ସୋରଡ଼ା, ୫/୧୨ : ସୋରଡ଼ା ବ୍ଲକ ପଦ୍ମପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ବନ୍ଦ ରହିଛି ଶିକ୍ଷାଦାନ। ଛାତ୍ରଛାତ୍ରୀମାନେ ଆଜି ବି ବିଦ୍ୟାଳୟ ସମୁଖରୁ ଘରକୁ ଫେରି ଯାଇଛନ୍ତି। କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବର୍ଷେ ହେଲା ନିୟମିତ ବିଦ୍ୟାଳୟକୁ ଆସୁନଥିବାରୁ ବିଦ୍ୟାଳୟରେ ସମସ୍ୟା ଲାଗି ରହିଛି। ଅଭିଭାବକମାନେ ବାରମ୍ବାର ଶିକ୍ଷା ବିଭାଗକୁ ଗୁହାରି କରି କରି ନୟାନ୍ତ ହେବା ପରେ ବୁଧବାର ବିଦ୍ୟାଳୟକୁ ଚାବି ପକାଇଥିଲେ। ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଫାଟକ ସମୁଖରେ ଆପେକ୍ଷା କରି ଫେରିଥିଲେ। ଖବର ପାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲୀପ ସ୍ୱାଇଁ, ଅତିରିକ୍ତ ଅଧିକାରୀ ସୁଶୀଳା ପାତ୍ର ପହଞ୍ଚି ଅଭିଭାବକମାନଙ୍କୁ ବହୁ ବୁଝାସୁଝା କରି ନିରାଶରେ ଫେରଥିଲେ।

ସୂଚନାନୁଯାୟୀ, ପଦ୍ମପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏକ ବର୍ଷ ହେଲା ନିୟମିତ ବିଦ୍ୟାଳୟକୁ ଆସୁନଥିବାରୁ ସମସ୍ତ ପ୍ରକାର ସମସ୍ୟା ଉପୁଜୁଛି। ତେଣୁ ତାଙ୍କୁ ଏଠାରୁ ତୁରନ୍ତ ବଦଳି କରାଯାଇ ନୂତନ ପ୍ରଧାନ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀ ଦାବି କରିଥିଲେ। ସକାଳେ ଖବର ପାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲୀପ ସ୍ୱାଇଁ, ଅତିରିକ୍ତ ଅଧିକାରୀ ସୁଶୀଳା ପାତ୍ର ପହଞ୍ଚି ବିଦ୍ୟାଳୟ କମିଟି ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇ ସମାଧାନ ପାଇଁ ଚେଷ୍ଟା ଚାଲିଥିବା ସାଧନ ସଂଯୋଜକ ସିମାଞ୍ଚଳ ଦଳେଇ କହିଛନ୍ତି। ଲିଖିତ ପ୍ରତିଶୃତି ପ୍ରଦାନ କରି ଉକ୍ତ ପ୍ରଧାନ ଶିକ୍ଷକଙ୍କୁ ଏଠାରୁ ବଦଳି କରାଯାଉ ବୋଲି ଅଭିଭାବକ ଓ କମିଟି ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ ଯେ ଉକ୍ତ ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତ ରହିବା ସମସ୍ୟା ଉପରେ ପୂର୍ବରୁ ୩ ଥର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟକୁ ଅବଗତ କରାଯାଇଛି। ସ୍ଥାନୀୟ ବିଭାଗ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗକୁ ଏହାରି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଭାବେ ଜଣାଇଛନ୍ତି। ହେଲେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନି।