ନୂଆଦିଲ୍ଲୀ,୦୩/୦୬: ଅପରେସନ୍ ସିନ୍ଦୂରର ପ୍ରଚଣ୍ଡ ହମଲାରେ ଲାଗୁଛି ପାକିସ୍ତାନ ଚାରି ପାଞ୍ଜିରୁ ଯାଇଛି । କାରଣ ଜେଲରେ ଏବେ କଏଦୀଙ୍କୁ ସମ୍ଭାଳିପାରୁନାହିଁ ପାକିସ୍ତାନ । କରାଚୀରୁ ଏମିତି ଏକ ଖବର ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଆଉ ତାହା ଶୁଣି ଯେ କେହି ବି କହିବ ଏମିତି କେବଳ ପାକିସ୍ତାନରେ ହିଁ ହୋଇପାରିବ । କରାଚୀ ସେଣ୍ଟ୍ରାଲ ଜେଲରୁ ପ୍ରାୟ ୨୦୦ କଏଦୀ ଚମ୍ପଟ ମାରିଛନ୍ତି । ଖବର ଅନୁସାରେ ସୋମବାର ପାକିସ୍ତାନରେ ଭୂକମ୍ପ ହୋଇଥିଲା । ଏହାପରେ ଜେଲ ଯୁଦ୍ଧ କ୍ଷେତ୍ରରେ ପରିଣତ ହୋଇଥିଲା । ଏହାର ସୁଯୋଗ ନେଇ ପ୍ରାୟ ୨୦୦ରୁ ଅଧିକ କଏଦୀ ଫେରାର ହୋଇଥିଲେ ।
୨୪ ଘଣ୍ଟା ଭିତରେ ପାକିସ୍ତାନରେ ୩.୨ରୁ ୩.୬ ତ୍ରୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଲଗାତାର ୩ ଭୂକମ୍ପ ଝଟକା ହୋଇଥିଲା । ଏହା ପରେ କରାଚୀ ଜିଲ୍ଲା ମାଲିର ଜେଲର କାନ୍ଥ ଭାଙ୍ଗିଯାଇଥିଲା । ଏହା ସୁଯୋଗ ନେଇ ପ୍ରାୟ ୨୦୦ରୁ ଅଧିକ କଏଦୀ ଫେରାର ହୋଇଥିଲେ । ସର୍କଲ ନମ୍ବର ୪ ଏବଂ ୫ର ୬୦୦ରୁ ଅଧିକ କଏଦୀ ସେମାନଙ୍କ ଜେଲ କୋଠରୀ ବାହାରେ ଥିଲେ । ଏହାପରେ ଧାଁ ଦୌଡ଼ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାର ସୁଯୋଗ ନେଇ କଏଦୀ ଚମ୍ପଟ ମାରିଥିଲେ ।
ଭୂକମ୍ପ ପରେ ଜେଲରୁ ଏଣେ ତେଣେ ଦୌଡିବାକୁ ଲାଗିଥିଲେ କଏଦୀ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଜେଲ କର୍ତ୍ତୃପକ୍ଷ ଗୁଳି ଚଳାଇଥିଲେ । ଏହି ସମୟରେ ଦୁଇ ଜଣ ଫ୍ରଣ୍ଟିୟର କର୍ପସ କର୍ମଚାରୀଙ୍କ ସମେତ ଅତି କମ୍ରେ ୫ଜମ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ଜଣେ କଏଦୀଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଜିନ୍ନା ପୋଷ୍ଟଗ୍ରାଜୁଏଟ୍ ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଛି । କଏଦୀ ଫେରାର ହୋଇଥିବା ଖବର ବ୍ୟାପିବା ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ପଡିଥିଲା । ପାକ୍ ପୋଲିସ ତାଙ୍କୁ କାବୁ କରିବାକୁ ଛକ ଛକରେ ଘେରାବନ୍ଦୀ କରିଥିଲା । ଫେରାର ହୋଇଥିବା କଏଦୀଙ୍କ ମଧ୍ୟରୁ ପ୍ରାୟ ୮୦ଜଣଙ୍କୁ କାବୁ କରାଯାଇଛି । ୧୦୦ରୁ ଅଧିକ ଏବେ ବି ଫେରାର ।