେଖାଯାଏ, ଐତିହାସିକ କାଳ ବିଚାର କରାଯାଏନାହିଁ । ଯେଉଁ ବଡ଼ବାଲା ସାହେବମାନଙ୍କ କଥାରେ ପଡ଼ି ଆମେ ଆମର ଇତିହାସକୁ କାଳ, ଦିନ, ତାରିଖରେ ବାନ୍ଧି ନିଜକୁ ନିଃସ୍ୱ କରିଦେଲେ ସେମାନଙ୍କ ପାଖରେ ଆମ ପାଠ ପଢ଼ିବାର ବା ବୁଝିବାର ଯୋଗ୍ୟତା ବି ନାହିଁ । ଠିକ୍ ଭାବରେ ପଢ଼ିଲେ ସ୍କନ୍ଦପୁରାଣରେ ଯୋଡ଼ିଏ ପ୍ରସଙ୍ଗ ଅତି ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ପ୍ରସଙ୍ଗ ବିଶ୍ୱାବସୁ ପୂଜିତ ନୀଳମାଧବ ଓ ଆଉ ଗୋଟିଏ ଦାରୁବିଗ୍ରହ ନିର୍ମାଣ । ବିଶ୍ୱାବସୁ ଶବର ନୀଳମଣି ବିଗ୍ରହ ପୂଜିବାର କାହାଣୀ ଏକ ମହାବ୍ୟାଖ୍ୟାନର ବିଶ୍ୱସନୀୟତା ପାଇଁ ନିର୍ମିତ ଏକ ଆସ୍ଥାଭୂମି ହୋଇପାରେ ।
ସ୍ମରଣରେ ରହୁ ଯେ, ନୀଳକନ୍ଦର ଥିଲା ଏକ ଗୁହ୍ୟପୀଠ ଓ ଲୋକାର୍ପିତ ହେବାର ସ୍ଥିତି ଆସିଲା ବେଳକୁ ଶ୍ରୀବିଗ୍ରହ, ବିଶ୍ୱାବସୁ, ନୀଳକନ୍ଦର ସବୁକିଛି ଲୁପ୍ତ ବା ଅନ୍ତର୍ହିତ ହୋଇସାରିଥିଲା । ବିଗ୍ରହର ସ୍ମୃତି ନଥିଲା । କାଳାନ୍ତର ଆସିଯାଇଥିଲା। ସତ୍ୟ ଯୁଗର ଶେଷପାଦରୁ କଳିଯୁଗର ଆରମ୍ଭ ପର୍ଯ୍ୟନ୍ତ ଆସିବାର ରୋମାଞ୍ଚକ କଥାକ୍ରମ ଭିତରେ ଶବରପୂଜିତ ଗୁହ୍ୟ ମଣିବିଗ୍ରହ କିଭଳି ଚତୁର୍ଦ୍ଧା ଦାରୁବିଗ୍ରହରେ ଆସି ପହଞ୍ଚିଛନ୍ତି ଓ ବ୍ରହ୍ମାଙ୍କର ରୂପକଳ୍ପନାରୁ ଅପୂର୍ଣ୍ଣ ବିମ୍ବିତ ମହାକଳ୍ପନାରେ ପ୍ରତିଭାତ ହୋଇଛନ୍ତି ତାହା ବିସ୍ମୟକର । ଏକ କାଳମୁକ୍ତ ବ୍ରହ୍ମାଣ୍ଡକୁ ସ୍ମୃତିରେ ଗଢ଼ି ସ୍ମୃତିର ମହାପ୍ରବାହକୁ ଅନ୍ତିମ ଯୁଗକଳ୍ପନାର ଈଶ୍ୱର ରୂପରେ ପାଇବାର ଏ ମହାଶିଳ୍ପ କେବଳ ଏକ ସଂସାର ଦାୟମୁକ୍ତ ମହାଜାତି ହିଁ ସମ୍ଭବ କରାଇପାରେ । ସେ ଜାତି ବିକଶିତ କରିଥିବା ଓଡ଼ିଆ ଭାଷା ତୁଣ୍ଡରେ ଧରି ଆମେ ଧନ୍ୟ । ଏ ଭାଷା ତଟୀୟ ଓଡ଼ିଶାର ଗୋଟିଏ ପ୍ରଲମ୍ବିତ କ୍ଷେତ୍ରରୁ ବିଛୁରିତ ହୋଇ ଉତ୍ତର, ଦକ୍ଷିଣ ଓ ପଶ୍ଚିମର ଲୋକାତ୍ମାକୁ ଏକ ସମ୍ପୂର୍ଣ୍ଣ ବାଙ୍ମୟରେ ଅଭିବ୍ୟକ୍ତି ଦେଇଥିଲା । ସିଦ୍ଧର ଭାଷା ଏ । ବିତରାଗୀର ଭାଷା ଏ । ଈଶ୍ୱର କଳ୍ପନାର ଭାଷା ଏ । ଆତ୍ମବିସର୍ଜନର ଭାଷା ଏ । ଏ ସେହି ଜାତିର ଭାଷା ଯିଏ ଲେଖିଥିଲା ସଂସ୍କୁତରେ, କିନ୍ତୁ ଭାବିଥିଲା ଓଡ଼ିଆରେ ଦାରୁରେ ବ୍ରହ୍ମ ଦେଖିଲାବେଳେ ।
ବ୍ରହ୍ମଦାରୁ ଜଗନ୍ନାଥ ହେଇପାରନ୍ତି ଜଗତର, କିନ୍ତୁ ଆମେ ଭାବୁ ସେ ଆମର । ଓଡ଼ିଆ ଜାତୀୟ ଜୀବନ ରାଜନୈତିକ ନୁହେଁ ଆଧ୍ୟାତ୍ମିକ । ତେଣୁ ଆମର ଏ ଅଧିକାରସର୍ବସ୍ୱତା ସଂକୀର୍ଣ୍ଣ ସମ୍ପଦ ଅଧିକାର ନୁହେଁ । ଏ ଆମର ଦାୟବଦ୍ଧତାର ପରିପ୍ରକାଶ । ଏଥିରେ କଳହ ନାହିଁ, ସ୍ୱାର୍ଥ ନାହିଁ କି ଅସହିଷ୍ଣୁତା ନାହିଁ । ଯେଉଁ ଜାତି ଘୋର ଦୁର୍ବିପାକରେ ସ୍ତନନ୍ଧୟ ଶିଶୁଟିଏ ଭଳି ବ୍ରହ୍ମଦାରୁଙ୍କୁ ଛାତିରେ ଧରି, କୋଳରେ ଲଗେଇ ଅସୁର ଆଖିରୁ ବଂଚେଇଚି, କେବେ କହିନି ଯା’ ନିଜକୁ ନିଜେ ରକ୍ଷା କର, କେବେ ନିଜକୁ ବଞ୍ଚେଇବା ପାଇଁ ତାର ଏ ଦେବପ୍ରତିମାକୁ ତଳେ ଥୋଇନି, କୁଳକୁଟୁମ୍ବ ମାଟିରେ ମିଶିଲେବି ଯିଏ କେବେ ପ୍ରଭୁର ଟେକ ତଳେ ପକେଇନି, ତାକୁ କୋଉ ଠାକୁର କଥା ପଚାରୁଚ? ଜଗନ୍ନାଥ ତା’ ଘରର ଲୋକ, ନବକଳେବର ହେଲେ ସେ ସୁଧ ହୁଏ, କୁଟୁମ୍ବ ତାର ଆଉ କାହାର ନୁହେଁ, ତାର ନିଜର । ବିଶ୍ୱରେ ଏଭଳି ଠାକୁର ନାହାନ୍ତି ଯାହାଙ୍କର ସେବକ ତାଙ୍କର କୁଟୁମ୍ବର ଲୋକ ।
ଏସବୁ ରାତିକ ଭିତରେ ହୋଇନାହିଁ କି ୟାକୁ କେହି ହଠାତ୍ ଦିନେ ଚଳାଇ ନାହିଁ । ଇଏ ଏକ ଜୀବନ ପ୍ରବାହ । ସମଗ୍ର ମାନବ ସମାଜ ପକ୍ଷରୁ ଗୋଟିଏ ଲୋକସମ୍ପ୍ରଦାୟ କଣପଟିଆ ରହି, ଦୁଃଖକଷ୍ଟ ସହି, ନିଜକୁ ନିଃସ୍ୱ, ନିଃସମ୍ବଳ, ମହତ୍ତ୍ୱକାଂକ୍ଷାହୀନ କରି ୟାକୁ ଚଳାଇ ରଖେ । ବସ୍ତୁ ସଂଗ୍ରହ, ବସ୍ତୁଭୋଗ, ଅଗ୍ରଧାବନ, କିଛି ବି ଆକୃଷ୍ଟ କରେନାହିଁ । ସ୍ଥିର ଜୀବନ ତାର ନିଜ ଜୀବନ ମୂଲ୍ୟ ନିଜେ ନିର୍ଦ୍ଧାରିତ କରେ, ବିଷୟବୁଦ୍ଧି ପ୍ରୟୋଗ ନକରି । ଏମିତି ଯୁଗ ବିତେ । ଆଜି ଆଖି ଖୋଲିଲା ବେଳକୁ ଅନ୍ୟ କାହିଁ କେତେ ଆଗରେ । ଆଗ୍ରହ ନଥିଲେ ବି ସେଇ ଜଗନ୍ନାଥଙ୍କୁ କୁଣ୍ଢେଇ ଧରି ଦୌଡ଼ ଲଗାଏ । ମୁହଁମାଡ଼ି ପଡ଼େ, ସେ ହସେ, ତା’ ଠାକୁର ବି ହସନ୍ତି ପାନଖିଆ ପାଟିରେ । ପେଟ ଉପାସ ରହେନାହିଁ । ହାଣ୍ଡିରେ ଟଙ୍କତୋରାଣି ମୁନ୍ଦେ ଥିଲାଯାଏଁ ହଂସା ଉଡ଼େନାହିଁ । ଓଡ଼ିଆଠୁଁ କିଏ କ’ଣ ନେଲା ତା’ର ହିସାବ ନାହିଁ । କିଏ କାନ କାଟି ନୋଳି ନେଲା ତ କିଏ ନେଲା ଗଳାମାଳି, କିଏ ନେଲା ପିନ୍ଧାଲୁଗା, କିଏ ଭିଡ଼ିନେଲା ଭୂଇଁ ଚାଖଣ୍ଡେ ପାଦତଳୁ । କିଛି ଯାଏ ଆସେ ନାହିଁ।
ଜଗନ୍ନାଥଙ୍କୁ ଆମ ଛଡ଼ା ଆଉ କେହି ଚଳେଇ ପାରିବେ ନାହିଁ । ଆମେ ବି ତାଙ୍କ ବିନା ଚଳିପାରିବୁ ନାହିଁ । ଈଶ୍ୱର ଓ ମଣିଷର ପରସ୍ପର ପରିପୂରକତାର ଏ ଅଶ୍ରୁଳ ମହାଗାଥା ଯାବତ୍ ଚନ୍ଦ୍ରାର୍କେ ଆଉ ଲେଖା ହେବନାହିଁ ।