ନୂଆଦିଲ୍ଲୀ: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ସୀମାରେ ଚାଲିଥିବା ସଂଘର୍ଷ ଏବେ ବନ୍ଦ ହୋଇଛି । ଆଫଗାନିସ୍ତାନରେ ତାଲିବାନ ଶାସନ କହିଛି ଯେ, ପାକିସ୍ତାନର ଅନୁରୋଧରେ ଆଫଗାନିସ୍ତାନ ଦୁଇ ଦେଶ ମଧ୍ୟରେ ୪୮ ଘଣ୍ଟା ପାଇଁ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛି।
ଆଫଗାନିସ୍ତାନ ଶାସନର ମୁଖପାତ୍ର ଜବିଉଲ୍ଲା ମୁଜାହିଦ ଟ୍ୱିଟରରେ ଲେଖିଛନ୍ତି ଯେ, ପାକିସ୍ତାନର ଅନୁରୋଧରେ ଆଫଗାନିସ୍ତାନ ଯୁଦ୍ଧବିରତି ଘୋଷଣା କରିଛି। ଭାରତୀୟ ସମୟ ସନ୍ଧ୍ୟା ସାଢେ ୬ଟାରେ ଏହି ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଥିବା ଜଣାପଡିଛି। ଯୁଦ୍ଧବିରତି ଅବଧି ମଧ୍ୟରେ ସମସ୍ତ ଆଫଗାନ ସୁରକ୍ଷା ବାହିନୀକୁ କୌଣସି ଆକ୍ରମଣ କିମ୍ବା ସୀମା ଉଲ୍ଲଂଘନ କରିବାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ସମୟରେ, ପାକିସ୍ତାନ ସରକାର ମଧ୍ୟ ନିଶ୍ଚିତ କରିଛନ୍ତି ଯେ, ସୀମାରେ ଶାନ୍ତି ବଜାୟ ରଖିବା ଏବଂ ଯେକୌଣସି ଅପ୍ରୀତିକର ଘଟଣାକୁ ରୋକିବା ପାଇଁ ଏହି ଅସ୍ଥାୟୀ ଯୁଦ୍ଧବିରତି କରାଯାଇଛି।