ପ୍ରମୂଖ ଖବର

ହାଫିଜ୍ ସଇଦର ପାଖ ଲୋକ... ହାତ ମୁଠାରେ ପାକିସ୍ତାନୀ ସେନା, ପହଲଗାମ୍‌ ଆଟାକ୍‌ର ମାଷ୍ଟରମାଇଣ୍ଡ୍ ସୈଫୁଲ୍ଲାହ କସୁରୀ କିଏ ?

Published By : Prameya | April 23, 2025 12:58 PM

ନୂଆଦିଲ୍ଲୀ, ୨୩/୦୪ : ଜାମ୍ମୁ କାଶ୍ମୀର ପହଲଗାମ୍ ଆତଙ୍କୀ ହମ୍‌ଲାକୁ ନେଇ ବଡ଼ ଖବର। ସାମ୍ନାକୁ ଆସିଲା ମାଷ୍ଟରମାଇଣ୍ଡ୍। ଏହି ଆତଙ୍କୀ ହମ୍‌ଲାର ମାଷ୍ଟରମାଇଣ୍ଡ୍ ହେଉଛି ସୈଫୁଲ୍ଲାହ କସୁରୀ। ଆତଙ୍କୀ ହାଫିଜ୍ ସଇଦର ପାଖ ଲୋକ। ଲଶ୍କର-ଏ-ତୋଏବାର ଡେପୁଟି ଚିଫ୍। ସୈଫୁଲ୍ଲାହ ଖାଲିଦ୍‌ ଭାବେ ମଧ୍ୟ ଖୁବ୍ ଜଣାଶୁଣା। ଭାରତରେ ବହୁ ବଡ଼ ବଡ଼ ଆତଙ୍କୀ ଆକ୍ରମଣ ପଛରେ ରହିଛି ସୈଫୁଲ୍ଲାହର ହାତ। ପାକିସ୍ତାନୀ ସେନାରେ ବି ତାର ଢେର୍ ଖାତିର। ଭାରତ ବିରୋଧରେ ପାକିସ୍ତାନୀ ସେନାକୁ ପ୍ରବର୍ତ୍ତାଇବା ତାର ମୁଖ୍ୟ କାମ। 

ସୂଚନାନୁଯାୟୀ, ସୈଫୁଲ୍ଲାହ କସୁରୀ ଦୀର୍ଘ ଦିନ ଧରି ସେ ଭାରତ ବିରୋଧୀ ଗତିବିଧିରେ ଜଡ଼ିତ ରହିଛି। ଜାମ୍ମୁ କାଶ୍ମୀରରେ ଲଶ୍କର ଏବଂ ଟିଆରଏଫ୍‌ର ଆତଙ୍କୀ ଅପରେସନ ଚଳାଇଛି। କୁହାଯାଉଛି ସେ ପାକିସ୍ତାନୀ ସେନାକୁ ନିଜ ହାତ ମୁଠାରେ ରଖିଛି। ଦୁଇ ମାସ ତଳେ ସୈଫୁଲ୍ଲାହ ପାକିସ୍ତାନ ସେନାର କର୍ଣ୍ଣଲ ଜାହିଦ ଜରିନ ଖଟ୍ଟକଙ୍କ ନିମନ୍ତ୍ରଣରେ ପଞ୍ଜାବ ପ୍ରାନ୍ତର କଙ୍ଗନପୁର ଆସିଥିଲା। ସେଠାରେ ସେ ଜିହାଦି ଭାଷଣ ଦେଇଥିଲା। ପାକିସ୍ତାନୀ ସେନାକୁ ଭାରତ ବିରୋଧରେ ପ୍ରବର୍ତ୍ତାଇଥିଲା। ସେ କହିଥିଲା ଯେ, ୨୦୨୬ ଫେବୃଆରୀ ୨ ସୁଦ୍ଧା କାଶ୍ମୀରକୁ ସ୍ଵାଧୀନ କରାଯିବ। ଯେଉଁ ସୈନିକ ଭାରତୀୟଙ୍କୁ ମାରିବ ତାକୁ ଆହ୍ଲାଙ୍କ ତରଫରୁ ପୁରସ୍କାର ମିଳିବ। 

ଗତ ବର୍ଷ ମଧ୍ୟ ଏବଟାବାଦ ଜଙ୍ଗଲରେ ଏକ ଆତଙ୍କୀ ପ୍ରଶିକ୍ଷଣ ଶିବିରରେ ସୈଫୁଲ୍ଲାହକୁ ଦେଖିବାକୁ ମିଳିଥିଲା। ଏହି ପ୍ରଶିକ୍ଷଣ ଶିବିରରେ ସେ ପାକିସ୍ତାନୀ ଯୁବକଙ୍କୁ ଭାରତ ବିରୋଧରେ ଉସକୋଉଥିଲା। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ଟାର୍ଗେଟ୍ କିଲିଂ ପାଇଁ ବାଛିଥିଲା। ଟ୍ରେନିଂ ପରେ ସେମାନଙ୍କୁ ପାକିସ୍ତାନୀ ସେନା ସହାୟତାରେ ଭାରତରେ ଅନୁପ୍ରବେଶ କରାଯାଇଥିଲା। 

ଆତଙ୍କୀ ସଙ୍ଗଠନ TRFର କାହାଣୀ ୨୦୧୯ ଫେବୃଆରୀ ୧୪ରୁ ପୁଲୱାମା ଆକ୍ରମଣ ପରଠୁ ଆରମ୍ଭ ହୋଇଥିଲା। ଏହି ଆକ୍ରମଣ ପୂର୍ବରୁ ମଧ୍ୟ ଏହି ଆତଙ୍କବାଦୀ ସଂଗଠନ ଘାଟୀରେ ନିଜର ଆଧିପତ୍ୟ ବିସ୍ତାର କରିବା ଆରମ୍ଭ କରିଥିଲା। ଧୀରେ ଧୀରେ, ଏହି ସଂଗଠନ ନିଜର ଶକ୍ତି ବୃଦ୍ଧି କରିବା ଆରମ୍ଭ କଲା ଏବଂ ଏହାକୁ ଗୁଇନ୍ଦା ସଂସ୍ଥା ISI ସହିତ କିଛି ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନର ସମର୍ଥନ ମିଳିଲା। ୨୦୧୯ ଅଗଷ୍ଟ ୫ରେ ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ହଟାଇବା ମାତ୍ରେ ଏହି ସଙ୍ଗଠନ ସମଗ୍ର କାଶ୍ମୀରରେ ସକ୍ରିୟ ହୋଇଥିଲା।

ଏହି ଖବରଟିକୁ ପଢନ୍ତୁ-ପହଲଗାମ ଆତଙ୍କୀ ଆକ୍ରମଣ ; ସାମ୍ନାକୁ ଆସିଲା ୩ ଆତଙ୍କୀଙ୍କ ସ୍କେଚ୍


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.