ନୂଆଦିଲ୍ଲୀ,୧୦।୧୧:  ପାକିସ୍ତାନରେ ଏବେ ଚାଲିବ ମୁନୀର ରାଜ୍। ଚିଫ୍ ଅଫ୍ ଆର୍ମଡ ଡିଫେନ୍ସ ଫୋର୍ସେସ୍ ବା ସିଡିଏଫ୍ ପଦରେ ନିଯୁକ୍ତି ପାଇଛନ୍ତି ମୁନୀର। ଏହି ପବଦୀକୁ ସ୍ଥାୟୀ କରାଯାଇଥିବା ବେଳେ ସେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଠାରୁ ଅଧିକ କ୍ଷମତାଶାଳୀ ହୋଇଛନ୍ତି। ଏପରିକି ପରମାଣୁ ନୀତିରେ ହିଁ ମୁନୀରଙ୍କ ନିଷ୍ପତ୍ତି ଚୂଡାନ୍ତ ରହିବ। ଫଳରେ ପାକିସ୍ତାନ ଦୋହରାଇଛି ୫୦ ବର୍ଷ ତଳର ଇତିହାସ । ଫେରିଯାଇଛି ଏକଛତ୍ରବାଦୀ ଜିୟା ଉଲ୍‌ ହକ୍‌ଙ୍କ ଯୁଗକୁ।

ପଡୋଶୀ ଦେଶ ପାକିସ୍ତାନରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଆଗକୁ ସଂପୂର୍ଣ୍ଣ ଭାବେ ସେନା ନିୟନ୍ତ୍ରଣରେ ରହିବ ପାକିସ୍ତାନ। ଏହା ସ୍ପଷ୍ଟ ହୋଇଛି। ପାକିସ୍ତାନ ସରକାର ଓ ସଂସଦ ଉପରେ ଚାପ ପକାଇ  ୨୭ତମ ସମ୍ବିଧାନ ପାସ୍ କରିଛନ୍ତି ମୁନୀର। ଫଳରେ ସେନା ମୁଖ୍ୟ ଅସୀମ ମୁନୀରଙ୍କୁ ସ୍ଥଳସେନା, ନୌସେନା ଓ ବାୟୁସେନାର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଏହି ସଂଶୋଧନ ସୈନ୍ୟ କ୍ଷମତାକୁ କେନ୍ଦ୍ରୀଭୂତ କରିବା ସହ ମୁନିରଙ୍କୁ ପାକିସ୍ତାନର ସର୍ବୋଚ୍ଚ କ୍ଷମତାଶାଳୀ ବ୍ୟକ୍ତି କରିଛି। ମୁନୀରଙ୍କ କ୍ଷମତା ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କଠାରୁ ଅଧିକ ରହିଛି। ପାକିସ୍ତାନର ପରମାଣୁ ନୀତିରେ ତାଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶର ଆଉ କୌଣସି ବିଶେଷ ଭୂମିକା ରହିବ ନାହିଁ। ଯାହାଫଳରେ ଏବେ ୫୦ ବର୍ଷ ତଳକୁ ଚାଲିଯାଇଛି ପାକିସ୍ତାନ। ସେତେବେଳର ଜିୟା ଉଲ୍ ହକ୍‌ଙ୍କ ଏକଛତ୍ରବାଦ ଶାସନ ଏବେ ଫେରିଛି। ସେ ସମୟରେ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କୁ ଗାଦିଚ୍ୟୁତ କରିଥିଲେ ଜିୟା ଉଲ୍ ହକ୍‌। ମୁନୀର ଯଦିଓ ସେଭଳି ପ୍ରତ୍ୟକ୍ଷରେ ନକରିପାରନ୍ତି କିନ୍ତୁ ପରୋକ୍ଷରେ ରହିବ ଦେଶର ପୁରା କ୍ଷମତା।

​​​​​​​

ପାକିସ୍ତାନ ସମ୍ବିଧାନର ଅନୁଚ୍ଛେଦ ୨୪୩ରେ ସଂଶୋଧନ ହୋଇଛି। ଏହା ଦ୍ୱାରା ତିନି ସେନାର ମୁଖ୍ୟ କମାଣ୍ଡର (ସିଡିଏଫ୍‌) ପଦକୁ ସ୍ଥାୟୀ କରାଯାଇଛି । ମୁନୀରଙ୍କ ପାଖରେ ସବୁ ଶକ୍ତି ରହିବ। ରାଷ୍ଟ୍ରୀୟ ପ୍ରତିରକ୍ଷା ପରିଷଦ ପ୍ରତିରକ୍ଷା ନୀତି, ଗୁଇନ୍ଦା ଗତିବିଧି ଓ ଆଭ୍ୟନ୍ତରୀଣ ସୁରକ୍ଷା ସମନ୍ବୟର ସର୍ବୋଚ୍ଚ କ୍ଷମତା ମୁନୀରଙ୍କ ପାଖରେ ରହିବ।  ନଭେମ୍ବର ୨୭ ପରେ ଏହି ପଦରେ ଆଉ କୌଣସି ନୂଆ ନିଯୁକ୍ତି ହେବ ନାହିଁ। ପୂର୍ବରୁ ଫିଲ୍ଡ ମାର୍ଶାଲ ମାନ୍ୟତା ପାଇଥିବା ମୁନିର ଏଭଳି କ୍ଷମତା ପାଇବେ। ଏହାକୁ ରାଜନୈତିକ ବିଶ୍ଲେଷକ ବିରୋଧ କରିଛନ୍ତି। ତାଙ୍କ ମତରେ ଜଣେ ବ୍ୟକ୍ତିଙ୍କୁ ଏଭଳି କ୍ଷମତା ଦେବା ଆଗକୁ ବିପଦ ଆଇପାରେ। ପାକିସ୍ତାନର ନାଗରିକ-ସାମରିକ ସନ୍ତୁଳନ ବିଗିଡି  ଏବଂ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିବ। ଚଳିତ ବର୍ଷ  ଭାରତର ‘ଅପରେସନ୍‌ ସିନ୍ଦୂର’ ରେ ପାକିସ୍ତାନ  ବାୟୁସେନାର ୧୨ଟି ବିମାନ ନଷ୍ଟ। ଏହା ସହ ପାକିସ୍ତାନର ଆତଙ୍କୀ ଆଡ୍ଡା ସହ ବହୁ ବଡ଼ ଏୟାରବେସ୍ ମାଟିରେ ମିଶିଥିଲା। ଭୟରେ ପାକିସ୍ତାନ ବିରତି ପାଇଁ ଅନୁରୋଧ କରିଥିଲା।ଭାରତଠାରୁ ଶୋଚନୀୟ ଭାବେ ପରାଜିତ ହେବାପରେ ମଧ୍ୟ ସଫଳତା ଦାବି କରିଥିଲା ପାକିସ୍ତାନ। ଏବେ ଏହାର ସେନାମୁଖ୍ୟ ଅସୀମ ମୁନିରଙ୍କୁ ମିଳିଛି ଦେଶର ସୁପ୍ରିମ କ୍ଷମତା। ମୁନୀରଙ୍କୁ ଏହି କ୍ଷମତା ପ୍ରଦାନ କରାଯିବା ପରେ ଆଗକୁ ସେ ଭାରତ ବିରୋଧରେ କିଛି ବଡ଼ ଷଡଯନ୍ତ୍ର କରିପାରନ୍ତି ବୋଲି ଆଶଙ୍କା ରହିଛି। ଭାରତ ମଧ୍ୟ ସ୍ଥିତି ଉପରେ ନଜର ରଖିଛି।