ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏବେ ଏହି ଆକ୍ରମଣକୁ ନେଇ ଏକ ବଡ ସୂଚନା ସମ୍ନାକୁ ଆସିଛି । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଦ୍ୱାରା ଜାତୀୟ ତଦନ୍ତ ସଂସ୍ଥା (NIA)କୁ ଦିଆଯାଇଥିବା ସୂଚନା ଆଶ୍ଚର୍ଯ୍ୟଜନକ। ସୂତ୍ର ଅନୁଯାୟୀ, ଏହି ପ୍ରତ୍ୟକ୍ଷଦର୍ଶୀ ଜଣକ କହିଛନ୍ତି ଯେ, ଆକ୍ରମଣ ପରେ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀ ଖୁସି ମନାଇବା ପାଇଁ ଆକାଶରେ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ।
ତଦନ୍ତକାରୀ ଏଜେନ୍ସି ଗୁଡ଼ିକ ଏହି ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କୁ ଷ୍ଟାର ପ୍ରୋଟେକ୍ଟେଡ୍ ଓ୍ବିଟନେସ୍ ଭାବରେ ଘୋଷଣା କରିଛନ୍ତି। ଜମ୍ମୁ କାଶ୍ମୀର ପୋଲିସ ଏବଂ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଗୁଡ଼ିକର ସହାୟତାରେ NIA ଏହି ସାକ୍ଷୀଙ୍କୁ ସନ୍ଧାନ କରିଥିଲା । ଆକ୍ରମଣ ପରେ ଏହି ବ୍ୟକ୍ତି ଘଟଣାସ୍ଥଳ ନିକଟରେ ଥିଲେ ଏବଂ ସେ ଆତଙ୍କବାଦୀ ମାନଙ୍କ ସହିତ ମୁହାଁମୁହିଁ ହୋଇଥିଲେ।
ଜଣେ ତଦନ୍ତକାରୀ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ,"ଆତଙ୍କବାଦୀ ମାନେ ତାଙ୍କୁ ଅଟକାଇ କଲମା ପାଠ କରିବାକୁ କହିଥିଲେ। ସେ ସ୍ଥାନୀୟ କାଶ୍ମୀରୀ ଉଚ୍ଚାରଣରେ କଲମା ପାଠ କରିଥିଲେ, ଯାହା ଫଳରେ ଆତଙ୍କବାଦୀ ମାନେ ତାଙ୍କୁ ସନ୍ଦେହ କରି ନଥିଲେ ଏବଂ ସେମାନେ ତାଙ୍କୁ ଛାଡିଦେଇଥିଲେ। ଏହା ପରେ ତୁରନ୍ତ ସେମାନେ ଆକାଶରେ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ, NIA ଘଟଣାସ୍ଥଳରୁ ଚାରୋଟି ଖାଲି କାର୍ଟ୍ରିଜ୍ ଜବତ କରିଛି।
ସାକ୍ଷୀ ଏହା ମଧ୍ୟ କହିଛନ୍ତି ଯେ ସେ ପାହାଡ଼ି ଅଞ୍ଚଳରେ ଆତଙ୍କବାଦୀଙ୍କ ସାମଗ୍ରୀ ପରିଚାଳନା କରୁଥିବା ପରଭେଜ ଅହମ୍ମଦ ଜୋଥାର ଏବଂ ବଶିର ଅହମ୍ମଦ ନାମକ ଦୁଇ ସ୍ଥାନୀୟ ଲୋକଙ୍କୁ ଦେଖିଥିଲେ। କିଛି ସମୟ ପରେ ଆତଙ୍କବାଦୀ ମାନେ ସାମଗ୍ରୀ ନେଇ ଚାଲିଗଲେ। ତଦନ୍ତରୁ ଜଣାପଡିଛି ଯେ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ପରଭେଜ ଏବଂ ବଶିରଙ୍କୁ ପୂର୍ବରୁ ଗିରଫ କରାଯାଇଛି।
ସୂତ୍ର ଅନୁଯାୟୀ,ଏପ୍ରିଲ ୨୧ ତାରିଖ ଅପରାହ୍ନ ୩.୩୦ ରେ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀ ପରଭେଜଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସେମାନେ ଚାରି ଘଣ୍ଟା ଧରି ସମଗ୍ର ଅଞ୍ଚଳ ରେକି କରିଥିଲେ, ଯେଉଁଥିରେ ସେମାନେ ସୁରକ୍ଷା ବ୍ୟବସ୍ଥା, ପର୍ଯ୍ୟଟନ ସ୍ଥଳ ଏବଂ ରାସ୍ତା ବିଷୟରେ ସୂଚନା ସଂଗ୍ରହ କରିଥିଲେ। ଯିବା ସମୟରେ, ସେମାନେ ପରଭେଜଙ୍କ ସ୍ତ୍ରୀଙ୍କଠାରୁ ମସଲା ଏବଂ ଚାଉଳ ପ୍ୟାକ୍ କରିଥିଲେ ଏବଂ ତାଙ୍କୁ ୫ଶହ ଟଙ୍କାର ପାଞ୍ଚଟି ନୋଟ ଦେଇଥିଲେ। ପରେ ସେମାନେ ବଶିରଙ୍କୁ ଭେଟି ୨୨ ଏପ୍ରିଲ ଦିନ ୧୨:୩୦ ରେ ପ୍ରସ୍ତୁତ ରହିବାକୁ କହିଥିଲେ।