ନୂଆଦିଲ୍ଲୀ,୧୯/୦୫: ଭାରତର ‘ଅପରେସନ  ସିନ୍ଦୂର’ରେ ଧୂଳି ଚାଟିଥିବା ପାକିସ୍ତାନକୁ ଖାଦ୍ୟ ସଙ୍କଟ  ଘେରିରହିଛି । ୨୦୨୪ ନଭେମ୍ବରରୁ ୨୦୨୫ ମାର୍ଚ୍ଚ  ପର୍ଯ୍ୟନ୍ତ ଏହାର ଖାଦ୍ୟ ସମସ୍ୟା ଉତ୍କଟ ରହିଥିଲା । ଏହା  ୧ କୋଟି ୧୦ ଲକ୍ଷ ଲୋକଙ୍କ ଉପରେ ପ୍ରଭାବ ପକାଇବ  ବୋଲି ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଫାଓ) ଏହାର ଏକ ସଦ୍ୟ ରିପୋର୍ଟରେ ଆଶଙ୍କା ପ୍ରକାଶ କରିଛି । 

ରିପୋର୍ଟ ଦର୍ଶାଇଛି ଯେ ପାକିସ୍ତାନର ବେଲୁଚିସ୍ତାନ,  ସିନ୍ଧ ଓ ଖାଇବର ପଖ୍‌ତୁନଖ୍ୱା ପ୍ରଦେଶର ୬୮ଟି  ବନ୍ୟା ପ୍ରଭାବିତ ଗ୍ରାମୀଣ ଜିଲ୍ଲାରେ ଖାଦ୍ୟ ସଙ୍କଟ  ଜାରି ରହିଛି। ଏହାଯୋଗୁ ଲୋକମାନେ ଭୟଙ୍କର  କୁପୋଷଣର ଶିକାର ହୋଇପାରନ୍ତି । ବିଶେଷକରି  ଛୋଟ ପିଲାଙ୍କ ଉପରେ ଏହା ଅଧିକ ପ୍ରଭାବ  ପକାଇବ, ଯାହା କି ଅତ୍ୟନ୍ତ ଚିନ୍ତାଜନକ । 

ରିପୋର୍ଟ ମୁତାବକ, ୧୭ ଲକ୍ଷ ଲୋକ ଏବେ  ଜରୁରି ସ୍ଥିତିରେ ରହିଛନ୍ତି । ସେମାନଙ୍କ ପାଇଁ ଖାଦ୍ୟ  ଉପଲବ୍ଧତା ସୁନିଶ୍ଚିତ ହେବା ଜରୁରି । ଆଗକୁ ପ୍ରତିକୂଳ  ପାଣିପାଗ ସ୍ଥିତି ଲୋକଙ୍କ ଜୀବନ ଧାରଣ ଉପରେ  ସାଙ୍ଘାତିକ ପ୍ରଭାବ ପକାଇବ । ୨୦୧୮ ଏବଂ ୨୦୨୪  ମଧ୍ୟରେ ବେଲୁଚିସ୍ତାନ ଓ ସିନ୍ଧରେ କୁପୋଷଣ ମାତ୍ରା  ଅତ୍ୟଧିକ ରହିଥିଲା । ନିମ୍ନ ମାନର ପାଣ୍ଠି ଯୋଗାଣ  ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିପାରି ନ ଥିଲା ।  ୨୦୨୫ରେ ପାଣିପାଗ ସମ୍ପର୍କିତ ପ୍ରତିକୂଳ ପରିସ୍ଥିତି  ଯୋଗୁ ସ୍ଥିତି ଆହୁରି ଭୟାନକ ପାଲଟିବ । ଫଳରେ  ଆହୁରି ଅଧିକ ଲୋକ କୁପୋଷଣର ବଳୟକୁ ଆସିବେ । 

ଫାଓ ରିପୋର୍ଟ କହିଛି ଯେ ବେଲୁଚିସ୍ତାନ,  ଖାଇବର ପଖ୍‌ତୁନ୍‌ଖ୍ୱା ଓ ସିନ୍ଧ ପ୍ରଦେଶର ପ୍ରାୟ ୪୩  ଜିଲ୍ଲାରେ ୧.୧୮ କୋଟି ବା ୩୨% ଲୋକ ଖାଦ୍ୟ  ସଙ୍କଟର ସାମ୍ନା କରିବେ । ଏହି ସଂଖ୍ୟା ଦେଶର ମୋଟ  ବିଶ୍ଳେଷିତ ଜନସଂଖ୍ୟାର ୨୨% । ଜଳବାୟୁ ପରିବର୍ତ୍ତନ  ଓ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଏହି ୩ଟି ପ୍ରଦେଶରେ  ଜନଜୀବନ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି । 

୨୦୨୩ ମାର୍ଚ୍ଚରୁ ୨୦୨୪ ଜାନୁଆରୀ ମଧ୍ୟରେ  ପ୍ରାୟ ୨୧ ଲକ୍ଷ ଶିଶୁ (୬ରୁ ୫୯ ମାସ) ତୀବ୍ର  କୁପୋଷଣର ଶିକାର ହୋଇଥିଲେ । ଏହି ପିଲାମାନଙ୍କୁ  ପର୍ଯ୍ୟାପ୍ତ ପୋଷଣ ମିଳିପାରି ନ ଥିଲା । ଏହି ସ୍ଥିତି  ଶୀତଦିନେ ଆହୁରି ଖରାପ ହୋଇଯାଇଥିଲା,  ଯେତେବେଳେ ଖାଦ୍ୟ ସାମଗ୍ରୀ ଦର ବଢ଼ିଥିଲା ଏବଂ  ରୋଜଗାର ସୀମିତ ହୋଇଥିଲା । ଏଥିସହ ସିନ୍ଧ  ଓ ଖାଇବର ପଖ୍‌ତୁନ୍‌ଖ୍ୱା ପ୍ରଦେଶରେ ଗର୍ଭବତୀ ଓ  ସ୍ତନ୍ୟପାନ କରାଉଥିବା ମହିଳାମାନେ ମଧ୍ୟ ତୀବ୍ର  କୁପୋଷଣର ଶିକାର ହୋଇଥିଲେ । ପରିଣାମସ୍ୱରୂପ  ଅନେକ ସଂଖ୍ୟକ ପିଲା ହାରାହାରି ତୁଳନାରେ କମ୍‌  ଓଜନର ଜନ୍ମ ହୋଇଥିଲେ । ସେମାନଙ୍କ ସ୍ୱାସ୍ଥ୍ୟ ଓ  ଭବିଷ୍ୟତ ଉପରେ ଏହା ଗମ୍ଭୀର ପ୍ରଭାବ ପକାଇବ । 

ଫାଓ ରିପୋର୍ଟ ଆହୁରି କହିଛି ଯେ ପାକିସ୍ତାନର  ଅନେକ ଜିଲ୍ଲାରେ ହଇଜା, ତୀବ୍ର ଶ୍ୱାସକ୍ରିୟା ସଂକ୍ରମଣ  ଓ ମ୍ୟାଲେରିଆ ଭଳି ରୋଗ ଉଚ୍ଚ ସ୍ତରରେ ବଢ଼ିଥିଲା ।  ଏହା ଶୀତଦିନେ ଅଧିକ ବଢ଼ିଯାଇଥିଲା । ୨୦୨୨ରେ  ବିନାଶକାରୀ ମୌସୁମୀ ବନ୍ୟା କାରଣରୁ ଅନେକ  ଅଞ୍ଚଳରେ ସ୍ୱଚ୍ଛ ପାନୀୟଜଳ ଓ ଶୌଚାଳୟ ଭଳି ସୁବିଧା  ମିଳିବା ମୁସ୍କିଲ ହୋଇପଡ଼ିଥିଲା । ଖରାପ ସ୍ୱାସ୍ଥ୍ୟସେବା,  ନିମ୍ନ ମାନର ସଡ଼କ ଓ ପର୍ଯ୍ୟାପ୍ତ ପାଣ୍ଠି ନ ମିଳିବା  ଯୋଗୁ ପୋଷଣ ସେବା ସୀମିତ ହୋଇଯାଇଥିଲା ।  ସିନ୍ଧ, ବେଲୁଚିସ୍ତାନ ଓ ଖାଇବର ପଖତୁନଖ୍ୱା  ପ୍ରଦେଶରେ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । 

ରିପୋର୍ଟରେ ସ୍ପଷ୍ଟ କରାଯାଇଛି ଯେ ପାକିସ୍ତାନରେ  ଖାଦ୍ୟ ଅସୁରକ୍ଷା ଏବଂ କୁପୋଷଣ କେବଳ ମାନବୀୟ  ନୁହେଁ, ବରଂ ସାମାଜିକ ତଥା ଆର୍ଥିକ ଚ୍ୟାଲେଞ୍ଜ  ପାଲଟିଛି । ଏ ସବୁକୁ ତତ୍କାଳ ନୀତି ଓ ବ୍ୟାବହାରିକ  ହସ୍ତକ୍ଷେପ ଦ୍ୱାରା ସମାଧାନ କରାଯିବା ଜରୁରି ।  ପାକ୍‌ ସରକାର ଓ ଅନ୍ତର୍ଜାତୀୟ ଏଜେନ୍ସି ମିଳିତ  ଭାବେ ଠୋସ ପଦକ୍ଷେପ ନେବା ଜରୁରି । ଖାଦ୍ୟ  ସହାୟତା, ପୋଷଣ ସେବା, ସ୍ୱଚ୍ଛତା ଓ ଜଳବାୟୁ  ସମାଧାନ ଦିଗରେ ଗୁରୁତ୍ୱ ଦିଆଯିବା ଉଚିତ ।