କୁତ୍ରା,୨୩/୦୮: ବୁଢ଼ା ହୋଇଯାଇଥିଲା । ତଥାପି ଚିହ୍ନୁଥିଲା ମାଲିକର ପେଟ । ପିଠିରେ ବସାଇ ଯାତ୍ରୀଙ୍କୁ ବୋହୁଥିଲା । ମନୋରଞ୍ଜନ କରୁଥିଲା । ପାଟି ଖୋଲୁ ନ ଥିବାରୁ ଦାବି ବୋଲି କିଛି ନ ଥିଲା । ଯାହା ମିଳୁଥିଲା ଖାଉଥିଲା । ନ  ଦେଲେ ନିରବ ରହୁଥିଲା । ଆଦାୟ ଟଙ୍କାରେ ମାଲିକର ପକେଟ୍‌ ଗରମ ହେଉଥିଲା । ହେଲେ ଯେବେଠୁ ଅସୁସ୍ଥ ହେଲା ସେବେଠୁ ପର  ହୋଇଗଲା । ମାଲିକ ନିଷ୍ଠୁର ହୋଇଗଲା। ଗଛରେ  ବାନ୍ଧିଦେଇ ପଳାଇଲା । ଦୁଇଦିନ ହେଲା ରୋଗଣା  ଓଟ ବର୍ଷାରେ ଭିଜୁଛି । ଭୋକରେ ଆଉଟୁ ପାଉଟୁ  ହେଉଛି । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ ଅନ୍ତର୍ଗତ  ତେଲିଘଣା ଆମ୍ବ ବଗିଚାରେ ଦେଖିବାକୁ ମିଳିଛି  ପ୍ରାଣୀ ନିର୍ଦ୍ଦୟତାର ଏଭଳି କରୁଣ ଚିତ୍ର ।   

ସ୍ଥାନୀୟ ଲୋକଙ୍କ କହିବା କଥା, ରାଜସ୍ଥାନର ଜଣେ ବ୍ୟକ୍ତି ଓଟଟିକୁ ଆଣି କୁତ୍ରା ଅଞ୍ଚଳରେ  ବୁଲାଉଥିଲେ । ଘର ଘର ବୁଲି ଯାହା ରୋଜଗାର କରୁଥିଲେ ସେଥିରେ ଚଳୁଥିଲେ । ଓଟଟି ଅତି  ଦୁର୍ବଳ ହୋଇଯାଇଥିଲା । ଚାଲିବାକୁ ବଳ ପାଉ  ନ ଥିଲା । ଶରୀର କଙ୍କାଳସାର ହୋଇଯାଇଥିଲା । ଓଟଟି ଅସୁସ୍ଥ ହୋଇପଡ଼ିବା ପରେ ମାଲିକ ଏହାକୁ  ଗଛରେ ବାନ୍ଧି ଦେଇ ପଳାଇଛି । ନିରୀହ ପ୍ରାଣୀ  ଦୁଇଦିନ ହେଲା ତେଲିଘଣା ଆମ୍ବ ବଗିଚାରେ  ବନ୍ଧା ହୋଇ ପଡ଼ି ରହିଛି । ଲଘୁଚାପ ପ୍ରଭାବରେ  ହେଉଥିବା ପ୍ରବଳ ବର୍ଷାରେ ଭିଜୁଛି । ଫଳରେ ତା’  ଦେହ ଆହୁରି ଖରାପ ହୋଇଯାଇଛି । ଦୁଇଦିନ  ହେଲା ଭୋକିଲା ଅଛି । ତଥାପି ମାଲିକର ବାଟକୁ  ଚାହିଁ ବସିଛି । ଅନ୍ୟପଟେ ମାଲିକର ବ୍ୟାଗ୍‌ ଗଛ  ପାଖରେ ରଖାଯାଇଥିବା ଦେଖିବାକୁ ମିଳିଛି ।  ମାଲିକ ଜଣକ କୁଆଡ଼େ ଓ କେଉଁ ପରିସ୍ଥିତିରେ  ଗାଏବ ହୋଇଗଲେ ତାହା କେହି ଜାଣିନାହାନ୍ତି । ତୁରନ୍ତ ପ୍ରାଣୀଧନ ବିଭାଗ ଓଟକୁ ଉଦ୍ଧାର କରି  ଚିକିତ୍ସା କରାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।