ନୂଆଦିଲ୍ଲୀ, ୭।୫: କାଙ୍ଗାଳ ପାକିସ୍ତାନର ସ୍ଥିତି ଏବେ ଦିନକୁ ଦିନ ଅଧିକ ସଂଗୀନ ହେବାରେ ଲାଗିଛି । ପୂର୍ବରୁ ଆର୍ଥିକ ସଙ୍କଟ ଓ ଋଣ ଭାରରେ ବୁଡ଼ି ରହିଥିବା ପାକିସ୍ତାନରେ ଏବେ ଖାଦ୍ୟାଭାବ ପରେ ଔଷଧର ଭୟଙ୍କର ଅଭାବ ଦେଖାଦେଇଛି । ପରିସ୍ଥିତି ଏପରି ହୋଇଛି ଯେ, ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା ମିଳିବା କଷ୍ଟକର ହୋଇପଡ଼ିଛି । ମଧ୍ୟ-ପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଏବଂ ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ପାକିସ୍ତାନ ଅର୍ଥନୀତିର ଅଣ୍ଟା ଭାଙ୍ଗି ଦେଇଛି ।

ଔଷଧ ବିନା ମୃତ୍ୟୁ ସହ ଲଢ଼ୁଛନ୍ତି ରୋଗୀ: 

ମଧ୍ୟ-ପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଛି । ଫଳରେ ପାକିସ୍ତାନରେ ଔଷଧ ସଙ୍କଟ ଉତ୍କଟ ରୂପ ଧାରଣ କରିଛି । ଲାହୋର, କରାଚି ଏବଂ ପେଶାୱାର ଭଳି ବଡ଼ ବଡ଼ ସହରର ସରକାରୀ ହସ୍ପିଟାଲ ଗୁଡ଼ିକରେ ଜୀବନ ରକ୍ଷାକାରୀ ଔଷଧର ଘୋର ଅଭାବ ଦେଖାଦେଇଛି । ଔଷଧ ପାଇଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଦ୍ୱାର ଦ୍ୱାର ବୁଲୁଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡ଼ୁଛି ।

୨୦୨୪: ଜରୁରୀ ଔଷଧର ମୂଲ୍ୟରେ ୫୦% ବୃଦ୍ଧି

୨୦୨୫: ପୁଣି ୩୦-୪୦% ମୂଲ୍ୟ ବୃଦ୍ଧି

୨୦୨୬: ମଧ୍ୟ-ପ୍ରାଚ୍ୟ ସଙ୍କଟ ଯୋଗୁଁ ଦରଦାମ ଆକାଶଛୁଆଁ ହୋଇଛି

ରକ୍ତଚାପ ଓ କୋଲେଷ୍ଟ୍ରଲ ଔଷଧର ଦାମ୍ ଗତ ଦୁଇ ବର୍ଷ ମଧ୍ୟରେ ଦୁଇଗୁଣା ହୋଇଯାଇଛି ।

ସରକାରୀ ନୀତି ଓ ଟିକସ ମାଡ଼:

ଗୋଟିଏ ପଟେ ଲୋକଙ୍କ ପାଖରେ ଟଙ୍କା ନାହିଁ, ଅନ୍ୟପଟେ ଶେହବାଜ ସରିଫ ସରକାର ଔଷଧ ତିଆରି ପାଇଁ ବ୍ୟବହୃତ କଞ୍ଚାମାଲ ଉପରେ ୧୮% ସେଲ୍ସ ଟ୍ୟାକ୍ସ (ଜିଏସଟି) ଲଗାଇ ସାଧାରଣ ଜନତାଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛନ୍ତି । ପାକିସ୍ତାନ କେମିଷ୍ଟ ଆଣ୍ଡ ଡ୍ରଗ୍ ଆସୋସିଏସନର କହିବା ଅନୁଯାୟୀ, ସରକାର ଉପଯୁକ୍ତ ସମୟରେ ନିଷ୍ପତ୍ତି ନେଉ ନଥିବାରୁ ଆମଦାନୀକାରୀମାନେ ଔଷଧ ଯୋଗାଣ ବନ୍ଦ କରିଦେଉଛନ୍ତି । ଏହା ସହିତ ନିୟନ୍ତ୍ରଣ ବ୍ୟବସ୍ଥା ଶିଥିଲ ହେବା ଯୋଗୁଁ କମ୍ପାନୀମାନେ ନିଜ ମନଇଚ୍ଛା ଦର ବଢ଼ାଉଛନ୍ତି ।

ତୈଳ ସଙ୍କଟ ଓ ହୋର୍ମୁଜ ଷ୍ଟ୍ରେଟ୍‌ର ପ୍ରଭାବ:

ଆମେରିକା-ଇରାନ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ 'ହୋର୍ମୁଜ ଷ୍ଟ୍ରେଟ୍' ବନ୍ଦ ହେବା ପାକିସ୍ତାନ ପାଇଁ ସବୁଠାରୁ ବଡ଼ ଚେତାବନୀ ପାଲଟିଛି । ପାକିସ୍ତାନ ନିଜର ୮୫-୯୦% ଶକ୍ତି ଆବଶ୍ୟକତା ପାଇଁ ଗଲ୍ଫ ଦେଶଗୁଡ଼ିକ ଉପରେ ନିର୍ଭର କରେ । ପାକିସ୍ତାନର ଆମଦାନୀ ବିଲ୍ ପ୍ରତି ସପ୍ତାହରେ ୩୦୦ ମିଲିୟନ ଡଲାରରୁ ବଢ଼ି ୮୦୦ ମିଲିୟନ ଡଲାରରେ ପହଞ୍ଚିଛି । ଯଦି ଅଶୋଧିତ ତୈଳ ଦର ୧୦% ବଢ଼େ, ତେବେ ପାକିସ୍ତାନରେ ମୁଦ୍ରାସ୍ଫୀତି ୦.୪-୦.୬% ବୃଦ୍ଧି ପାଏ, ଯାହା ଦକ୍ଷିଣ ଏସିଆରେ ସର୍ବାଧିକ । ଅଟା, ଡାଲି, ଚାଉଳ ଓ ତେଲ ପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ପୂର୍ବରୁ ହିଁ ସାଧାରଣ ଲୋକଙ୍କ ପହଞ୍ଚ ବାହାରେ ଥିଲା । ଏବେ ଔଷଧ ସଙ୍କଟ ପାକିସ୍ତାନୀ ଜନତାଙ୍କ ପାଇଁ "ମରଣ ଯନ୍ତ୍ରଣା" ସଦୃଶ ହୋଇଛି । ବିଦେଶୀ ମୁଦ୍ରା ଭଣ୍ଡାର ଶେଷ ହେବାକୁ ବସିଥିବା ବେଳେ ଏବଂ ମୁଦ୍ରାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ପାକିସ୍ତାନ ଏକ ବଡ଼ ମାନବିକ ସଙ୍କଟ ଆଡ଼କୁ ଗତି କରୁଛି । ବିଶେଷଜ୍ଞଙ୍କ ମତରେ, ଯଦି ପାକିସ୍ତାନ ସରକାର ତୁରନ୍ତ ଆମଦାନୀ ନୀତିରେ ପରିବର୍ତ୍ତନ ନକରନ୍ତି ଏବଂ ବିଶ୍ୱ ସମୁଦାୟ ସାହାଯ୍ୟ ପାଇଁ ଆଗେଇ ନଆସନ୍ତି, ତେବେ କେବଳ ଖାଦ୍ୟ ଅଭାବରୁ ନୁହେଁ, ବରଂ ସାମାନ୍ୟ ଜ୍ୱର କିମ୍ବା ରକ୍ତଚାପ ଭଳି ରୋଗର ଔଷଧ ନପାଇ ହଜାର ହଜାର ଲୋକ ପ୍ରାଣ ହରାଇବାର ଆଶଙ୍କା ରହିଛି ।

ଆହୁରି ପଢ଼ନ୍ତୁ.. Bihar Cabinet Expansion: ବିହାର କ୍ୟାବିନେଟ୍‌ରେ ବିଜେପି-ଜେଡିୟୁର ପାୱାର ଗେମ୍, ଶପଥ ନେବେ ୩୦ ମନ୍ତ୍ରୀ