ଭୁବନେଶ୍ୱର, ୦୧/୦୨:  ଅଧିକ ଦରମା ପାଉଥିବା ସରକାରୀ ଚାକିରିଆ ଓ ଆୟକର ଦେଉଥିବା ଯେ କୌଣସି ବ୍ୟକ୍ତି ଯଦି ରାସନ୍‌ କାର୍ଡ ନ ଫେରାଇବେ, ପଛରେ ଧରା ପଡିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଏଭଳି ଚରମବାଣୀ  ପରେ ବେଆଇନ କାର୍ଡ଼ଧାରୀ ଭୟଭୀତ  ହୋଇ ପଡ଼ିଛନ୍ତି । ମାତ୍ର ୩ ଦିନରେ  ୨୦ ହଜାର ସରକାରୀ ଚାକିରିଆ  ଫେରେଇଲେଣି ରାସନ କାର୍ଡ । କିନ୍ତୁ  ଠିକା ଚାକିରିଆ ଅର୍ଥାତ ୧୧ ରୁ ୧୨  ହଜାର ଦରମା ପାଉଥିବା ସରକାରୀ ଚାକିରିଆଙ୍କ କଟିବ ନାହିଁ ରାସନ  କାର୍ଡ । 

ଜାତୀୟ ଖାଦ୍ୟ ନିରାପତ୍ତା ନିୟମ  ଅନୁସାରେ ଗାଁ ଅଞ୍ଚଳରେ ଯାହାର ୧୦  ହଜାର ରୋଜଗାର ଥିବ ସେମାନେ ଫେରାଇବେ ନାହିଁ ରାସନ କାର୍ଡ । ସେହିପରି ସହରାଞ୍ଚଳରେ ଯାହାର ୧୫ ହଜାର ଉପରେ ରୋଜଗାର ଥିବ  ସେମାନେ ଫେରେଇବେ ରାସନ କାର୍ଡ। ୧୫ ଫେବ୍ରୁଆରୀ ପର୍ଯ୍ୟନ୍ତ ଇ-କେୱାଇସି  ହେବ । ଏହାପରେ ନୂତନ କାର୍ଡ ଦିଆଯିବ ବୋଲି ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।