କୁତ୍ରା,୨୫/୦୮: ଓଟଟି ସାରା ଜୀବନ ମାଲିକର ସେବାରେ ନିଜକୁ ହଜାଇ ଦେଇଥିଲା । ମାଲିକକୁ ରୋଜଗାର ଦେଇ ଆସୁଥିଲା । ଅସୁସ୍ଥ ହେବା ପରେ ମାଲିକ ତାକୁ ଛାଡ଼ି ଦେଇ ଚାଲିଗଲା । ଲଗାତର ଭାବେ ବର୍ଷାରେ ଭିଜି ଭିଜି ଭୋକ ଉପାସରେ ମାଲିକର ଆସିବା ବାଟକୁ ଚାହିଁ ରହି ଆଖିରୁ ଲୁହ ଗଡ଼ାଉଥିଲା । ଶେଷରେ କୁତ୍ରା ବ୍ଲକ ଅନ୍ତର୍ଗତ ତେଲିଘଣା ଆମ୍ବ ବଗିଚାରେ ବନ୍ଧା  ହୋଇଥିବା ରୋଗିଣା ଓଟଟି ଆଖି ବୁଜିଦେଇଛି । ଅଞ୍ଚଳର ପଶୁପ୍ରେମୀ ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ।  

ଗତ ଗୁରୁବାର ଦିନରୁ ବୁଢ଼ା ଓ ଅସୁସ୍ଥ ଓଟ ଗଛରେ ବାନ୍ଧି ମାଲିକ ଛାଡ଼ିଦେଇ ଯାଇଥିଲା । ଲଘୁଚାପ ବର୍ଷାରେ ଭିଜିଲା । ଭୋକ ଓ ରୋଗରେ ଦୁର୍ବଳ ହୋଇଯାଇଥିଲା । ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ କୁତ୍ରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଗଳ କିଶୋର ବିଶ୍ୱାଳ ପ୍ରାଣୀ ଚିକିତ୍ସକ ଦଳ ପଠାଇ ଓଟଟିର ଚିକିତ୍ସା କରିଥିଲେ । ଓଟ  ମରିଯାଇଥିବା ସ୍ଥାନୀୟ ଲୋକେ ଆଜି ସକାଳୁ ଦେଖିବାକୁ ପାଇଥିଲେ । ପ୍ରାଣୀ ଚିକିତ୍ସକ ଦଳ ପହଞ୍ଚି ଶବ ବ୍ୟବଚ୍ଛେଦ  କରିଥିବା ବେଳେ ବ୍ଲକ ପ୍ରଶାସନ ଓ କନ୍ଦେଇମୁଣ୍ଡା  ସରପଞ୍ଚଙ୍କ ସହାୟତାରେ ତାକୁ ଆମ୍ବ ବଗିଚାରେ ହିଁ ଜେସିବିରେ ଗାତ ଖୋଳି ପୋତି ଦିଆଯାଇଛି । ଏବେ  ଏହି ଘଟଣା ଦେଶର ପ୍ରାଣୀ ସୁରକ୍ଷା ଆଇନ ଉପରେ ପ୍ରଶ୍ନ ଉଠାଇଛି । ନିରୀହ ପ୍ରାଣୀ ଉପରେ ହୋଇଥିବା ନିର୍ଦ୍ଦୟତା  ଏବଂ ମାଲିକଙ୍କ ନିଷ୍ଠୁର ବ୍ୟବହାର ଜଳଜଳ କରି ଦିଶୁଛି ।  ପ୍ରଶାସନ ଓ ପ୍ରାଣୀ ସୁରକ୍ଷା ବିଭାଗ ଦୋଷୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛି।