ନରସିଂହପୁର,୨୦/୦୩ (ଅଜୟ କୁମାର ପଣ୍ଡା):  ଖରା ବଢ଼ିବା ସହ ଖୋଜା ପଡ଼ିଲା ଓଡ଼ିଆ  ଘରର ସବୁଠୁ ପ୍ରିୟ ଖାଦ୍ୟ ପଖାଳ । ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ଅତିପ୍ରିୟ ପଖାଳ । ଏଥିପାଇଁ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ପଖାଳ ଭୋଗ ଲାଗି କରାଯାଇଥାଏ । ଏବେ ଓଡିଶା ସମେତ ପଶ୍ଚିମବଙ୍ଗ, ଆସାମ,  ତାମିଲନାଡୁ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଆଦି  ରାଜ୍ୟ ସମେତ ନେପାଳ ଓ ମିଆଁମାର ଭଳି  ପଡ଼ୋଶୀ ଦେଶରେ ପଖାଳର ଲୋକପ୍ରିୟତା ବୃଦ୍ଧି  ପାଇବାରେ ଲାଗିଲାଣି । ଓଡ଼ିଶାରେ ଆମେ ପଖାଳ  ଭାତ କହୁଥିବା ବେଳେ ପଶ୍ଚିମବଙ୍ଗରେ ଏହାକୁ  ପନ୍ତ, ଛତିଶଗଡ଼ରେ ବାରଭାତ, ଝାଡ଼ଖଣ୍ଡରେ  ପାନିଭାତ, ଆସାମରେ ପାଇତା ଭାତ କୁହାଯାଏ ।  

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ  ନିକଟରେ ଘିଅ ପଖାଳ,  ଦହି ପଖାଳ ଆଦି ଲାଗି  ହୋଇଥାଏ । ପଖାଳ  ଗରିବ ଲୋକଙ୍କର ଏକ  ପ୍ରମୁଖ ଖାଦ୍ୟ । ପଖରେ  ପଖାଳ କଂସା ଥିଲେ  ଲଙ୍କା, ଲୁଣରେ ମଧ୍ୟ  କାମ ଚଳିଯିବ ବୋଲି ଅତି  ଆନନ୍ଦରେ କହିଥାନ୍ତି ଓଡ଼ିଆ  ଲୋକେ । ଏହା ଦ୍ୱାରା ଅନ୍ନ  ନଷ୍ଟ ହୋଇ ନଥାଏ । ଓଡ଼ିଆ  ଘରେ ଅନ୍ନକୁ ସମ୍ମାନ  ଦେବାର ଏହା ଏକ ଅତୁଳନୀୟ ପରମ୍ପରା ।  ଏହାର ତୋରାଣିରେ ବହୁ ସ୍ୱାସ୍ଥ୍ୟକର ଉପାଦାନ  ରହିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି ।  ସମଗ୍ର ବିଶ୍ୱରେ ପଖାଳର ଲୋକପ୍ରୟିତା ବୃଦ୍ଧି  କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ  ପଖାଳ ଦିବସ ଭାବେ ପାଳନ କରାଯାଉଛି ।  

ଭାତ ଗୋଟିଏ ରାତି  ପାଣିରେ ରହିବା ଦ୍ୱାରା  ସେଥିରେ ରାସାୟନିକ  ପକ୍ରିୟା ଘଟି ଏହାକୁ  ସ୍ୱାଦିଷ୍ଟ କରିବା ସହ  ଏହାର ତୋରାଣି ଗୁ୍ଲକୋଜ୍‌  ଭଳି କାର୍ଯ୍ୟ ପରେ ।  ଫଳରେ ଖରାଦିନେ  ଶରୀରକୁ ଆରାମ ମିଳେ  ଓ ଆମକୁ ହାଲିଆ ନାହିଁ ।  ପଖାଳ କଂସାରେ ଦହି, ଆମ୍ବକସିଆ ଅଦା, ପୋଦିନା  ପତ୍ର, ଲଙ୍କା ପଡ଼ିଲେ ଏହାର ସ୍ୱାଦ ଅନନ୍ୟ  ହୋଇଥାଏ । ସାଙ୍ଗରେ ରସୁଣ ସହ ଦେଶୀ  ପିଆଜ, ଶାଗ ଭଜା, ବଡ଼ିଚୁରା, ଆଳୁ ଚକଟା  ଆଦି ଥିଲେ ଓଡ଼ିଆଙ୍କ ଭୋକ ବଢ଼ିଯାଇଥାଏ ।  ଆମିଷ ଖିଆ ଲୋକଙ୍କ ପାଇଁ ପଖାଳ ସାଙ୍ଗକୁ  ମାଛଭଜା, ସୁକୁଆ ପୋଡ଼ା ଲୋଡ଼ା ପଡ଼ିଥାଏ ।  

୨୦୧୫ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ମାସ ୨୦  ତାରିଖକୁ ସମଗ୍ର ରାଜ୍ୟରେ ପଖାଳ ଦିବସ  ଭାବେ ପାଳନ କରାଯାଉଛି । ସେବେଠାରୁ ସମଗ୍ର ରାଜ୍ୟରେ ଗରିବଠାରୁ ଧନୀ, ଝୁମ୍ପୁଡ଼  ହାଟେଲ ଠାରୁ ପଞ୍ଚତାରକା ହୋଟେଲରେ ବିଭିନ୍ନ  ବ୍ୟଞ୍ଜନ ସହ ପଖାଳ କଂସା ପ୍ରସ୍ତୁତ କରାଯାଉଛି ।  ଏବେ ପଖାଳ କେବଳ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ  ହୋଇରହି ନାହିଁ । ଏହାର ଚାହିଦା ଦେଶ ତଥା  ବିଦେଶରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଲାଣି ।  ବିଗତ କିଛି ବର୍ଷ ହେଲା ଗାଁ ଗହଳିରେ ମଧ୍ୟ  ଆନନ୍ଦ ଉଲ୍ଲାସ ମଧ୍ୟରେ ପଖାଳ ଦିବସ  ପାଳନ କରାଯାଉଥିବା ଦେଖିବାକୁ ମିଳୁଛି।