ନୂଆଦିଲ୍ଲୀ, ୧୩/୦୧ : ଗ୍ଲୋବାଲ୍ ଆର୍ମ ରେସ୍ ରେ ପଶିବାକୁ ଛଟପଟ ମାଡ଼ଖିଆ ପାକିସ୍ତାନ। ଚୀନ୍ ସାହାଯ୍ୟରେ ଯୁଦ୍ଧ ବିମାନ ତିଆରି କରି ବିକିବାକୁ ବାଉଳା ଚାଉଳା ପାକ୍। ଯେଉଁ ବିମାନକୁ ଭାରତ ମାରି ଖସାଇଥିଲା, ଏବେ ସେହି ବିମାନକୁ ଠିକଣାରେ ଲଗାଇବାକୁ ଚେଷ୍ଟା କରୁଛି ଆତଙ୍କୀସ୍ତାନ। ବାଂଲାଦେଶ ପରେ ଏବେ ଇଣ୍ଡୋନେସିଆକୁ JF-17 ବିମାନ ବିକିବାକୁ ଫନ୍ଦି। ଡିଲ୍ ପାଇଁ କରୁଛି ଶତଚେଷ୍ଟା। ଇଣ୍ଡୋନେସିଆର ପ୍ରତିରକ୍ଷା ମନ୍ତ୍ରୀ ଏବଂ ପାକିସ୍ତାନ ବାୟୁସେନା ମୁଖ୍ୟଙ୍କ ମଧ୍ୟରେ ଏନେଇ ବୈଠକ ସରିଛି। ଏହି ବୈଠକରେ JF-17 ଏବଂ କିଲର ଡ୍ରୋନ୍ କୁ ନେଇ ଆଲୋଚନା ହୋଇଛି ।
ସାମରିକ ଚୁକ୍ତି ନେଇ ଏବେ ପାକିସ୍ତାନ ଅନ୍ୟ ଦେଶମାନଙ୍କ ସହ ଘନଘନ ବୈଠକ କରୁଛି। କିଛି ଦିନ ପୂର୍ବରୁ ବାଂଲାଦେଶର ବାୟୁସେନା ମୁଖ୍ୟ ପାକିସ୍ତାନର ସେନା ମୁଖ୍ୟ ଅସିମ ମୁନୀରଙ୍କୁ ସାକ୍ଷାତ କରିଥିଲେ। ଏହି ବୈଠକରେ JF-17 ଡିଲ୍ କୁ ନେଇ ଚର୍ଚ୍ଚା ହୋଇଛି। ଏହା ସହ ଲିବିୟା ଏବଂ ସୁଡ଼ାନ ସହ ବି ପାକିସ୍ତାନ ଆଲୋଚନା ଚଳାଇଛି। ଏବେ ଇଣ୍ଡୋନେସିଆକୁ ୪୦ରୁ ଅଧିକ JF-17 ବିମାନ ବିକିବାକୁ ଚେଷ୍ଟା କରୁଛି। JF-17 ଏକ ମଲ୍ଟି ରୋଲ୍ ଫାଇଟର୍ ଜେଟ୍। ଏହାକୁ ପାକିସ୍ତାନ, ଚୀନ୍ ସହ ମିଶି ତିଆରି କରିଥିଲା। ଭାରତର ଅପରେସନ ସିନ୍ଦୂର ମାଡ଼ରେ ଏହି ବିମାନ ଚିତପଟାଙ୍ଗ ମାରିଥିଲା।
ଇଣ୍ଡୋନେସିଆକୁ କାହିଁକି ଦରକାର JF-17 ?
ଇଣ୍ଡୋନେସିଆର ଅଧିକାଂଶ ବିମାନ ପୁରୁଣା ହୋଇଗଲାଣି । ବର୍ତ୍ତମାନର ବୈଶ୍ଵିକ ସ୍ଥିତିକୁ ଦେଖି ବର୍ତ୍ତମାନ ଅତ୍ୟାଧୁନିକ ବିମାନର ଆବଶ୍ୟକତା ରହିଛି। ଏନେଇ ପାକ୍ ର ଅବସରପ୍ରାପ୍ତ ଏୟାର ମାର୍ଶଲ ଆସିମ ସୁଲେମାନ କହିଛନ୍ତି ଯେ, ଇଣ୍ଡନେସିଆ ୪୦ଟି ବିମାନ କିଣିପାରେ। ଇଣ୍ଡୋନେସିଆ ଗତ କିଛି ବର୍ଷ ମଧ୍ୟରେ ବହୁ ଯୁଦ୍ଧ ବିମାନ ପାଇଁ ଅର୍ଡର ଦେଇଛି। ୨୦୨୨ରେ ଫ୍ରାନ୍ସ ସହ ୮.୧ ଅରବ ଡଲାର ଡିଲ୍ କରିଥିଲା। ୪୨ ରାଫେଲ୍ କିଣିବାକୁ ଚୁକ୍ତି ହୋଇଥିଲା। ସେହିପରି ତୁର୍କୀ ସହ ୪୮ କାନ୍ ଫାଇଟର୍ ଜେଟ୍ କିଣିବାକୁ ଡିଲ୍ କରିଥିଲା। ସେହିପରି ଚୀନ ଠାରୁ J-10 ଫାଇଟର୍ ଜେଟ୍ ଏବଂ ଆମେରିକା ଠାରୁ F-15EX ଜେଟ୍ କିଣିବାକୁ ବି ଇଣ୍ଡୋନେସିଆ ଆଲୋଚନା କରୁଛି।