ମାଲକାନଗିରି,୧୪/୧୨; ଜିଲ୍ଲା ମଣ୍ଡିରେ ଧାନ କିଣିବା ତାରିଖ ଘୁଞ୍ଚିଛି । ୧୭ ତାରିଖ ପରିଵର୍ତ୍ତେ ୨୪ତାରିଖରେ ଧାନ କିଣା ଯିବା ନେଇ ପ୍ରଶାସନ ପକ୍ଷରୁ ଘୋଷଣା ହୋଇଛି । ଜିଲ୍ଲାର ସମସ୍ତ ମଣ୍ଡିରେ ଧାନ କିଣିବା ତାରିଖ ପରବର୍ତ୍ତନ କରିଛି ପ୍ରଶାସନ । ମାଲକାନଗିରି ଜିଲ୍ଲା ଏମଭି ୨୬ ଗ୍ରାମ ଓ ରାଖେଲଗୁଡା ଗ୍ରାମ ବିବାଦକୁ ନେଇ ତାରିଖ ଘୁଞ୍ଚା ଯାଇଥିବାର ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

ମାଲକାନଗିରି ଜିଲ୍ଲାରେ ଚଳିତ ଖରିଫ ଚାଷରେ ୭୫୬୬୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଚଳିତ ବର୍ଷ ୩୬୭୮୯ ଜଣ ଚାଷୀ ବିଭିନ୍ନ ଲ୍ୟାମ୍ପସ ରେ ପଞ୍ଜୀକରଣ କରିଛନ୍ତି। ଚଳିତ ବର୍ଷ ପାଇଁ ଖରିଫ୍ ଧାନକ୍ରୟ ଟାର୍ଗେଟ ମଧ୍ୟ ଧାର୍ଯ୍ୟ ହୋଇ ସାରିଛି। ଏ ବର୍ଷ ୬୭ ଟି ମଣ୍ଡିରେ ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୮ ଲକ୍ଷ ୬୬ହଜାର କୁଇଣ୍ଟାଲ ଧାନ ସଂଗ୍ରହର ଟାର୍ଗେଟ ରହିଛି । ମାଲକାନଗିରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୧୭ ତାରିଖରେ ହେବାକୁ ଥିବା ଧାନମଣ୍ଡି ଆସନ୍ତା ୨୪ ତାରିଖକୁ ଘୁଞ୍ଚାଇ ଦିଆ ଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ସୂଚନା ଦେଇଛନ୍ତି ।

କହି ରଖୁଛୁ କି, ମାଲକାନଗିରି ଜିଲ୍ଲା ଏମ୍ଭି-୨୬ ଗାଁରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଜାରି ରହିଛି ଉଦ୍ୟମ । ହିଂସା ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି । ଷଷ୍ଠଥର ପାଇଁ ବନ୍ଦ ରଖାଯାଇଛି ଇଣ୍ଟରନେଟ୍ ସେବା । ଆଉ ୩୬ ଘଣ୍ଟା ଅର୍ଥାତ୍ ଆସନ୍ତା ସୋମବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।