ନୂଆଦିଲ୍ଲୀ ୨୩/୦୫: ଅପରେସନ୍‌ ସିନ୍ଦୂର ପରେ ପାକିସ୍ତାନର ଆର୍ମି   ଚିଫ୍‌ରୁ ଫିଲ୍ଡ ମାର୍ଶଲକୁ ପଦୋନ୍ନତି   ପାଇଛନ୍ତି ଆସିମ ମୁନିର । ତାଙ୍କ ପରିବାର ୧୯୪୭ ମସିହା  ବିଭାଜନ ପୂର୍ବରୁ ପଞ୍ଜାବର  ଜଳନ୍ଧର ସ୍ଥିତ ମୋହଲ୍ଲା  କାଜୀ ମଣ୍ଡୀରେ ରହୁଥିଲା ।  ସେଠାରେ ଆଜି ବି ତାଙ୍କ ଘର  ଅଛି । ସେତେବେଳେ ଏହି ଅଞ୍ଚଳ  ମୁସ୍‌ଲିମବହୁଳ ଥିଲା ।  

ବିଭାଜନ ସମୟରେ ଦଙ୍ଗାରେ ମୁନିରଙ୍କ ପରିବାର  ପାକିସ୍ତାନକୁ ଚାଲିଯାଇଥିଲା । ବିଜେପିର ପୂର୍ବ  କ୍ୟାବିନେଟ୍‌ ମନ୍ତ୍ରୀ ମନୋରଞ୍ଜନ କାଲିଆ ଏ  ବିଷୟରେ ସ୍ପଷ୍ଟ କରି କହିଛନ୍ତି, ପାକିସ୍ତାନର   ମୂଳଦୁଆ ହିଁ ଭାରତ ବିରୋଧୀ ବିଚାର ଉପରେ   ପଡ଼ିଛି । ଏହାର ଫଳସ୍ୱରୂପ ଆସୀମ ମୁନିର   ସେହି ବିଚାରକୁ ପ୍ରତିନିଧିତ୍ୱ କରୁଛନ୍ତି । କାଲିଆ  ଦାବି କରିଛନ୍ତି, ମୁନିରଙ୍କ ପୂର୍ବପୁରୁଷ ହିନ୍ଦୁ  ଥିଲେ । ପରେ ସେମାନେ ଇସ୍‌ଲାମ ଧର୍ମ ଗ୍ରହଣ  କଲେ । ପହଲଗାମ ଆକ୍ରମଣ ପଛରେ ମୁନିରଙ୍କ  ଭୂମିକା କଥା ମଧ୍ୟ ସେ ଦାବି କରିଛନ୍ତି । ମନ୍ତ୍ରୀ କାଲିଆ କହିଛନ୍ତି, ସ୍ୱାଧୀନତା ପରେ ଭାରତ   ଓ ପାକିସ୍ତାନ ହେଲା । ଜଳନ୍ଧର ସିଟିର ଅନେକ   ଅଞ୍ଚଳ ସେତେବେଳେ ମୁସ୍‌ଲିମ ବହୁଳ ଥିଲା ।   ଏଥିରେ କାଜୀ ମୋହଲ୍ଲା, ଅଲି ମୋହଲ୍ଲା, ଚାହର  ବାଗ ଓ ଇସ୍‌ଲାମବାଦ ଭଳି ମୋହଲ୍ଲା ମୁସ୍‌ଲିମଙ୍କ  ଗଡ଼ ଥିଲା । ଆସିମ ମୁନିରଙ୍କ ପରିବାର କାଜୀ  ମୋହଲ୍ଲାରେ ରହୁଥିଲା । ସେମାନେ ବାହାରୁ  ଆସିନଥିଲେ । ସେମାନଙ୍କ ୮ରୁ ୧୦ ପିଢ଼ି ହିନ୍ଦୁ  ଥିଲେ ।   

ଜଳନ୍ଧରର ବରିଷ୍ଠ ନାଗରିକ ଓ ସ୍ଥାନୀୟ ବାସିନ୍ଦାଙ୍କ  ଅନୁସାରେ, ୧୯୪୭ ପୂର୍ବରୁ ସହରରେ ପ୍ରାୟ  ୮୫ ପ୍ରତିଶତ ମୁସ୍‌ଲିମ ଥିଲେ । ତନ୍ମଧ୍ୟରୁ ଅଧିକାଂଶ ବିଭାଜନ ପରେ ପାକିସ୍ତାନ ଚାଲିଗଲେ ।  ତନ୍ମଧ୍ୟରେ ମୁନିରଙ୍କ ପରିବାର ବି ଥିଲା । ମୁସ୍‌ଲିମ  ସମୁଦାୟର ଲୋକେ ଏଠାରେ ତାଙ୍ଗା ଚଲାଉଥିଲେ  ଏବଂ ପୁରୁଣା ବଜାରରେ ପରିବା ବିକୁଥିଲେ ।  ବିଭାଜନ ସମୟରେ କାଜି ଅଞ୍ଚଳ ସମ୍ପୂର୍ଣ୍ଣ ଖାଲି  ହୋଇଯାଇଥିଲା ବୋଲି ସ୍ଥାନୀୟ ଲୋକେ କହନ୍ତି ।  ମୁନିରଙ୍କ ବାପା ରାଓଲପିଣ୍ଡିରେ ସ୍କୁଲ ପ୍ରିନ୍ସିପାଲ  ଓ ସ୍ଥାନୀୟ ମସ୍‌ଜିଦର ଇମାମ ଥିଲେ । ତାଙ୍କର  ଧାର୍ମିକ ଓ ଅନୁଶାସିତ ପ୍ରତିପାଳନର ପ୍ରଭାବ  ମୁନିରଙ୍କ ଉପରେ ପଡ଼ିଲା । ତାଙ୍କର ପ୍ରାରମ୍ଭିକ  ଶିକ୍ଷା ରାଓଲପିଣ୍ଡିର ଇସ୍‌ଲାମିକ ମଦରାସା ଦାର ଉଲ-ତଜଦୀବରେ ହୋଇଥିଲା । ସେଠାରେ   କୁରାନ ଓ ଧାର୍ମିକ ଅଧ୍ୟୟନ ଉପରେ ପ୍ରାଧାନ୍ୟ   ଦିଆଯାଉଥିଲା । ପରେ ମୁନିର ପାକ୍‌ ସେନାରେ   ଭର୍ତ୍ତି ହେଲେ ଏବଂ ଶୀର୍ଷରେ ପହଞ୍ଚିଲେ ।