କୋଲକାତା: ଭାରତୀୟ ସନ୍ତରଣକାରୀ ତଥା ପଦ୍ମଶ୍ରୀ ଓ ଅର୍ଜୁନ ପୁରସ୍କାର ବିଜେତା ବୁଲା ଚୌଧୁରୀଙ୍କ ପୈତୃକ ଘରେ ଶୁକ୍ରବାର ଚୋରୀ ହୋଇଛି। ପଶ୍ଚିମବଙ୍ଗର ହୁଗଳି ଜିଲ୍ଲାର ହିନ୍ଦମୋଟରସ୍ଥିତ ଦେବାଇପୁକୁରରେ ଥିବା ଏହି ଘରେ ଚୋରମାନେ ପଛପଟ ଦୁଆର ଭାଙ୍ଗି ପଶି ପଦ୍ମଶ୍ରୀ ପୁରସ୍କାର, ରାଷ୍ଟ୍ରପତି ପୁରସ୍କାର, ସୁନା, ରୌପ୍ୟ ଓ କାଂସ୍ୟ ପଦକ ସମେତ ଅନେକ ଆନ୍ତର୍ଜାତୀୟ ପୁରସ୍କାର ଲୁଟି ନେଇଛନ୍ତି। ଏହା ଏହି ଘରେ ହୋଇଥିବା ଚତୁର୍ଥ ଚୋରୀ ଘଟଣା।
ଚୋରମାନେ ଘରେ ଥିବା ଆସବାବପତ୍ର ନଷ୍ଟ କରିବା ସହ ବାଥରୁମର ନଳ ଏବଂ ଲକ୍ଷ୍ମୀ ଘଟ ମଧ୍ୟ ଚୋରି କରି ନେଇଛନ୍ତି। ବୁଲା ଚୌଧୁରୀ ବର୍ତ୍ତମାନ କୋଲକାତାରେ ତାଙ୍କ ପରିବାର ସହ ରହୁଛନ୍ତି ଏବଂ ଏହି ପୈତୃକ ଘରକୁ କେବେ କେବେ ପରିଦର୍ଶନରେ ଆସିଥାନ୍ତି। ତେବେ ଘରର ଦାୟିତ୍ୱ ତାଙ୍କ ଭାଇ ଦୋଲନ ଚୌଧୁରୀ ନେଇଛନ୍ତି, ଯିଏ ତାଙ୍କ ଜେଜେବାପା ଓ ଜେଜେମା ସହ ସେଠାରେ ରହନ୍ତି ବୋଲି ସୂଚନା ରହିଛି।
ଏନେଇ ଦୋଲନ ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ, ଏହା ପୂର୍ବରୁ ମଧ୍ୟ ତିନିଥର ଘରେ ଚୋରୀ ହୋଇଛି। ଏବଂ ପୁଲିସରେ ଏନେଇ ଅଭିଯୋଗ ହେବା ସତ୍ତ୍ୱେ କୌଣସି କଡ଼ା ପଦକ୍ଷେପ ନିଆଯାଇନାହିଁ। ପୂର୍ବରୁ ଘର ନିକଟରେ ଏକ ପୁଲିସ ପିକେଟ ମୁତୟନ ହୋଇଥିଲା। କିନ୍ତୁ ପରେ ତାହା ପ୍ରତ୍ୟାହାର କରି ନିଆଯାଇଥିଲା, ଯାହା ଘରଟିକୁ ଅସୁରକ୍ଷିତ କରିଛି। ଦୋଲନ କହିଛନ୍ତି, “ଏଭଳି ଘଟଣା ଆମ ପରିବାରକୁ ଅସୁରକ୍ଷିତ ଅନୁଭବ କରାଉଛି। ଆମେ ଅସହାୟ ଅନୁଭବ କରୁଛୁ। ଯଦି ଆମ ଅବସ୍ଥା ଏମିତି ତେବେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେଉଥିବ, ତାହା ଭାବି ଆମେ ଚିନ୍ତିତ।”
ଉତ୍ତରପାରା ଉତ୍ତର ପୁଲିସ ଷ୍ଟେସନର ଇନ୍ସପେକ୍ଟର ଇନ୍-ଚାର୍ଜ ଅମିତାଭ ସାନ୍ୟାଲ ଘଟଣାସ୍ଥଳକୁ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଅଭିଯୋଗ ରୁଜୁ କରି ଅପରାଧୀମାନଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି।
ଆପଣଙ୍କୁ ଜଣାଇରଖୁ ଯେ, ବୁଲା ଚୌଧୁରୀ ଜଣେ ଦିଗ୍ଗଜ ସନ୍ତରଣକାରୀ। ସିଏ ୧୯୮୯ ଓ ୧୯୯୯ରେ ଦୁଇଥର ଇଂଲିଶ୍ ଚ୍ୟାନେଲ ଅତିକ୍ରମ କରି ପ୍ରଥମ ଏସୀୟ ମହିଳା ଭାବେ ରେକର୍ଡ ସ୍ଥାପନ କରିଥିଲେ। ସେ ୨୦୦୪ରେ ଶ୍ରୀଲଙ୍କାର ତାଲାଇମନ୍ନାରଠାରୁ ତାମିଲନାଡୁର ଧନୁଷକୋଡି ପର୍ଯ୍ୟନ୍ତ ପାଲକ ଜଳସନ୍ଧି ଅତିକ୍ରମ କରି ପାଞ୍ଚ ମହାଦେଶର ସାତୋଟି ସମୁଦ୍ର ପାର ହେବାରେ ପ୍ରଥମ ମହିଳା ହେବାର ଗୌରବ ଅର୍ଜନ କରିଥିଲେ। ଏହି ଚୋରୀ ଘଟଣା କେବଳ ତାଙ୍କ ପରିବାର ପାଇଁ ନୁହେଁ, ବରଂ ସମଗ୍ର ଦେଶ ପାଇଁ ଏକ ଦୁଃଖଦ ଘଟଣା ଭାବେ ବିବେଚିତ ହେଉଛି।