କଟକ,୨୭/୧୨ : ରାତି ପାହିଥିଲେ ମଣ୍ଡି ଖୋଲିଥାନ୍ତା। ଧାନ ବିକ୍ରି କରି ଚାଷୀ ନିଜ ପ୍ରାପ୍ୟ ପାଇଥାନ୍ତା। କିନ୍ତୁ ବର୍ଷା ଏମିତି ଦାଉ ସାଧିଲା ଯେ, ଧାନ ଅମଳ ହେବା ପୂର୍ବରୁ ବିଲରେ ମୁହଁ ମାଡ଼ି ପଡିଲା । ଧାନ ତ’ ନାହିଁ ତେଣୁ ଚାଷୀ ବିକିବେ କ’ଣ? ବାଧ୍ୟ ହୋଇ କଟକ ଜିଲ୍ଲାରେ ଧାନ ବିକ୍ରି ତାରିଖ ଘୁଞ୍ଚାଇଦେଲା ଜିଲ୍ଲା ପ୍ରଶାସନ । ପ୍ରାୟ ସପ୍ତାହେ ବିଳମ୍ବରେ ଅର୍ଥାତ ଜାନୁଆରୀ ୩ ତାରିଖରୁ ଜିଲ୍ଲାରେ ଧାନ ବିକ୍ରି ଆରମ୍ଭ ହେବ । ଏଣେ ବର୍ଷା ଯୋଗୁଁ ଧାନ କ୍ଷୟକ୍ଷତି ନେଇ ପ୍ରଶାସନିକ ଅଧିକାରୀମାନେ ଫିଲ୍ଡକୁ ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି । ଆସନ୍ତା ୩୦ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ ।
କ୍ଷୟକ୍ଷତି ନେଇ ଜିଲ୍ଲା ସ୍ତରରେ ପ୍ରାଥମିକ ଆକଳନ ଏ ଭିତରେ ଶେଷ ହୋଇଛି । ଗତ ୨୦ ଏବଂ ୨୧ ତାରିଖ ଦୁଇଦିନ ଧରି ହୋଇଥିବା ବର୍ଷାରେ କଟକ ଜିଲ୍ଲାରେ ପ୍ରାୟ ୬ ହଜାର ହେକ୍ଟର ଜମିରେ ଧାନ ନଷ୍ଟ ହେବା ନେଇ ଜିଲ୍ଲା କୃଷି ବିଭାଗ ପକ୍ଷରୁ ପ୍ରାଥମିକ ଆକଳନ କରାଯାଇଛି । କିନ୍ତୁ ଏବେ ପୁଣି ଦୁଇଦିନ ଧରି ଲଗାତର ବର୍ଷା ହେବା ଫଳରେ ଏହି କ୍ଷୟକ୍ଷତି ପୂର୍ବ ଆକଳନ ଅପେକ୍ଷା ବହୁ ଅଧିକ ହେବ ବୋଲି ଜିଲ୍ଲା କୃଷି ବିଭାଗ ପକ୍ଷରୁ ଆଶଙ୍କା କରାଯାଉଛି ।
ଚଳିତ ବର୍ଷ କଟକ ଜିଲ୍ଲାରେ ୧ ଲକ୍ଷ ୨୩ ହଜାର ୩ ଶହ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ଏହିସବୁ ଜମିରେ ଭଲ ପାଣିପାଗ ଯୋଗୁ ଧାନ ଭଲ ଅମଳ ହେବ ବୋଲି ଆଶା କରାଯାଉଥିଲା । ଆଠଗଡ଼, ବାଙ୍କୀ, ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, କଟକ ସଦର, ନିଆଳି, କଣ୍ଟାପଡ଼ା, ବାରଙ୍ଗ, ଡମପଡ଼ା, ତିଗିରିଆ, ନରସିଂହପୁର, ଚୌଦ୍ୱାର-କଟକ ବ୍ଲକ୍ରେ ଖିଲିଖିଲି ହେଇ ହସୁଥିଲା ଧାନ ଜମି । ଅନ୍ୟପକ୍ଷରେ ପନିପରିବା ଚାଷ ମଧ୍ୟ ବେଶ୍ ଭଲ ହୋଇଥିଲା । କିନ୍ତୁ ଠିକ୍ ଅମଳ ସମୟରେ ପ୍ରବଳ ବର୍ଷା କାରଣରୁ ଧାନ ଫସଲ ଅମଳକୁ ନେଇ ବଡ଼ ସମସ୍ୟା ଦେଖାଦେଇଛି । ୧ ଲକ୍ଷ ୨୩ ହଜାର ହେକ୍ଟର ଜମିରୁ ମାତ୍ର ୬୨ ହଜାର ହେକ୍ଟର ଜମିରୁ ଧାନ କଟାଯାଇ ଚାଷୀଙ୍କ ଘରକୁ ଆସିପାରିଛି ।
ଏବେ ବି ଆହୁରି ୫୪ ହେକ୍ଟର ଜମିରେ ଧାନ କଟା ମଧ୍ୟ ହୋଇପାରି ନାହିଁ । ଯେଉଁସବୁ ଜମିରୁ ଧାନ କଟାଯାଇ ନାହିଁ ସେହିସବୁ ଜମିରେ ଏବେ ଆଣ୍ଠୁଏ ଭଳି ପାଣି । ବର୍ତ୍ତମାନ ଧାନ କ୍ଷେତ୍ରରେ ଶ୍ରମିକଙ୍କ ଅପେକ୍ଷା ମେସିନ୍ରେ ଧାନ କଟାଯାଉଛି । କିନ୍ତୁ ବିଲ ଶୁଖିଲା ନଥିବାରୁ ବା ନିକଟରେ ୫/୧୦ ଦିନ ମଧ୍ୟରେ ବିଲ ଶୁଖିଲା ଭଳି ସ୍ଥିତି ନଥିବାରୁ ବିଲ ମଧ୍ୟକୁ ମେସିନ୍ ଯିବା ମଧ୍ୟ ସମ୍ଭବ ନୁହେଁ । ୩୦ ତାରିଖ ସୁଦ୍ଧା ଧାନର ସମ୍ପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ ଆସିବ ବୋଲି ଜିଲ୍ଲା କୃଷି ଅଧିକାରୀ ଅଶୋକ କୁମାର କର ପ୍ରକାଶ କରିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ତରଫରୁ ୩ ତାରିଖରେ ଆଠଗଡ଼ ଓ ବାଙ୍କୀ ଉପଖଣ୍ଡରେ ମଣ୍ଡି ଖୋଲିବାକୁ ପ୍ରସ୍ତୁତି ଜାରି ରହିଛି । କଟକ ସଦର ଉପଖଣ୍ଡରେ ୬ ତାରିଖରେ ମଣ୍ଡି ଖୋଲିବ ବୋଲି ସୂଚନା ମିଳିଛି ।