ଭୁବନେଶ୍ୱର,୨୫।୧୧ : ୨୦୨୫-୨୬ ଖରିଫ ଫସଲ ପାଇଁ ଧାନ ସଂଗ୍ରହ ଉପରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ ଅନୁ୍ଷ୍ଠିତ ହୋଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଧ୍ୟକ୍ଷତା କରିଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

କେବଳ ଯେଉଁ ମିଲରମାନେ ସରକାରଙ୍କ ପାଖରେ କୌଣସି ବକେୟା ରଖି ନାହାଁନ୍ତି, ସେମାନେ ହିଁ ଅଂଶଗ୍ରହଣ କରିବାକୁ ଯୋଗ୍ୟ ହେବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସମସ୍ତ ୩୦ଟି ଜିଲ୍ଲାରେ ୧୦୦% ସାଟେଲାଇଟ୍ ଯାଞ୍ଚ ଚାଲିଛି। ଅଣ-ଧାନ ଚାଷୀଙ୍କୁ ଧାନ ବିକ୍ରୟ ପାଇଁ ପଞ୍ଜିକରଣ ଅନୁମତି ନାହିଁ, ଯଦି ଏପରି ବ୍ୟକ୍ତିଙ୍କୁ ଧରାଯାଏ ତେବେ ସେମାନଙ୍କୁ କଳା ତାଲିକାଭୁକ୍ତ କରାଯିବ । ସେହିପରି ମଣ୍ଡିରେ ସମ୍ପର୍କିତ ଯେକୌଣସି ଅଭିଯୋଗର ସମାଧାନ କିମ୍ବା ସହାୟତା ପାଇଁ ଚାଷୀମାନେ ଟୋଲ୍ ଫ୍ରି ନଂ-୧୯୬୭ କୁ କଲ୍ କରିପାରିବେ। ରାଜ୍ୟରେ ଆଜିଠାରୁ ଧାନ କ୍ରୟ ଆରମ୍ଭ ହୋଇଛି। ତୃଣମୂଳସ୍ତରରେ ଏହାର ପରିଚାଳନା ଏବଂ ସମନ୍ୱୟ ପାଇଁ ବ୍ୟବସ୍ଥା କରାଯାଇଛି। ସଂଗ୍ରହ ପ୍ରକ୍ରିୟାକୁ ଅଧିକ ସୁଗମ କରିବା ପାଇଁ ମୋଟ ୩୫୭୦ଟି ମଣ୍ଡି ପ୍ରସ୍ତୁତ କରାଯାଇଛି।

ତଥ୍ୟ ଅନୁଯାୟୀ, ୨୦୨୩-୨୪ ବର୍ଷରେ ୭୩ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି। ୨୦୨୪-୨୫ ବର୍ଷରେ ମୋଟ ୯୨ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି ଏବଂ ଗତ ବର୍ଷ ୨.୨୬ ଲକ୍ଷ ଟୋକନ୍ ପୁନଃ ବୈଧ କରାଯାଇଥିଲା।ବୈଠକରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ଅର୍ଥ, ସମବାୟ ବିଭାଗ ଶାସନ ସଚିବ ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।