ନୂଆଦିଲ୍ଲୀ,୨୨।୧୦: ଜାତିସଂଘ ଦ୍ବାରା ଆତଙ୍କୀ ସଂଗଠନ ଘୋଷିତ ହୋଇଥିବା ପାକିସ୍ତାନ ଜୈଶ-ଇ-ମହମ୍ମଦ ନିଜର ମହିଳା ବ୍ରିଗେଡ୍ ତିଆରି କରୁଛି। ଆତଙ୍କି ସଂଗଠନ ଫଣ୍ଡ ଜମା କରିବା ଓ ନିଯୁକ୍ତି ପାଇଁ ଅନଲାଇନ୍ କୋର୍ସ ଆରମ୍ଭ କରିଛି। ଯାହାକୁ ତୁଫତ ଅଲ୍ ମୁନିନତ୍ ନାଁ ଦିଆଯାଇଛି।
ଏହି କୋର୍ସର ଅଂଶ ରୂପରେ ଜୈଶ ନେତାଙ୍କ ପରିବାରର ମହିଳା ସଦସ୍ୟ ରହିଛନ୍ତି। ଯାହାଙ୍କ ଭିତରେ ସଂସ୍ଥାପକ ମାସୁଦ ଆଝାର ଓ ତାଙ୍କ କମାଣ୍ଡରଙ୍କ ସମ୍ପର୍କୀୟ ରହିଛନ୍ତି। ତାଙ୍କୁ ଜିହାଦ ଓ ଇସ୍ଲାମ ସମ୍ପର୍କରେ କର୍ତ୍ତବ୍ୟ ଶିଖାଯିବ। ଭର୍ତ୍ତି ଅଭିଯାନ ଅନଲାଇନ୍ରେ ଆୟୋଜିତ କରାଯିବ ଓ ଏହା ୮ନଭେମ୍ବରରୁ ଆରମ୍ଭ ହେବ। ଏଥିରେ ପ୍ରତିଦିନ ୪୦ ମନିଟ୍ ପର୍ଯ୍ୟନ୍ତ ଇସ୍ଲାମ ଧର୍ମ ଓ ଜିହାଦି ଟ୍ର ବିଷୟରେ ପାକିସ୍ତାନୀ ମହିଳାଙ୍କୁ ଶିକ୍ଷା ଦିଆଯିବ। ଏହାର ନେତୃତ୍ବ ମାସୁଦ ଆଝାରର ଦୁଇ ଭଉଣୀ ସାଦିଆ ଆଝାର ଓ ସମେରା ଆଝାର କରିବେ। ତାଙ୍କ କ୍ଲାସରେ ମହିଳାଙ୍କୁ ଜାମାତ ଉଲ୍-ମୁମିନତ୍ରେ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରାଯିବ।
ଆଝାରର ସାନ ଭଉଣୀ ସାଦିଆ ଆଝାରକୁ ଜମାତର ଦାୟିତ୍ବ ଦିଆଯାଇଛି। ସାଦିଆର ସ୍ବାମୀ ୟୁସୁଫ୍ ଆଝାର, ମଇ ମାସରେ ବାହାବଲପୁରରେ ଜୈଶ ମୁଖ୍ୟାଳୟରେ ‘ଅପରେସନ୍ ସିନ୍ଦୂର’ ରେ ନିହତ ହୋଇଥିଲା। ସେ ଆଝାର ମାସୁଦ ପରିବାରର ମୃତ ସଦସ୍ୟଙ୍କ ଭିତରୁ ଅନ୍ୟତମ ଥିଲା। ଏହି ଆକ୍ରମଣ ଅପ୍ରେଲ ମାସରେ ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତର ପାଲଟା ଆକ୍ରମଣ ଥିଲା। ଏହା ଭିତରେ ମାସୁଦ ଆଝାର ‘ଡୋନେସନ୍’ ଅଭିଯାନ ଆରମ୍ଭ କରିଦେଇଛି। ଗତ ମାସ ବାହାବଲପୁରରେ ମରକଜ ଓ ଅଲିରେ ସାର୍ବଜନୀକ ସମ୍ବୋଧନ ପରେ ଜୈଶ ଏବେ ଏହି ’କୋର୍ସ’ରେ ଆଡମିସନ୍ ନେଉଥିବା ପ୍ରତ୍ୟେକ ମହିଳାଙ୍କଠାରୁ ୫୦୦ ପାକିସ୍ତାନୀ ଟଙ୍କା ( ଭାରତ ଅନୁସାରେ ୧୫୬ ଟଙ୍କା) ଜମା କରୁଛି ଓ ତାଙ୍କୁ ଏକ ଅନଲାଇନ୍ ଫର୍ମ ପୂରଣ କରିବାକୁ କହିଛି।