ବାଲିଅନ୍ତା, ୨୪/୧୧ (ପୀତବାସ ଦାଶ) : ବୟସ ୧୦୩ ବର୍ଷ ଛୁଇଁଲାଣି । ହେଲେ ଏବେ ବି ସେ ସତେଜ, ଚଳଚଞ୍ଚଳ । ମନରେ ଉତ୍ସାହ କହିଲେ ନସରେ । ଏ ବୟସରେ ସେ ଯାହା କରୁଛନ୍ତି ତାହା ଜଣେ ସାଧାରଣ ମଣିଷ ପକ୍ଷେ ସମ୍ଭବ ନୁହେଁ । ବୟସର ଅପରାହ୍ଣରେ ପହଞ୍ଚିଥିଲେ ମଧ୍ୟ ସେ ଥକିଯାଇନାହାନ୍ତି । ଗାଁ ଗାଁ ବୁଲି ଭିକ୍ଷା ମାଗି ସଂଗୃହିତ ଅର୍ଥରେ ମନ୍ଦିର ଗଢ଼ୁଛନ୍ତି । ସେହି ମହିୟସୀ ଜଣଙ୍କ ହେଉଛନ୍ତି ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତ ଧବଳାହାର ଗ୍ରାମର ପଦ୍ମାବତୀ ନାଥ । ଭଗବାନଙ୍କ ପ୍ରେମରେ ସେ ଏମିତି ଅନ୍ଧ ଯେ ନିଜେ ପରିତ୍ୟକ୍ତ ଘରେ ରହି ମଧ୍ୟ ଠାକୁରଙ୍କ ପାଇଁ ବିଭିନ୍ନ ସ୍ଥାନରେ ଗଢ଼ିଛନ୍ତି ଏକାଧିକ ମନ୍ଦିର । ଓଡ଼ିଶାର ଅନେକ ଜିଲ୍ଲା ବୁଲି ବୁଲି ମନ୍ଦିର ତୋଳିବାରେ ସେ ସହଯୋଗ କରିଛନ୍ତି । ଅନୁଗୁଳ, ଢେଙ୍କାନାଳ, ଜଗତ୍ସିଂପୁର ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ସେ ଦେବଦେବୀଙ୍କ ମନ୍ଦିର ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।
ଗାଁ ଗାଁ ବୁଲି ଭିକ୍ଷା ମାଗି ସଂଗ୍ରହ କରିଥିବା ଅର୍ଥକୁ ପଦ୍ମାବତୀ ମନ୍ଦିର ଗଢ଼ିବା ନିମନ୍ତେ ପ୍ରଦାନ କରିଛନ୍ତି । ମଝିରେ ମଝିରେ ନିଜ ଗାଁ ଧବଳାହାରକୁ ଆସିଥାନ୍ତି । ପଦ୍ମାବତୀଙ୍କୁ ୯୦ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ସ୍ୱାମୀ ଇନ୍ଦ୍ରମଣି ନାଥ(୯୪)ଙ୍କ ପରଲୋକ ଘଟିଥିଲା । ତାଙ୍କର ଗୋଟିଏ ପୁଅ ଓ ୨ଝିଅ । ସମସ୍ତଙ୍କ ବିବାହ ସରିଛି । କିନ୍ତୁ ସେମାନଙ୍କ ପାଖରେ ନରହି ପଦ୍ମାବତୀ ପିଲା ପରିବାର ସବୁ ଛାଡ଼ି ଘରୁ ଚାଲିଆସିଥିଲେ । ଆଉ ଘରକୁ ଯାଉନାହାନ୍ତି । ଏବେ ସେ ଧବଳାହାର ଗାଁରେ ଏକ ମଠ କରି ରହୁଛନ୍ତି । ଝାଟିମାଟି ଘର ହୋଇଥିବାରୁ ତାହା ଭାଙ୍ଗିରୁଜି ଗଲାଣି । ତେଣୁ ଲକ୍ଷ୍ମୀନାରାୟଣ ମନ୍ଦିରରେ ସେ ଆଶ୍ରୟ ନେଇଛନ୍ତି । ନିଜ ସଞ୍ଚୟ ଅର୍ଥରେ ଏକ ତେଜରାତି ଦୋକାନଟିଏ କରି ଚଳୁଛନ୍ତି । ଧବଳାହାର ଗାଁରେ ମଧ୍ୟ ସେ ଲକ୍ଷ୍ମୀନାରାୟଣ ମନ୍ଦିର ଓ ମହାଦେବ ମନ୍ଦିର ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ତେବେ ଦୁଃଖର ବିଷୟ ମନ୍ଦିରର ଅନେକ କାମ ବାକି ରହିଛି । କାରଣ ମନ୍ଦିର ପାଇଁ ଆବଶ୍ୟକ ଅର୍ଥ ଏବେ ଯୋଗାଡ଼ କରିବା ତାଙ୍କ ପାଇଁ କଷ୍ଟକର ହେଉଛି ।
‘ଅଣ୍ଟା ଭାଙ୍ଗି ଗଲାଣି । ଆଖିକୁ ଭଲ ଦିଶୁନି । କେତେ ବାଟ ବା ଆଉ ସେ ଚାଲିବି । ଯେତିକି ହେଲେ ହେଲା ନହେଲେ ନାହିଁ । ଭଗବାନଙ୍କ ଭରସାରେ ଚାଲିଛି’ ବୋଲି କହିଛନ୍ତି ପଦ୍ମାବତୀ । ଅନେକ ବଡ଼ବଡ଼ିଆଙ୍କୁ ସେ ମନ୍ଦିର କାମ ପାଇଁ ସହାୟତା ମାଗି ନିରାଶ ହେଲେଣି । ତଥାପି ଭଙ୍ଗା ଘରେ ରହି ଭଗବାନଙ୍କ ମନ୍ଦିରର ଅଧୁରା କାମ ପୂରା କରିବାକୁ ସ୍ୱପ୍ନ ଦେଖୁଛନ୍ତି । ଯଦି ସରକାର କିମ୍ବା କୌଣସି ବ୍ୟକ୍ତି ବିଶେଷଙ୍କ ତରଫରୁ ତାଙ୍କୁ କିଛି ଆର୍ଥିକ ସହାୟତା ମିଳନ୍ତା, ତେବେ ସେ ଅସମ୍ପୂର୍ଣ୍ଣ ମନ୍ଦିର ୨ଟି ସମ୍ପୂର୍ଣ୍ଣ କରିପାରନ୍ତେ ଓ ଶାନ୍ତିରେ ଶେଷନିଃଶ୍ୱାସ ତ୍ୟାଗ କରନ୍ତେ ବୋଲି କହିଛନ୍ତି ।