ନୂଆଦିଲ୍ଲୀ,୨୩ /୦୪: ଜମ୍ମୁ-କାଶ୍ମୀରେ ଭୟଙ୍କର ଆତଙ୍କୀ ଆକ୍ରମଣ ଦେଶକୁ ସ୍ତବ୍ଦ କରି ଦେଇଛି ।  ଅନନ୍ତନାଗର ପହଲଗାମକୁ ଟାର୍ଗେଟ କରି ଆତଙ୍କୀ ସେନା ପୋଷାକ ପିନ୍ଧି ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ୨୭ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ନୌସେନା ଓ ଆଇବି ଅଫିସର । ୬ଦିନ ତଳେ ନୌସେନା ଅଫିସର ଲେପ୍ଟନାଣ୍ଟ ବିନୟ ନରୱାଲଙ୍କର ବାହାଘର ହୋଇଥିଲା । ମାତ୍ର ୬ ଦିନରେ ଜୀବନସାଥୀଙ୍କୁ ହରାଇଛନ୍ତି ପତ୍ନୀ । ତାଙ୍କ ଆଖି ସାମ୍ନାରେ ସ୍ୱାମୀଙ୍କୁ ଗୁଳି କରିଥିଲେ ରକ୍ତମୁଖା ଆତଙ୍କୀ । ସ୍ୱାମୀଙ୍କ ମୃତଦେହ ପାଖରେ ସ୍ତବ୍ଧ ହୋଇ ବସିଛନ୍ତି ପତ୍ନୀ । ସୋସିଆଲ ମିିଡିଆରେ ସେହି ଫଟୋ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି ।

୬ ଦିନ ତଳେ ବାହାଘର ହୋଇଥିଲା- ଲେପ୍ଟନାଣ୍ଟ ବିନୟ ନରୱାଲ ୭ ବର୍ଷ ତଳେ କୋଚିରେ ନୌସେନାରେ ସାମିଲ ହୋଇଥିଲେ । ଏପ୍ରିଲ ୧୬ରେ ୨୬ ବର୍ଷୀୟ ବିନୟଙ୍କ ବାହାଘର ହୋଇଥିଲା । ଛୁଟିରେ ଆସିଥିବା ବିନୟ ପତ୍ନୀଙ୍କ ସହିତ କାଶ୍ମୀର ବୁଲିବାକୁ ଯାଇଥିଲେ । ହେଲେ କିଏ ଜାଣିଥିଲା ଆତଙ୍କୀ ଆକ୍ରମଣମରେ ତାଙ୍କ ଜୀବନ ଚାଲିଯିବ ବୋଲି ।  ବିନୟଙ୍କ ବିୟୋଗ ଖବର ଶୁଣି ପରିବାର ଭାଙ୍ଗି ପଡିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଅଧିକ ପଢ଼ନ୍ତୁ...Pahalgam Attack: ପହଲଗାମରେ ଭୟଙ୍କର ଆତଙ୍କୀ ଆକ୍ରମଣ: ଜାଣନ୍ତୁ କଣ ରହିଛି ପୁରା ଘଟଣା...

ପୁଲୱାମା ପରେ ଏହା ସବୁଠୁ ବଡ଼ ଧରଣର ହମଲା । ଆକ୍ରମଣ ନେଇ ନିଜକୁ ଦାୟୀ କରିଛି ଏଲଇଟିର ଶାଖା ଟିଆର୍‌ଏଫ୍ । ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗତ ୧୫ବର୍ଷରେ ଜମ୍ମୁରେ ୧୧ ଆତଙ୍କୀ ଆକ୍ରମଣ ହୋଇଛି । ସେନା ବେଶରେ ଆସି ନୀରିହ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ ଆତଙ୍କୀ । ପହଲଗାମ ଆତଙ୍କୀ ଆକ୍ରମଣ ଘଟଣା ଶୁଣି ସାଉଦି ଆରବ ଗସ୍ତ ଅଧାରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 

ଦିଲ୍ଲୀରେ ପହଞ୍ଚିବା କ୍ଷଣି ପାଲମ ବିମାନବନ୍ଦରରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ ଏନ୍‌ଏସ୍‌ଏ ଅଜିତ ଡୋଭାଲ ଓ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ସାମିଲ ଅଛନ୍ତି । ଆତଙ୍କୀ ହମଲାର ତଦନ୍ତ କରିବାକୁ NIA ଟିମ୍ ପହଲଗାମ୍‌ରେ ପହଞ୍ଚିଛି । ଏହି ଆତଙ୍କୀ ହମଲାକୁ ସାରା ବିଶ୍ୱ ନିନ୍ଦା କରିଛି ।