ଭୁବନେଶ୍ୱର,୧୫/୦୫: ଜଣେ ୨୬ ବର୍ଷୀୟ ଯୁବତୀ ପୁରୁଷବନ୍ଧୁଙ୍କ  ସହ ଓୟୋ ଯାଇଥିଲେ । କୌଣସି କାରଣରୁ ରୁମରେ ଝଗଡ଼ା ହେଲା । ପରେ ଉକ୍ତ ଓୟୋ ତଳୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ମିଳିଛି ।  ଖଣ୍ଡଗିରି ଜାଗମରା ଅଞ୍ଚଳର ଏକ ଓୟୋରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । 

ଖଣ୍ଡଗିରି ଥାନା ପୁଲିସ ଓୟୋ ହୋଟେଲ ତଳୁ ଜଣେ  ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଜବତ କରିଛି । ଯୁବତୀଜଣକ ଓୟୋ ଛାତରୁ ଡେଇଁ ପ୍ରାଣ ହାରିଲେ ନା ପୁରୁଷବନ୍ଧୁ ଜଣକ ତାଙ୍କୁ ଠେଲିଦେଲେ, ସେନେଇ  ପ୍ରଶ୍ନ ଉଠିଛି । ମୃତକଙ୍କ ଘର ନୟାଗଡ଼  ଅଞ୍ଚଳରେ । ସେ ଏକ ଘରୋଇ ବ୍ୟାଙ୍କରେ ଚାକିରି କରିଥିଲେ । ଖଣ୍ଡଗିରି ଥାନା ପୁଲିସ ଯୁବତୀଙ୍କ ପୁରୁଷବନ୍ଧୁ ବିଭୁତି ପ୍ରତିହାରୀଙ୍କୁ ଅଟକ ରଖିଛି ।  

ଜାଗମରା ପଞ୍ଚଶଖାନଗରରେ ଥିବା ଓୟୋ ହୋଟେଲର ନାଁ ହେଲା, ଦାସ ଇନ ଗେଷ୍ଟ ହାଉସ । ବୁଧବାର ସକାଳେ ସୋନାଲି ପୁରୁଷବନ୍ଧୁଙ୍କ ସହ ଏକ ବାଇକରେ ଉକ୍ତ ଓୟୋକୁ ଯାଇଥିଲେ । ହୋଟେଲର ତୃତୀୟ ମହଲରେ  ଏକ ରୁମ ବୁକ କରିଥିଲେ । ଦିନ ତମାମ ସେମାନେ ରୁମରେ ଥିଲେ । ସନ୍ଧ୍ୟା ବେଳକୁ ଉଭୟେ ରୁମରୁ ବାହାରି ମାର୍କେଟକୁ ଯାଇଥିଲେ । ସେତେବେଳେ ଉଭୟଙ୍କ ହାବଭାବ ଠିକଠାକ ଥିବା ହୋଟେଲ କର୍ତ୍ତୃପକ୍ଷ ଦେଖିଥିବା କହିଛନ୍ତି ।  କିଛି ସମୟ ପରେ ଉଭୟେ ମାର୍କେଟରୁ ଫେରି ପୁଣି ରୁମକୁ ଯାଇଥିଲେ ।  ସାଙ୍ଗରେ ରାତ୍ରି ଭୋଜନ ପାଇଁ ଖାଦ୍ୟ ବି ଆଣିଥିଲେ । କିନ୍ତୁ ରାତି ୧୧ଟା  ବେଳେ ରୁମ ଭିତରେ ଉଭୟଙ୍କ ମଧ୍ୟରେ ଖୁବ ଜୋରରେ ପାଟିତୁଣ୍ଡ  ଲାଗିଥିଲା । ଉଭୟେ ପରସ୍ପରକୁ ଗାଳିଗୁଲଜ କରିଥିଲେ । ଏ ସବୁ ଶୁଣି ପାଖ ରୁମରେ ରହୁଥିବା ଆଉ ଏକ ପ୍ରେମୀ ଯୁଗଳ, ହୋଟେଲ କେୟାରଟେକର  ଓ ଅନ୍ୟ କର୍ମଚାରୀଙ୍କୁ ଜଣାଇଥିଲେ । ସେମାନେ ଉକ୍ତ ରୁମକୁ ଯାଇ କବାଟ  ବାଡ଼େଇଥିଲେ । ପାଟିତୁଣ୍ଡ ବନ୍ଦ କରିବାକୁ ଉଭୟଙ୍କୁ କହିଥିଲେ। ରୁମ ବାହାରେ  ଏତେ ଲୋକଙ୍କୁ ଦେଖି ଉଭୟ ରୁମକୁ ଭିତରପଟୁ ବନ୍ଦ କରିଦେଇଥିଲେ ।  

ଝଗଡ଼ାର ସମାଧାନ ହୋଇଗଲା ଭାବି ହୋଟେଲ କର୍ତ୍ତୃପକ୍ଷ ଓ ଅନ୍ୟମାନେ  ସେଠାରୁ ଚାଲିଯାଇଥିଲେ । ଏହାର ଅଧଘଣ୍ଟା ପରେ ପ୍ରେମୀଯୁଗଳ ରୁମକୁ ବାହାରୁ ତାଲା ମାରି ଛାତ ଉପରକୁ ଯାଇଥିଲେ । ସେଠାରେ ପୁଣି କିଛି ସମୟ ଧରି ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା । କଥା ମାରପିଟ ଯାଏଁ  ଯାଇଥିଲା । ହଠାତ କଣ ହେଲା କେଜାଣି ସୋନାଲି ଛାତ ଉପରୁ ତଳକୁ ପଡିଗଲେ । ଓୟୋ କର୍ତ୍ତୃପକ୍ଷ ଏନେଇ ପୁଲିସକୁ ଖବର ଦେଲେ । ପୁଲିସ ଘଟଣାସ୍ଥଳକୁ ଯାଇ ଗୁରୁତର ଅବସ୍ଥାରେ ସୋନାଲିଙ୍କୁ ଉଦ୍ଧାର କରି କ୍ୟାପିଟାଲ  ହସ୍ପିଟାଲ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ବିଭୁତିଙ୍କୁ ପଚରାଉଚରା କରିବାରୁ ଜଣାପଡିଛି ଯେ ଏହି ପ୍ରେମ ସମ୍ପର୍କ ବିଷୟରେ ଉଭୟଙ୍କ ପରିବାର ଲୋକ ଜାଣିଥିଲେ । ଆସନ୍ତା ମାସରେ  ସେମାନଙ୍କ ବିବାହ ସ୍ଥିର ହୋଇଥିଲା । କେଉଁ କାରଣ ପାଇଁ ଝଗଡ଼ା ହୋଇଥିଲା, ସେନେଇ ସେ ଜମାରୁ ମୁହଁ ଖୋଲୁନାହାନ୍ତି ।  

ଏହା ଏକ ହତ୍ୟା ନା ଆତ୍ମହତ୍ୟା, ସେନେଇ ପୁଲିସ ଦ୍ୱନ୍ଦ୍ୱରେ ପଡିଛି ।  ସୋନାଲିଙ୍କ ମୃତ୍ୟୁ ପଛରେ ଆଉ କିଛି କାରଣ ଥାଇପାରେ ବୋଲି ପୁଲିସ ସନ୍ଦେହ  କରୁଛି । ଝଗଡା ବେଳେ ବିଭୁତି ରାଗରେ ସାନାଲିଙ୍କୁ ଠେଲିଥାଇ ପାରନ୍ତି ବୋଲି ପୁଲିସ  ଅନୁମାନ କରୁଛି । ପୁଲିସ ଉକ୍ତ ଓୟୋର ସିସି କ୍ୟାମେରା ଫୁଟେଜ ଯାଞ୍ଚ କରୁଛି ।